ମୁଶରଫଙ୍କୁ ଗିରଫ ନେଇ ପାକ୍‍ର ଅନୁରୋଧକୁ ଇଣ୍ଟରପୋଲର ଅଗ୍ରାହ୍ୟ

0

ଇସ୍‍ଲାମାବାଦ୍‍ : ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ଗିରଫ କରିବା ନିମନ୍ତେ ସେଠାକାର ସରକାରଙ୍କ ଅନୁରୋଧକୁ ଇଣ୍ଟରପୋଲ ଅଗ୍ରାହ୍ୟ କରିଦେଇଛି। ଇଣ୍ଟରପୋଲ ରାଜନୈତିକ ମାମଲାଗୁଡିକରେ ହସ୍ତକ୍ଷେପ କରିବ ନାହିଁ ବୋଲି ଦର୍ଶାଇ ପାକ୍‍ ସରକାରଙ୍କ ଅନୁରୋଧ ଅସ୍ୱୀକାର କରିଥିବା ଆଭ୍ୟନ୍ତରୀଣ ସଚିବ ବୁଧବାର ସ୍ୱତନ୍ତ୍ର ଅଦାଲତଙ୍କୁ ସୂଚନା ଦେଇଛନ୍ତି। ୨୦୦୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ତଥା ସମ୍ବିଧାନକୁ ରଦ୍ଦ କରିବା ନେଇ ମୁଶରଫଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ହୋଇଥିଲା। ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ପୁନଃ ଆରମ୍ଭ ହୋଇଛି। ଅନ୍ୟପଟେ ୭୫ ବର୍ଷ ବୟସ୍କ ମୁଶରଫ ସୁରକ୍ଷା ଦୃଷ୍ଟିରୁ ସେ ପାକିସ୍ତାନ ଫେରିବାକୁ ଅନେକ ଥର ମନା କରିଛନ୍ତି। ତାଙ୍କୁ ସ୍ୱଦେଶର ପ୍ରତ୍ୟର୍ପଣ ଲାଗି କି ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୨୦ରେ ଆଭ୍ୟନ୍ତରୀଣ ସଚିବଙ୍କୁ ସମନ ଜାରି କରିଥିଲେ। ଆଭ୍ୟନ୍ତରୀଣ ସଚିବ ଇଣ୍ଟରପୋଲର ମତ ସମ୍ବନ୍ଧରେ ସୂଚନା କରିବା ପରେ କୋର୍ଟ ସ୍କାଇପ୍‍ ଦ୍ୱାରା ମୁଶରଫ୍‍ଙ୍କ ବୟାନ ରେକର୍ଡ ଉପରେ ଗୁରୁତ୍ୱାରୋପ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ରେ ହେବ।

Leave A Reply