ବାରଙ୍ଗ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

0

କଟକ: ଏକ ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‍ ସୁପରଭାଇଜର ରୂପେ କାର୍ଯ୍ୟ କରୁଥିବା ସୁନିଲ ରଞ୍ଜନ ସାହୁଙ୍କୁ ଗତ ୨୫ ତାରିଖ ଦିନ ହନୁମାନ ଛକ ନେତାଲ ବଜାରଠାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ବେହେରାକୁ ପୁଲିସ ରବିବାର ଗରିଫ କରିଛି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ସୁନିଲ୍‍ ଢେଙ୍କାନାଳସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳେ ସେଠାରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସହିତ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ସୁନିଲ୍‍ ସେଠାରୁ ଚାକିରି ଛାଡ଼ି ବାରଙ୍ଗ ନିକଟସ୍ଥ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ। ଏହାସତ୍ତେ୍ୱ ସମ୍ପୃକ୍ତ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ। ମହିଳା ଜଣକ ସୁନିଲ୍‍ଙ୍କଠାରୁ ଦୂରେଇ ଯିବାକୁ ଚାହୁଁଥିଲେ ହେଁ ସୁନିଲ୍‍ ସେଥିରେ ରାଜି ନଥିଲେ। କିଛି ଦିନ ପରେ ମହିଳା ଜଣକ ତାଙ୍କ ସ୍କୁଲ୍‍ ସାଙ୍ଗ ନିରଞ୍ଜନଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ସୁନିଲ୍‍ଙ୍କୁ ରାସ୍ତାରୁ ହଟାଇବାକୁ ନିରଞ୍ଜନ ଯୋଜନା କରିଥିଲେ। ସେ ବିହାରର ମୁଙ୍ଗେର ଯାଇ ଗୋଟିଏ ୯ ଏମ୍‍ ଏମ୍‍ ପିସ୍ତଲ, ଦୁଇଟି ମାଗାଜିନ୍‍ ଓ ୩ଟି ଗୁଳି କିଣି ଆଣିଥିଲେ।
ଘଟଣା ଦିନ ସୁନିଲ୍‍ ଘରୁ ବାହାରିବା ପରେ ନିରଞ୍ଜନ ତାଙ୍କ ପିଛା କରି ହନୁମାନ ବଜାର ପାଖରେ ଭେଟିଥିଲେ। ନିରଞ୍ଜନଙ୍କୁ ସୁନିଲ୍‍ ପୂର୍ବରୁ ଚିହ୍ନିଥିବାରୁ ତାଙ୍କ ସହିତ କଥା ହେବା ପାଇଁ ଅଟକିଥିଲେ। ଏହି ସମୟରେ ନିରଞ୍ଜନ ହଠାତ୍‍ ପିସ୍ତଲ୍‍ରୁ ସୁନିଲ୍‍ଙ୍କ ଛାତି ଓ ମୁଣ୍ଡ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ସୁନିଲ୍‍ଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ନିରଞ୍ଜନ ପ୍ରଥମେ ବିଦ୍ୟାଧରପୁର ଓ ପରେ ଢେଙ୍କାନାଳକୁ ଚାଲି ଯାଇଥିଲେ। ଯିବା ସମୟରେ ପିସ୍ତଲ୍‍କୁ ଏକ ବୁଦା ମୂଳରେ ଫିଙ୍ଗି ଦେଇ ଦେଇଥିଲେ। ଗିରଫ ପରେ ନିରଞ୍ଜନ ହତ୍ୟା ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ପୁଲିସ ଭାରତୀୟ ପିଙ୍ଗଳ କୋଡ ଓ ବେଆଇନ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ୍‍ରେ ମାମଲା ରୁଜୁ କରିଛି।

Leave A Reply