ମୋଦୀଙ୍କୁ ମନମୋହନଙ୍କ ଚିଠି; ନେହେରୁ ସ୍ମାରକୀରେ ପରିବର୍ତ୍ତନ କରା ନ ଯାଉ

0

ନୂଆଦିଲ୍ଲୀ : ତିନି ମୂର୍ତ୍ତି ଭବନଠାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ୍‍ ନେହେରୁଙ୍କ ସ୍ମୃ୍‍ତି ବହନ କରୁଥିବା ମେମୋରିଆଲ ମ୍ୟୁଜିୟମ ଓ ଳାଇବ୍ରେରୀରେ କୌଣସି ପ୍ରକାରର ପରିବର୍ତ୍ତନ ନ କରିବାକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋମବାର ଚିଠି ଲେଖି ଅନୁରୋଧ କରିଛନ୍ତି। ସରକାର ଏହାର ମହତ୍ତ୍ୱ ଓ ବାସ୍ତବ ଚରିତ୍ରରେ ପରିବର୍ତ୍ତନ କରିବାକୁ ଯାଉଥିବା ନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ସ୍ମାରକୀକୁ କେବଳ କଂଗ୍ରେସର ସମ୍ପତି ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ; ବରଂ ଦେଶ ପ୍ରତି ନେହରୁଙ୍କ ଅବଦାନ ଦୃଷ୍ଟିକୋଣରୁ ଏହା ସମ୍ପୂର୍ଣ୍ଣ ଭାରତର ସମ୍ପତ୍ତି ବୋଲି ଉକ୍ତ ଚିଠିରେ ମନମୋହନ ଦର୍ଶାଇବା ସହ ତିନି ମୂର୍ତ୍ତି ଭବନରେ କୌଣସି ଢ଼ାଞ୍ଚାଗତ ପରିବର୍ତ୍ତନ ନ ଆଣିବାକୁ ନିବେଦନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ତିନିମୂର୍ତ୍ତି ଭବନଠାରେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ପ୍ରତିଷ୍ଠା ନିମନ୍ତେ ଗତମାସରେ କେନ୍ଦ୍ର ସରକାର ସ୍ଥିର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନମୋହନ ଉପରୋକ୍ତ ଚିଠି ଲେଖିଛନ୍ତି।
ମନମୋହନ ଉଲ୍ଲେଖ କରିଛନ୍ତି ଯେ ନେହେରୁଙ୍କ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ଏବଂ ମହାନତାକୁ ତାଙ୍କ ରାଜନୈତିକ ବିରୋଧୀମାନେ ମଧ୍ୟ ପ୍ରଶଂସା କରିଛନ୍ତି। ଏଣୁ ଏନ୍‍ଡିଏର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସରକାର ମଧ୍ୟ ଉକ୍ତ ସ୍ମାରକୀ ଏବଂ ୧୬ ବର୍ଷ ଧରି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ବାସଭବନ ରହିଥିବା ତିନି ମୂର୍ତ୍ତି ଅଟ୍ଟାଳିକାରେ କୌଣସି ପରିବର୍ତ୍ତନ କରିବାକୁ ଉଦ୍ୟମ କରି ନ ଥିଲେ; କିନ୍ତୁ ଦୁଃଖର ବିଷୟ ଏହା ଏବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟସୂଚୀର ଏକ ଅଂଶ ପାଲଟିଛି। ନେହରୁଙ୍କ ଦେହାବସାନ ପରେ ବାଜପେୟୀ ସଂସଦରେ ଦେଇଥିବା ବକ୍ତବ୍ୟକୁ ସେ ଉକ୍ତ ଚିଠିରେ ସ୍ମରଣ କରିଛନ୍ତି। ବାଜପେୟୀ ନେହେରୁଙ୍କୁ ଜଣେ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱର ଆଖ୍ୟା ଦେଇଥିଲେ। ତିନିମୂର୍ତ୍ତି ଅଟ୍ଟାଳିକାକୁ ଏଭଳି ଜଣେ ବ୍ୟକ୍ତି ଆଉ ମିଳିବେ ନାହିଁ ବୋଲି ବାଜପେୟୀ କହିଥିଲେ। ଏଣୁ ଦେଶର ଇତିହାସ ଓ ଐତିହ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଏହି ସ୍ମାରକୀ ଓ ଅଟ୍ଟାଳିକାରେ ପରିବର୍ତ୍ତନ ନ କରିବାକୁ ମୋଦୀଙ୍କୁ ମନମୋହନ ନିବେଦନ କରିଛନ୍ତି।

Leave A Reply