ଭାରତ ବିପକ୍ଷ ସୀମିତ ଓଭର ସିରିଜ ଆହତ ଷ୍ଟାର୍କ ଅଷ୍ଟ୍ରେଲିଆ ଦଳରୁ ବାଦ୍‌

0

ମେଲବୋର୍ଣ୍ଣ : ଚଳିତମାସ ଶେଷ ସପ୍ତାହରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ତାହାର ଭାରତ ଗସ୍ତ ଆରମ୍ଭ କରିବ। ୨୪ ଫେବୃଆରୀରୁ ୧୩ ମାର୍ଚ୍ଚ ମଧ୍ୟରେ ଉଭୟ ଦଳ ମଧ୍ୟରେ ୨ଟି ଟ୍ବେଣ୍ଟି୨୦ ଓ ୫ଟି ଦିନିକିଆ ମ୍ୟାଚ ଖେଳାଯିବ। ଏଥିପାଇଁ ଗୁରୁବାର ଅଷ୍ଟ୍ରେଲିଆର ୧୬ ଜଣିଆ ଦଳ ଘୋଷଣା କରାଯାଇଛି। ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ଆହତ ହୋଇଥିବା କାରଣରୁ ଏହି ସିରିଜରୁ ବାଦ ପଡିଛନ୍ତିି। ତାଙ୍କ ସ୍ଥାନରେ କେନ୍‌ ରିଚାର୍ଡସନଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ନିକଟରେ କାନ୍‌ବେରାରେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳୁଥିବାବେଳେ ଷ୍ଟାର୍କ ମାଂସପେଷୀରେ ଆଘାତ ପାଇଥିଲେ। ଫାଷ୍ଟ ବୋଲର ପିଟର ସିଡିଲ, ବିଲି ଷ୍ଟାନ୍‌ଲେକ୍‌ ଓ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ଏମାନଙ୍କ ସ୍ଥାନରେ କେନ୍‌ ରିଚାର୍ଡସନ, ନାଥାନ କୌଟର-ନାଇଲ ଓ ଆଷ୍ଟନ ଟର୍ଣ୍ଣରଙ୍କୁ ଦଳରେ ସାମିଲ କରାଯାଇଛି। ଦଳର ଅନ୍ୟତମ ନିର୍ଭରଯୋଗ୍ୟ ଫାଷ୍ଟ ବୋଲର ଜୋସ୍‌ ହେଜେଲଉଡ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ମନୋନୟନ ପ୍ରକ୍ରିୟାରୁ ବାଦ ପଡିଛନ୍ତି। ଗତ ସିଜିନରେ ଦିନିକିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା ସନ୍‌ ମାର୍ଶ ଶହେ ପ୍ରତିଶତ ଫିଟ୍‌ ଘୋଷିତ ହୋଇନଥିଲେ ସୁଦ୍ଧା ତାଙ୍କୁ ଦଳରେ ସାମିଲ କରାଯାଇଛି। ତାଙ୍କର ଆହତ ଅବସ୍ଥାକୁ ଦୃଷ୍ଟିରେ ରଖି ଡି’ଆର୍ସି ସର୍ଟଙ୍କୁ ସୁଯୋଗ ଦିଆଯାଇଛି। ପୁନଶ୍ଚ ମାର୍ଶଙ୍କ ପତ୍ନୀ ଆସନ୍ନ ପ୍ରସବା ଥିବାବେଳେ ସନ୍ତାନ ଜନ୍ମ ପରେ ସେ ଭାରତ ଆସି ଦଳ ସହ ଯୋଗଦେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ସର୍ଟ ଦୁଇଟି ଟ୍ବେଣ୍ଟି୨୦ ପାଇଁ ଓପନରଭାବେ ଦଳରେ ସ୍ଥାନ ପାଇଥିବାବେଳେ ମାର୍ଶ ସିରିଜର ଶେଷ ତିନିଟି ଦିନିକିଆରେ ଖେଳିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।
ଫେବୃଆରୀ ୨୪ରେ ପ୍ରଥମ ଟ୍ବେଣ୍ଟି୨୦ ବିଶାଖାପାଟଣାରେ ଖେଳାଯାଉଥିବାବେଳେ ୨୭ରେ ଦ୍ବିତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ବେଙ୍ଗାଲୁରୁରେ ଖେଳାଯିବ। ମାର୍ଚ୍ଚ ୨ରେ ପ୍ରଥମ ଦିନିକିଆ ହାଇଦରାବାଦରେ, ମାର୍ଚ୍ଚ ୫ରେ ଦ୍ବିତୀୟ ଦିନିକିଆ ନାଗପୁରରେ, ୮ ମାର୍ଚ୍ଚରେ ତୃତୀୟ ଦିନିକିଆ ରାଞ୍ଚିରେ, ୧୦ ମାର୍ଚ୍ଚରେ ଚତୁର୍ଥ ଦିନିକିଆ ଚଣ୍ଡିଗଡରେ ଓ ମାର୍ଚ୍ଚ ୧୩ରେ ପଞ୍ଚମ ତଥା ଅନ୍ତିମ ଦିନିକିଆ ନୂଆଦିଲ୍ଲୀରେ ଖେଳାଯିବ।
ଘୋଷିତ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଉସମାନ ଖାୱାଜା, ସନ୍‌ ମାର୍ଶ, ପିଟର ହ୍ୟାଣ୍ଡ୍‌ସକମ୍ବ, ଗ୍ଲେନ ମ୍ୟାକ୍ସୱେଲ, ଆଷ୍ଟନ ଟର୍ଣ୍ଣର, ମାର୍କସ ଷ୍ଟୋଇନିସ, ଆଲେକ୍ସ କ୍ୟାରେ, ପ୍ୟାଟ୍‌ କମିନ୍‌ସ, ନାଥାନ କୌଟର-ନାଇଲ, ଝାଏ ରିଚାର୍ଡସନ, କେନ୍‌ ରିଚାର୍ଡସନ, ଜାସନ ବେହେରନ୍‌ଡର୍ଫ, ନାଥାନ ଲାୟନ, ଆଦାମ ଜମ୍ପା ଓ ଡି’ଆର୍ସି ସର୍ଟ (ସନ୍‌ ମାର୍ଶଙ୍କ ପାଇଁ ଷ୍ଟାଣ୍ଡ୍‌ବାଏ ଖେଳାଳି)।

Leave A Reply