ସାନ ଭାଇକୁ କୂଅକୁ ଠେଲି ହତ୍ୟା କଲା ବଡ଼ଭାଇ

0

ବରଗଡ଼: ସାନ ଭାଇକୁ କୂଅ ମଧ୍ୟକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ବରଗଡ଼ ସଦର ଥାନା ଅନ୍ତର୍ଗତ ଧଉଁରାଖନ୍ଧା ଗ୍ରାମରେ ଘଟିଛି। ଗୁରୁଦେବ ଦାସ ନାମକ ଜନୈକ ଯୁବକ ତାର ବଡ଼ବାପାର ୪ ବର୍ଷିୟ ପୁଅ ସୁଦେବ ଦାସଙ୍କୁ କୂଅକୁ ଠେଲି ଦେଇ ହତ୍ୟା କରିଥିବା ଜଣାପଡ଼ିଛି।  ସୁଦେବ ଦାସ ହେଉଛନ୍ତି ବିଷ୍ଣୁ ଚରଣ ଦାସଙ୍କ ପୁଅ । ବିଷ୍ଣୁ ଚରଣ ଦାସଙ୍କ ଭାଇ ଭୁଜଦେବ ଦାସଙ୍କ ପୁଅ ଗୁରୁଦେବ ଦାସ ୨ ତାରିଖ ସନ୍ଧ୍ୟାରେ ସୁଦେବଙ୍କୁ ଘରୁ ଡ଼ାକିନେଇ ଗାଁ ବାହାରେ ଥିବା ଦୟାନିଧି ସାହୁଙ୍କ କୁଅ ଭିତରକୁ ଠେଲି ଦେଇ ଚୁପଚାପ ଘରକୁ ଚାଲି ଆସିଥିଲା । ସୁଦେବ ଦାସଙ୍କ ମା ପୁଅ ଜିଊଁତିଆ ଓଷା ସାରି ଘରେ ସୁଦେବଙ୍କୁ ନପାଇ ଖୋଜା ଖୋଜି କରିଥିଲେ । ସନ୍ଧ୍ୟାରେ ଗାଁର କିଛି ଯୁବକ ସୁଦେବକୁ ଗୁରୁଦେବଙ୍କ ସହ ଯାଉଥିବା ଦେଖିଥିଲେ । ତେବେ ପଚରା ଉଚୁରା ସମୟରେ ଗୁରୁଦେବ ଏହାକୁ ଅସ୍ୱୀକାର କରିବାରୁ ୨ ତାରିଖ ମଧ୍ୟ ରାତିରେ ସୁଦେବଙ୍କ ପରିବାର ବରଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ ଥାନାରେ ଗୁରୁଦେବ ତାଙ୍କ ସାନ ଭାଇକୁ କୁଅରେ ଠେଲି ଦେଇ ହତ୍ୟା କରିଥିବା ସ୍ୱୀକାର କରିଥିଲା ।
ପରେ ପୁଲିସ ଶବ ଉଦ୍ଧାର ପାଇଁ ଦମକଳ ବାହିନୀର ସହାୟତା ନେଇଥିଲା ଏବଂ ଭୋରରେ ସୁଦେବଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରିଥିଲା । ବରଗଡ଼ରେ ବ୍ୟବଚ୍ଛେଦ ପରେ ପୁଲିସ ଶବକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ଗୁରୁଦେବ ଦାସଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି । ଉଭୟ ପରିବାର ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଥିବାରୁ ଗୁରୁଦେବ ଏହି ହତ୍ୟାକାଣ୍ଡ ଭିଆଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

Leave A Reply