ଯାଜପୁରରେ ମା’ ବିରଜା

0

କିମ୍ବଦନ୍ତୀ– ମହାଭାରତର ବନପର୍ବରେ ମହର୍ଷି ଲୋମଶ ପାଣ୍ଡବଙ୍କୁ କହିଛନ୍ତି ଯେ ‘ହେ ରାଜନ୍‍! ତୁମ୍ଭେ ବୈତରଣୀ ତଟ ଶୋଭିତ ବିରଜା ତୀର୍ଥକୁ ଯାଅ।’ ଏହି ବିବୃତ୍ତିରୁ ସ୍ପଷ୍ଟ ହୁଏ ଯେ ମହାଭାରତ ଯୁଗପୂର୍ବରୁ ବିରଜାଙ୍କ ପାଇଁ ଏହି କ୍ଷେତ୍ର ବିରଜାତୀର୍ଥ ନାମରେ ସର୍ବଭାରତୀୟ ପ୍ରସିଦ୍ଧି ଅର୍ଜନ କରିଥିଲା। ତେବେ ମହାଭାରତ ଯୁଗରେ ବିରଜାଙ୍କ ରୂପକଳ୍ପର ସଠିକ୍‍ ସନ୍ଧାନ ମିଳିପାରି ନାହିଁ। ମା’ ବିରଜାଙ୍କ ଆବିର୍ଭାବ ସମ୍ପର୍କରେ ଥିବା ବ୍ରହ୍ମାଣ୍ଡ ପୁରାଣର ଉପାଖ୍ୟାନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦ୍ୱିଭୁଜା ବିରଜା ବ୍ରହ୍ମାଙ୍କ ଯଜ୍ଞରୁ ଆତ୍ମପ୍ରକାଶ କରିଛନ୍ତି। ଆତ୍ମପ୍ରତିଷ୍ଠା ନିମିତ୍ତ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦ୍ୱରୁ ଏହି ପୌରାଣିକ ପ୍ରସଙ୍ଗର ଅବତାରଣା ହୋଇଛି।
ମୂର୍ତ୍ତିତତ୍ତ୍ୱ– ମା’ ବିରଜାଙ୍କ ମୂର୍ତ୍ତିକଳାର କମନୀୟତାର ସ୍ୱାତନ୍ତ୍ର୍ୟ ରହିଛି। ମୂର୍ତ୍ତିତତ୍ତ୍ୱ ବିଶାରଦଙ୍କ ମତରେ ତ୍ରିବିଧ ମହିଷମର୍ଦିନୀ ବିଗ୍ରହ ଭାରତରେ ପରିଦୃଷ୍ଟ ହୁଅନ୍ତି। ୧- ମହିଷରୂପୀ ମହିଷକୁ ବଧ କରୁଥିବା ମୂର୍ତ୍ତି, ୨-ମହିଷ ମସ୍ତକଧାରୀ ମନୁଷ୍ୟାକୃତି ମହିଷାସୁରକୁ ବଧ କରୁଥିବା ଦେବୀ, ୩-ମହିଷ ଶରୀରରୁ ନିର୍ଗତ ମନୁଷ୍ୟରୂପୀ ମହିଷାସୁରକୁ ବଧ କରୁଥିବା ଦେବୀ। ତେବେ ଏହି ତିନିପ୍ରକାର ବିଗ୍ରହ ମଧ୍ୟରୁ ମହିଷକୁ ଶୂଳବିଦ୍ଧ କରୁଥିବା ଦେବୀ ହିଁ ସର୍ବପ୍ରାଚୀନ। ଏହା ଗୁପ୍ତଯୁଗର ପୂର୍ବବର୍ତ୍ତୀ କାଳରେ ନିର୍ମାଣ କରାଯାଉଥିଲା। ତେଣୁ ମହିଷମର୍ଦିନୀ ବିରଜା ପୂର୍ବଗୁପ୍ତକାଳର ଅଟନ୍ତି। ମା’ ବିରଜାଙ୍କ ଆଉ ଏକ ବୈଶିଷ୍ଟ୍ୟ ହେଉଛି ଯେ ସେ ଦୁର୍ଗାଭାବରେ ପୂଜା ପାଉଥିଲେ ମଧ୍ୟ ସିଂହବାହିନୀ ନୁହନ୍ତି ଏବଂ ଏହି ମାତା ଓଡ଼ିଶାର ଶାକ୍ତପରମ୍ପରାର ପ୍ରାଚୀନ ଦେବୀ ଓ ମା’ ବିରଜା ଓଡ଼ିଶାର ମୂର୍ତ୍ତିପରମ୍ପରାର ଦ୍ୱିଭୁଜା ଦେବୀ ଭାବରେ ପୂଜିତା।
ପୂଜା ପରମ୍ପରା– ଦୈନନ୍ଦିନ ପୂଜାରୀତିରେ ପରମବୈଷ୍ଣବୀ ରୂପେ ଭୁବନେଶ୍ୱରୀଙ୍କ ବୀଜମନ୍ତ୍ରରେ ଆରାଧିତା। ଶାରଦୀୟ ପର୍ବରେ ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବନଦୁର୍ଗା ମନ୍ତ୍ରରେ ଷୋଡ଼ଶ ଉପଚାରରେ ପୂଜା କରାଯାଇ ମହାଷ୍ଟମୀ ରାତ୍ରିରେ ପୂର୍ଣ୍ଣାହୁତି ଦିଆଯାଏ। ଏହି ସମୟରେ ସିଂହାସନରେ ଦେବୀ ଶକ୍ତିପଲ୍ଲବତନ୍ତ୍ର ମନ୍ତ୍ରରେ ପୂଜିତ ହେବା ସହ ଯଜ୍ଞ ମଣ୍ଡପରେ ଅଷ୍ଟଶକ୍ତିଙ୍କ ମଧ୍ୟରେ ତାଙ୍କୁ ବିଶେଷ ଭାବେ ଆରାଧନା କରାଯାଏ। ମହାଷ୍ଟମୀର ନିଶାର୍ଦ୍ଧକାଳରେ ଉଗ୍ର ଚଣ୍ଡୀମଣ୍ଡଳରେ ତାନ୍ତ୍ରିକ ମତରେ ଦେବୀଙ୍କୁ ଚାମୁଣ୍ଡା ଓ ଜ୍ୱାଳାଦୁର୍ଗା ଭାବରେ ପୂଜା କରାଯାଏ। ମହାନବମୀରେ ଜୟଦୁର୍ଗା ମନ୍ତ୍ରରେ ପଞ୍ଚଉପଚାର ପୂଜା ଓ ଧନୁସାୟକ ଅର୍ପଣ ପରେ ଦେବୀଙ୍କୁ ତର୍ପଣ କରାଯିବା ପରେ ପୂଜାର ବିଶ୍ରାମ ଘଟେ।
ମା’ଙ୍କ ଶାରଦୀୟ ପୂଜାର ଅୟମାରମ୍ଭ ହୁଏ ଶୁଭ ସୁନିଆଁରୁ। ସୁନିଆଁ ଦିନ ହିଁ ମା’ ବିରଜାଙ୍କ ବନଯାଗ ବିଧିରେ ବିଲ୍ୱାଧିବାସ କାର୍ଯ୍ୟ କରାଯାଏ। ବନଯାଗାନ୍ତେ ମା’ଙ୍କ ସିଂହ ଧ୍ୱଜରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ତେବେ ମା’ଙ୍କ ଷୋଡ଼ଶ ଦିବସୀୟ ପୂଜା ଆଶ୍ୱିନ ମାସ କୃଷ୍ଣପକ୍ଷ ଆଦ୍ରାନକ୍ଷତ୍ର ଯୁକ୍ତ ଜିତାଷ୍ଟମୀ, ଯାହା ମୂଳାଷ୍ଟମୀ ନାମରେ ପ୍ରସିଦ୍ଧ, ସେହିଦିନ ରାତ୍ରି କାଳରୁ ଆରମ୍ଭ ହୋଇ ଶ୍ରବଣାନକ୍ଷତ୍ରଯୁକ୍ତ ବିଜୟାଦଶମୀରେ ସମାପ୍ତ ହୁଏ। ବିରଜା ପୀଠରୁ ହିଁ ବନଦୁର୍ଗା ଉପାସନା ବିଧି ଓଡ଼ିଶାର ଅନ୍ୟପୀଠଗୁଡ଼ିକୁ ପ୍ରସାରିତ ହୋଇଛି।
ସ୍ୱନକ୍ଷତ୍ରୋତ୍ସବ– ମା’ ବିରଜା ଶାରଦୀୟ ପର୍ବରେ ଦୁର୍ଗାଭାବରେ ଆରାଧିତ ହେଉଥିବାବେଳେ ସ୍ୱନକ୍ଷତ୍ର ଉତ୍ସବରେ ସତ୍ତ୍ୱମୟୀ ସାବିତ୍ରୀ ରୂପରେ ଗାୟତ୍ରୀ ମନ୍ତ୍ରରେ ଆରାଧିତ ହୁଅନ୍ତି। ମାଘମାସ ତ୍ରିବେଣୀ ଅମାବାସ୍ୟା ଦିନ ମା’ଙ୍କୁ ସାବିତ୍ରୀ ବେଶରେ ସଜ୍ଜିତ କରି ଗାୟତ୍ରୀ ମନ୍ତ୍ରରେ ଷୋଡ଼ଶୋପଚାରରେ ପୂଜା କରାଯିବାର ବିଧି ଶ୍ରୀବିରଜା ଉପାସନାର ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ। ତ୍ରିବେଣୀ ଅମାବାସ୍ୟାରେ ସାବିତ୍ରୀ ରୂପେ ପ୍ରତିଭାତା ଦେବୀଙ୍କୁ ଜ୍ୟେଷ୍ଠ ଅମାବାସ୍ୟାର ବଟସାବିତ୍ରୀ ବ୍ରତ ଅବସରରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଆରାଧନା କରାଯିବାର ପରମ୍ପରା ସମ୍ପ୍ରତି ଭକ୍ତଜନତାର ଭାବାବେଗକୁ ଦ୍ୱିଗୁଣିତ କରିଛି।
ରଥଯାତ୍ରା– ଶାରଦୀୟ ପର୍ବକାଳରେ ବିରଜା ଠାକୁରାଣୀଙ୍କ ସିଂହଧ୍ୱଜ ରଥଯାତ୍ରା ସମଗ୍ର ଭାରତରେ ଦେବୀଉପାସନା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଧାରା ସୃଷ୍ଟି କରିଛି। ଆଶ୍ୱିନମାସ ଶୁକ୍ଳ ପ୍ରତିପଦରୁ ମହାନବମୀ ପର୍ଯ୍ୟନ୍ତ ନବଦିନ ବ୍ୟାପୀ ମା’ ବିରଜାଙ୍କ ସିଂହଧ୍ୱଜ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୁଏ।
ପ୍ରଧାନ ପର୍ବୋତ୍ସବ– ବୈଶାଖ ମାସ ମହାବିଷୁବ ସଂକ୍ରାନ୍ତିରେ ଦେବୀଙ୍କ ନିକଟରେ ରମ୍ଭା ନାରିକେଳ ଶର୍କରା ମିଶ୍ରିତ ପ୍ରପାନକ ନୈବେଦ୍ୟ ଅର୍ପଣ କରାଯାଏ। ନୂତନ ବିରଜା ପଞ୍ଜିକାର ପୂଜା ପୂର୍ବକ ଶୁଭାରମ୍ଭ ହୁଏ। ବୈଶାଖ ମାସ ଚନ୍ଦନପୂର୍ଣ୍ଣିମାରେ ବିରଜାଦେବୀ ସୁବାସିତ ଚନ୍ଦନ ଲେପରେ ସଜ୍ଜିତ ହୋଇ ଦଧିମିଶ୍ରିତାନ୍ନ ନୈବେଦ୍ୟ ସ୍ୱୀକାର କରନ୍ତି। ପୂର୍ବେ ଏହି ଦିନ ବ୍ରହ୍ମକୁଣ୍ଡରେ ଦେବୀଙ୍କ ଚନ୍ଦନଯାତ୍ରା ହେବାର ଜନଶ୍ରୁତି ରହିଛି। ଜ୍ୟେଷ୍ଠ ଅମାବାସ୍ୟାରେ ଶ୍ରୀବିରଜାଙ୍କୁ ସ୍ୱତନ୍ତ୍ର ବେଶରେ ସେବାୟତବୃନ୍ଦ ସଜ୍ଜିତ କରିଥା’ନ୍ତି। ଆଷାଢ଼ ମାସ ସଂକ୍ରାନ୍ତି, ରଜ ସଂକ୍ରାନ୍ତିରେ ଦେବୀଙ୍କୁ ନୂତନ ପଟ୍ଟବସ୍ତ୍ରରେ ଆଭୂଷିତ କରାଯାଇ ପିଷ୍ଟକ ନୈବେଦ୍ୟ ଅର୍ପଣ କରାଯାଏ। ଶ୍ରାବଣମାସ ଚିତାଲାଗି ଅମାବାସ୍ୟାରେ ଅମାବାସ୍ୟା ବିହିତ ପୂଜାନ୍ତେ ଦେବୀମସ୍ତକରେ ସୁବର୍ଣ୍ଣ ଚିତା ଲାଗି କରାଯାଏ। ଶ୍ରାବଣ ପୂର୍ଣ୍ଣିମାରେ ଦେବୀଙ୍କ ରାଖିବନ୍ଧନ ଉତ୍ସବ ଅନୁଷ୍ଠିତ ହୁଏ। ଆଶ୍ୱିନ ମହାଳୟା ଅବସରରେ ପିତୃପୁରୁଷଙ୍କୁ ନାଭିଗୟାରେ ପିଣ୍ଡଦାନ କରି ଭକ୍ତବୃନ୍ଦ ମାତୃସ୍ୱରୂପିଣୀ ଦେବୀଙ୍କୁ ଦର୍ଶନ କରିଥା’ନ୍ତି। ଆଶ୍ୱିନ ପୂର୍ଣ୍ଣିମା ଅର୍ଥାତ୍‍ କୁମାର ପୂର୍ଣ୍ଣିମାରେ ବିରଜାଙ୍କ କୁମାରୀବେଶ ଅତୀବ ଚିତ୍ତାକର୍ଷକ। ରାତ୍ରିକାଳରେ ଦେବୀଙ୍କ ଅକ୍ଷକ୍ରୀଡ଼ା ଦର୍ଶନ ନିମିତ୍ତ ମନ୍ଦିରରେ ପ୍ରବଳ ଜନସମାବେଶ ହୋଇଥାଏ। ରାସପୂର୍ଣ୍ଣିମାରେ ଦେବୀଙ୍କ ନିକଟରେ ବିଶେଷ ପୂଜାନ୍ତେ ହବିଷ୍ୟାନ୍ନ ସମର୍ପଣ କରାଯାଏ। ମାର୍ଗଶୀର କୃଷ୍ଣାଷ୍ଟମୀ ପ୍ରଥମାଷ୍ଟମୀରେ ମା’ ବିରଜା ନୂତନ ବସ୍ତ୍ର ପରିଧାନ କରନ୍ତି। ଏଣ୍ଡୁରି ପିଷ୍ଟକ ନୈବେଦ୍ୟ ସମର୍ପଣ କରାଯାଏ। ମାଘ ମାସରେ ମକରସଂକ୍ରାନ୍ତିରେ ସଂକ୍ରାନ୍ତିବିହିତ ପୂଜାଶେଷରେ ମକର ଚାଉଳ ଭୋଗ ଲାଗି କରାଯାଏ। ଫାଲ୍‍ଗୁନ ମାସର ଦୋଳପୂର୍ଣ୍ଣିମା ମା’ ବିରଜାଙ୍କର ଅନ୍ୟତମ ପ୍ରମୁଖ ପର୍ବ। ଚୈତ୍ର ମାସ କୃଷ୍ଣ ତ୍ରୟୋଦଶୀରେ ବୈତରଣୀରେ ବାରୁଣୀ ସ୍ନାନଯୋଗ ଆସେ। ଏହାଛଡ଼ା ପ୍ରତ୍ୟେକ ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣିମା, ଗୁରୁବାର, ଶନିବାର ଓ ମଙ୍ଗଳବାରରେ ଦେବୀଙ୍କ ନିକଟରେ ଚଣ୍ଡୀପାଠ, ଜପ ଆଦି ବିଶେଷ ପୂଜାନୁଷ୍ଠାନ କରାଯାଏ।
ଓଡ଼ିଶାର ସାଂସ୍କୃତିକ ନାଭିକେନ୍ଦ୍ର ଯାଜପୁରର କ୍ଷେତ୍ରେଶ୍ୱରୀ ମା’ ଶ୍ରୀ ବିରଜା ଦୁର୍ଗାରୂପେ ଆଧାରିତ ହେଲେହେଁ ସାବିତ୍ରୀ, ବ୍ରହ୍ମାଣୀ, ବୈଷ୍ଣବୀ, ଚାମୁଣ୍ଡା ଓ ରୁଦ୍ରାଣୀ ଆଦି ନାନା ରୂପରେ, ନାନା ମନ୍ତ୍ରରେ ଉପାସିତ ହୁଅନ୍ତି। ସୁତରାଂ ଶ୍ରୀବିରଜା କୌଣସି ଧର୍ମ ସମ୍ପ୍ରଦାୟର ଗଣ୍ଡି ଭିତରେ ଆବଦ୍ଧ ନୁହନ୍ତି। ତେଣୁ ସମୟର ପଟ୍ଟ ପରିବର୍ତ୍ତନ ମଧ୍ୟରେ ବି ବିରଜାଙ୍କ ନିମିତ୍ତ ବିରଜାକ୍ଷେତ୍ର ଯାଜପୁର ସୁଦୀର୍ଘ ୩୭୫ ବର୍ଷ ପ୍ରାଚୀନ କଳିଙ୍ଗର ରାଜଧାନୀର ଗୌରବ ଅର୍ଜନ କରିଥିଲା। ମୁଦ୍‍ଗଲ, ଭୌମ ଓ ସୋମବଂଶୀ ନୃପତିଗଣ ଶ୍ରୀବିରଜାଙ୍କୁ ରାଷ୍ଟ୍ରଦେବୀ ରୂପେ ସ୍ୱୀକାର କରି ବିରଜାକ୍ଷେତ୍ରରୁ ହିଁ ସମଗ୍ର ଓଡ଼ିଶାକୁ ଶାସନ କରିଛନ୍ତି।

ସୌଜନ୍ୟ: ସତ୍ୟବାଦୀ ଡେସ୍କ

Comments
Loading...