ବିଶ୍ୱର ୧୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

0

ନ୍ୟୁୟର୍କ : ଫୋର୍ବସ ପତ୍ରିକା ପକ୍ଷରୁ ପ୍ରକାଶିତ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚୂଡାନ୍ତ ତାଲିକାର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ତାଲିକାରେ ମୋଦି ନବମ ସ୍ଥାନରେ ଥିବା ବେଳେ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ ଶୀର୍ଷସ୍ଥାନ ଦଖଲ କରିଛନ୍ତି। ନିକଟରେ ଦୁଇ ନେତାଙ୍କ ମଧ୍ୟରେ ନୂଆ ପ୍ରକାରର ସଂପର୍କ ଦେଖିବାକୁ ମିଳିଥିଲା। ତେବେ ଜିନ୍‍ପିଙ୍ଗ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦୌଡରେ ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍‍ ପୁତିନ୍‍ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ପୁତିନ୍‍ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜର୍ମାନୀ ଚାନ୍‍ସେଲର ଆଞ୍ଜେଲା ମାର୍କେଲ, ଆମାଜୋନ୍‍ ସିଇଓ ଜେଫ୍‍ ବେଜୋସ୍‍, ପୋପ୍‍ ଫ୍ରାନ୍ସିସ୍‍, ବିଲ୍‍ ଗେଟ୍‍ସ ଏବଂ ସାଉଦି ଆରବ ରାଜା ମହମ୍ମଦ ବିନ୍‍ ସଲମାନ ଅଲ୍‍ ସାଉଦ ରହିଛନ୍ତି। ଗୁଗୁଲ୍‍ର ସହ ପ୍ରତିଷ୍ଠାତା ଲାରି ପେଜ୍‍ ତାଲିକାର ଦଶମ ସ୍ଥାନ ଲାଭ କରିଛନ୍ତି। ଫେସ୍‍ବୁକ୍‍ ସିଇଓ ମାର୍କ ଜୁକରବର୍ଗଙ୍କୁ ମଧ୍ୟ ମୋଦି ପଛରେ ପକାଇ ଦେଇଛନ୍ତି। ଜୁକରବର୍ଗ ତାଲିକାର ୧୩ତମ ସ୍ଥାନରେ ରହିଛନ୍ତି।
ତାଲିକାରେ ମୋଦିଙ୍କୁ ସାମିଲ କରିବା ପରିପ୍ରେକ୍ଷୀରେ ଫୋର୍ବସ ପତ୍ରିକା ପକ୍ଷରୁ କୁହାଯାଇଛି, ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ମୋଦିଙ୍କର ଲୋକପ୍ରିୟତା ଖୁବ୍‍ ବେଶୀ। ବେଆଇନ ଅର୍ଥ କାରବାର ଏବଂ ଦୁର୍ନୀତି ରୋକିବା ଉଦ୍ଦେଶ୍ୟରେ ୨୦୧୬ ନଭେମ୍ବରରେ ଦେଶରେ ବିମୁଦ୍ରାୟନ ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନ୍‍ପିଙ୍ଗ୍‍ଙ୍କୁ ସରକାରୀ ଭାବେ ସାକ୍ଷାତ କରି ସେ ଜଣେ ବିଶ୍ୱସ୍ତରୀୟ ନେତା ଭାବେ ନିଜ ଭାବମୂର୍ତ୍ତି ପ୍ରସ୍ତୁତ କରିଛନ୍ତି।
ଏକମାତ୍ର ଭାରତୀୟ ବ୍ୟବସାୟୀ ଭାବେ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୩୨ତମ ସ୍ଥାନରେ ଥିବା ବେଳେ ଭାରତୀୟ ବଂଶୋଦ୍ଭବ ତଥା ମାଇକ୍ରେସଫ୍ଟ ସିଇଓ ସତ୍ୟ ନାଡେଲା ୪୦ ତମ ସ୍ଥାନରେ ରହିଛନ୍ତି। ବିଶ୍ୱର ୭.୫ ବିଲିୟନ୍‍ ଲୋକଙ୍କ ମଧ୍ୟରୁ ମାତ୍ର ୭୫ ଜଣଙ୍କୁ ନେଇ ଫୋର୍ବସ ପତ୍ରିକା ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଏହି ଚୂଡାନ୍ତ ତାଲିକା ପ୍ରସ୍ତୁତ କରିଛି। ତାଲିକାରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରୋନ୍‍ ୧୨ତମ, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଥେରେସା ମେ’ ୧୪ତମ, ଚୀନ୍‍ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍‍ ୧୫ତମ, ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେର୍‍ସ ୩୧ତମ, ଉତ୍ତର କୋରିଆର ପ୍ରମୁଖ ନେତା କିମ୍‍ ଜଙ୍ଗ ଉନ୍‍ ୩୬ତମ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ୫୭ତମ ଏବଂ ସିରିଆ ରାଷ୍ଟ୍ରପତି ବସାର ଅଲ୍‍ ଆସଦ ୬୨ତମ ସ୍ଥାନରେ ରହିଛନ୍ତି।

Leave A Reply