ଓଡ଼ିଶାର ଦକ୍ଷ ମାନବ ସମ୍ବଳରେ ଦେଶର ଶିଳ୍ପ ଜଗତ ସମୃଦ୍ଧ

0

-ଯୁବପିଢ଼ି ‘ଆଇ ଆମ ଓଡ଼ିଶା ଅଭିଯାନ’ର ବାର୍ତ୍ତାବହ, -ପୁଞ୍ଜିନିବେଶର ସୁଯୋଗ ନେବାକୁ ଶିଳ୍ପପତିଙ୍କୁ ଆହ୍ୱାନ
-‘ସମାଜ’ ସ୍ୱତନ୍ତ୍ର ସଂକଳନ ‘ଓଡ଼ିଶା ଶିଳ୍ପାୟନ ଲୋକାର୍ପିତ
ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଶିଳ୍ପ ମହାକୁମ୍ଭ ‘ମେକ୍‍ ଇନ ଓଡ଼ିଶା କନକ୍ଲେଭ’ ରବିବାରଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଏହି ବୃହତ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶବିଦେଶର ପ୍ରମୁଖ ଶିଳ୍ପପତି ଓ ନିବେଶକାରୀଙ୍କ ସମାବେଶରେ ଆୟୋଜିତ ମେକ ଇନ ଓଡ଼ିଶାର ଦ୍ୱିବାର୍ଷିକ ସମ୍ମୀଳନୀକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହାର ସଫଳତା କାମନା କରିଛନ୍ତି।
ଉଦ୍‍ଘାଟନ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ଶିଳ୍ପ ମହାକୁମ୍ଭରେ ରାଜ୍ୟର ଶିଳ୍ପ ନିପୁଣତାକୁ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ପ୍ରତିଷ୍ଠିତ ଅଧିକାଂଶ ଶିଳ୍ପ ସଂସ୍ଥା ମେକ ଇନ ଓଡ଼ିଶାର ସଫଳତାକୁ ଏଠାରେ ଉପସ୍ଥାପନ କରିଛନ୍ତି। ରାଜ୍ୟର ଅର୍ଥନୀତିକୁ ସେମାନଙ୍କ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପ ସଂସ୍ଥାକୁ ଧନ୍ୟବାଦ ଦେବା ସହିତ ସେମାନଙ୍କ ନିରନ୍ତର ଅଭିବୃଦ୍ଧି କାମନା କରିଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଳା ଓ କାରିଗରି ପାଇଁ ସମୃଦ୍ଧ ଓଡ଼ିଶା ଏହାର ଦକ୍ଷ ମାନବ ସମ୍ବଳ ଜରିଆରେ ଦେଶର ଅଭିବୃଦ୍ଧି ଦଗରେ ଅନେକ ଅବଦାନ ରଖିଛି। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଓଡ଼ିଶା ଏବଂ ଭାରତର ଶିଳ୍ପ ଜଗତରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିଛନ୍ତ। ମୁଖ୍ୟମନ୍ତ୍ରୀ କହିଥିଲେ, ‘ଏହି ଯୁବକ ଓ ଯୁବତୀମାନେ ହେଉଛନ୍ତି ‘ଆଇ ଆମ ଓଡ଼ିଶା’ ଅଭିଯାନର ବାର୍ତ୍ତାବହ। ଏହି କନକ୍ଲେଭକୁ ମୁଁ ଆମ ରାଜ୍ୟର ପୁଅ ଝିଅଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି ଯେଉଁମାନେ ଓଡ଼ିଶାର ଉତ୍‍ଥାନ ଓ ଶିଳ୍ପ ବିକାଶ ପଛରେ ବିରାଟ ଶକ୍ତି ଭାବେ ଉଭା ହୋଇଛନ୍ତି’।

ଆଗାମୀ ୪ଦିନ ପାଇଁ ଏଠାରେ ଏକାଠି ହୋଇଥିବା ସାରା ବିଶ୍ୱର ପ୍ରତିନିଧିଙ୍କୁ ସେ ସ୍ୱାଗତ କରିବା ସହିତ ଓଡ଼ିଶାରେ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଥିବା ଅପାର ସମ୍ଭାବନାର ସୁଯୋଗ ନେବାକୁୁ ସ୍ୱାଗତ କରିଥିଲେ। ଗତ ଦୁଇ ବର୍ଷ ଭିତରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଯେଉଁ ଅଭିବୃଦ୍ଧିକୁ ଆପଣାଇଛି ସେସବୁର ଅବଲୋକନ କରିବାକୁ ଆହ୍ୱାନ ଦେଇଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ କିଏ ଭାବିଥିଲା ସାରା ଦେଶରେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଓଡ଼ିଶା ଶୀର୍ଷରେ ରହିବ? କିଏ ଭାବିଥିଲା ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ବିଶ୍ୱସ୍ତରୀୟ ମାନକ ହାସଲ କରିବ? ଦେଶର ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି କିଏ ଭାବିଥିଲା? ସର୍ବାଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠାଇବା ଦିଗରେ ଓଡ଼ିଶା ସଫଳତା ହାସଲ କରିବା ସହିତ ସମସ୍ତଙ୍କ ନଜରକୁ ଆସିବ ବୋଲି କିଏ ଭାବିଥିଲା?
ଅଭିଭାଷଣ କାଳରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂତନ ଓଡ଼ିଶାକୁ ସ୍ୱାଗତ କରିବା ସହିତ ଏହି ପରିବର୍ତ୍ତନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ‘ସମାଜ’ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ସଂକଳନ ‘ଓଡ଼ିଶା ଶିଳ୍ପାୟନ’କୁ ଲୋକାର୍ପିତ କରିଥିଲେ। ଏହା ପୂର୍ବରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply