ସଙ୍ଗୀତର ସହର

0

ଯୁବପିଢ଼ିଙ୍କ ମନରେ ବୁଲିବାକୁ ନେଇ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ନୂଆନୂଆ ସ୍ଥାନ ଦେଖିବା ସହିତ ଖାଇବା, ମଉଜ କରିବା ସେମାନଙ୍କ ପାଇଁ ପ୍ରାଧାନ୍ୟ ରଖେ। ଏସବୁ ଲାଗି ଦେଶରେ ତ ଅନେକ ସ୍ଥାନ ରହିଛି, ଏଥିସହିତ ଯଦି ସଙ୍ଗୀତ ପ୍ରତି ରୁଚିଶୀଳ ହୋଇଥାନ୍ତି, ତେବେ ଏଇ ସହରକୁ ନିଶ୍ଚୟ ଯାଆନ୍ତୁ। ଏଠାକାର ଲୋକସଙ୍ଗୀତ ଆପଣଙ୍କୁ ବାନ୍ଧି ରଖିବ।

ବାରାଣସୀ: ୟୁନେସ୍କୋ ଏହାକୁ ସଙ୍ଗୀତର ସହର ବା ‘ସିଟି ଅଫ୍‌ ମ୍ୟୁଜିକ’ ବୋଲି ଆଖ୍ୟା ଦେଇଛି। ଭଗବାନ ଶିବ ନଟରାଜ ହୋଇଥିବା ବେଳେ ସେ ପ୍ରତିଷ୍ଠା କରିଥିବା ସହର ବାରାଣସୀ ଏଥିରୁ ଦୂରେଇ ରହିଥାନ୍ତା କେମିତି! ପ୍ରାଚୀନ କାଳରୁ ନୃତ୍ୟ ସଙ୍ଗୀତ ସହ ବାରାଣସୀର ସମ୍ପର୍କ ରହିଆସିଛି। ଏଠାରୁ ସୃଷ୍ଟି ହୋଇଥିବା ସଙ୍ଗୀତର ସ୍ବର ସାରା ଦେଶକୁ ଆହ୍ଲାଦିତ କରେ। ସଙ୍ଗୀତ ଜଗତର ଖ୍ୟାତନାମା ତାରକା ପଣ୍ଡିତ ରବିଶଙ୍କର, ଗିରିଜା ଦେବୀ, ସାହାନାଇ ବାଦକ ଓସ୍ତାଦ ବିସମିଲ୍ଲା ଖାଁ ପ୍ରମୁଖ ବାରାଣସୀରୁ ଆସିଛନ୍ତି।

ବେଙ୍ଗାଲୁରୁ: ଅନ୍ୟତମ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କର୍ଣ୍ଣାଟକୀ ଏଠାରେ ଖୁବ୍‌ ଲୋକପ୍ରିୟ। ଏହା ଅଧିକାଂଶତଃ ଭକ୍ତି ସଙ୍ଗୀତ ସ୍ବରୂପରେ ହୋଇଥିବା ବେଳେ ଦକ୍ଷିଣ ଭାରତରେ ବେଶ୍‌ ଆଦୃତ। ଏହି ସହରରେ କର୍ଣ୍ଣାଟକ କନ୍‌ସର୍ଟ କିମ୍ବା କର୍ଣ୍ଣାଟକ ସଙ୍ଗୀତ ନାମରେ ଏକାଧିକ ବଡବଡ ସଙ୍ଗୀତ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ଶାସ୍ତ୍ରୀୟ ସଙ୍ଗୀତ ଏଠାକାର ବାସିନ୍ଦାଙ୍କୁ ଶାନ୍ତି, ଖୁସି ଓ ସମୃଦ୍ଧି ଦେଉଥିବାରୁ ପ୍ରାୟ ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ଶାସ୍ତ୍ରୀୟ ସଙ୍ଗୀତର ଆସର ଜମେ। ପର୍ୟ୍ୟଟକ ମଧ୍ୟ ଏହି ସୁମଧୁର ଆକର୍ଷଣରୁ ମୁକୁଳି ପାରନ୍ତି ନାହିଁ।

ପଞ୍ଜାବ: ଗୀତ, ନାଚରେ ପଞ୍ଜାବୀ ସବୁବେଳେ ଆଗୁଆ। ଯେକୌଣସି ପରିବେଶରେ ସେମାନେ ଖୁସି ମନାଇବା ଲାଗି ତତ୍‌କ୍ଷଣାତ ଗୀତ, ନାଚର ଆୟୋଜନ କରିପାରନ୍ତି। ପଞ୍ଜାବୀ ସଙ୍ଗୀତର ସ୍ବାତନ୍ତ୍ର୍ୟ ଏହାର ବହୁପ୍ରାଚୀନ ବାଦ୍ୟଯନ୍ତ୍ର ସହିତ ପ୍ରମାଣିତ ହୋଇଥାଏ। ଢୋଲ ବାଦ୍ୟ ଏବଂ ସଙ୍ଗୀତ ବିନା ଏଠାରେ କୌଣସି ଉତ୍ସବ ଆରମ୍ଭ ହୋଇପାରେ ନାହିଁ। ବାହାଘର ହେଉ ବା କୌଣସି ପର୍ବ- ଭାଙ୍ଗଡା ଏବଂ ଗିଦ୍ଦା ଏଥିରେ ଅନିବାର୍ୟ୍ୟ। ପଞ୍ଜାବୀ ସଙ୍ଗୀତ ଜୀବନ୍ତ ଏବଂ ସକାରାତ୍ମକ ଶକ୍ତି ସଞ୍ଚାର କରିପାରେ ବୋଲି କୁହାଯାଏ।

ରାଜସ୍ଥାନ: ରଙ୍ଗିନ ସଂସ୍କୃତିର ରାଜ୍ୟ ରାଜସ୍ଥାନ। ଏଠାକାର ଲୋକଗୀତରେ ଦେବୀଦେବତାଙ୍କ ମହିମା ବର୍ଣ୍ଣିତ। ଉଦୟପୁର, ଯୋଧପୁର, ବିକାନେର, ଜୈସଲମେର ଏବଂ ଜୟପୁର ଆଦି ସ୍ଥାନ ରାଜସ୍ଥାନୀ ଲୋକସଙ୍ଗୀତର ଉତ୍ପତ୍ତି ସ୍ଥଳ ଭାବେ ମାନ୍ୟତା ପାଇଛି। ଭିନ୍ନଭିନ୍ନ ଜାତି ଏବଂ ଜନଜାତିକୁ ନେଇ ସ୍ବତନ୍ତ୍ର ସଙ୍ଗୀତ ଏଠାରେ ରହିଛି। ଏପରିକି କେତେକ ଜାତିର କଳାକାର ନିଜ ପୂର୍ବପୁରୁଷଙ୍କ ଅବଦାନ ଭାବେ ଉତ୍ତରାଧିକାର ସୂତ୍ରରେ ସଙ୍ଗୀତକୁ ସାଇତି ରଖିଛନ୍ତି। ରାଜସ୍ଥାନୀ ସଙ୍ଗୀତ ସ୍ବରରେ କରାଯାଉଥିବା ଘୁମର ନୃତ୍ୟ ଏଠାରେ ଖୁବ୍‌ ଲୋକପ୍ରିୟ।

Comments
Loading...