ଆଇନଜୀବୀଙ୍କର ଧର୍ମଘଟ କରିବା ଅଧିକାର ନାହିଁ : ଜଷ୍ଟିସ୍‌ ଗୋଗଇ

0

ନୂଆଦିଲ୍ଲୀ : ଆଇନଜୀବୀମାନଙ୍କର କୌଣସି ପରିସ୍ଥିତିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ବା ଧର୍ମଘଟ କରିବାର ଅଧିକାର ନାହିଁ। ଏହା ଦୋହରାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ। ଦୀର୍ଘ ୧୬ବର୍ଷ ପୂର୍ବେ ଧର୍ମଘଟ କରିବା କାରଣରୁ ନିଷେଧ ହୋଇଥିବା ଆଇନଜୀବୀଙ୍କ ଉପରୁ ନିଷେଧାଦେଶ ହଟାଇନେବା ସଂକ୍ରାନ୍ତ ଭାରତୀୟ ଆଇନଜୀବୀ ପରିଷଦ (ବାର କାଉନ୍‍ସିଲ ଅଫ ଇଣ୍ଡିଆ)ର ଆବେଦନକୁ ଅଗ୍ରାହ୍ୟ କରି ଜଷ୍ଟିସ ଗୋଗଇ ଏହା ସ୍ପଷ୍ଟ କରିଛନ୍ତି। ଏମିତିକି ସେମାନେ ପ୍ରତୀକାତ୍ମକ ଆନ୍ଦୋଳନ ମଧ୍ୟ କରିପାରିବେ ନାହିଁ ବୋଲି ଶନିବାର ଜଷ୍ଟିସ ଗୋଗଇ କହିଛନ୍ତି।
ଭାରତୀୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ମନନ କୁମାର ମିଶ୍ର ଜଷ୍ଟିସ ଗୋଗଇଙ୍କୁ ସମ୍ବର୍ଦ୍ଧନା ଦେବା ଆଳରେ ଏହି ଆବେଦନ କରିଥିଲେ। ପ୍ରଧାନ ବିଚାରପତିଙ୍କୁ କହିଥିଲେ ଯେ ‘ଆଇନଜୀବୀଙ୍କ ପାଟି ବନ୍ଦ କରିଦିଆଗଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଧ୍ୱଂସ ହୋଇଯିବ। ପ୍ରଧାନ ବିଚାରପତିଙ୍କ ଉପରେ ଆଇନଜୀବୀଙ୍କର ଗଭୀର ଆସ୍ଥା ରହିଛି। ସେ ସେମାନଙ୍କର ସ୍ୱାଧୀନତା ପୁନଃ ସଂସ୍ଥାପିତ କରିବେ ବୋଲି ଆଶା।’ ଏହାର ଜବାବରେ ପ୍ରଧାନ ବିଚାରପତି ତାଙ୍କୁ ଆଇନଜୀବୀମାନେ କାହିଁକି ଆନ୍ଦୋଳନ କରିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ‘ଆଇନଜୀବୀଙ୍କ ଉପରୁ ନିଷେଧାଦେଶ ହଟାଇବା ସର୍ବୋପରି ଏକ ବଡ଼ ପ୍ରସଙ୍ଗ ନୁହେଁ ବୋଲି ମୁଁ ଭାବୁଛି। ସେମାନେ ଧର୍ମଘଟ କାହିଁକି କରିବେ ଏବଂ କାହିଁକି ଆଇନଗତ ସମସ୍ୟାରେ ଜଡ଼ିତ ହେବେ? ସେଭଳି କିଛି ନ ହେବା ଉଚିତ ବୋଲି ମୁଁ ଭାବୁଛି।’
ସର୍ବୋଚ୍ଚ ନ୍ୟାୟାଳୟ ୨୦୦୨ରେ ରାୟ ଦେଇଥିଲେ ଯେ ଆଇନଜୀବୀମାନଙ୍କର ଆନ୍ଦୋଳନ କରିବାର କିମ୍ବା ଆନ୍ଦୋଳନ ଡାକରା ଦେବା ଏବଂ ପ୍ରତୀକାତ୍ମକ ଆନ୍ଦୋଳନ କରିବାର ଅଧିକାର ନାହିଁ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଅରୁଣ ମିଶ୍ର ପ୍ରଧାନ ବିଚାରପତିଙ୍କ ମତକୁ ସମର୍ଥନ ପୂର୍ବକ କହିଛନ୍ତି ଯେ ‘ଆଇନଜୀବୀମାନେ ଅଦାଲତରେ ଅନୁପସ୍ଥିତ ରହିବା ଅର୍ଥ ସାଧାରଣ ଜନତାଙ୍କୁ ସେମାନଙ୍କର ଅନେକ ଅଧିକାରରୁ ବଞ୍ଚିତ କରାଯିବା ଓ ଲୋକଙ୍କ ସ୍ୱାଧୀନତା କ୍ଷୁଣ୍ଣ ହେବା। ଆଇନଜୀବୀ ପରିଷଦ ସେତିକିବେଳେ ଧର୍ମଘଟକୁ ଓହ୍ଲାଇପାରିବ; ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ କିମ୍ବା ଆଇନଗତ ବିଧିବ୍ୟବସ୍ଥାର ସୁରକ୍ଷା ଭଳି ବିରଳ ପ୍ରସଙ୍ଗ ଆସିବ। ଏହାବାଦ୍‍ ଆଇନଜୀବୀଙ୍କର ଆନ୍ଦୋଳନ କରିବାର ଅଧିକାର ସର୍ବାଦୌ ନାହିଁ’ ବୋଲି କହିଛନ୍ତି ଜଷ୍ଟିସ ମିଶ୍ର। ସେ ପୁନଶ୍ଚ ପ୍ରଶ୍ନ କରିଛନ୍ତି ଯେ ଆମେ କ’ଣ ଜଙ୍ଗଲରାଜ୍‍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛେ କି? ଆଇନର ଶାସନରେ ସାଧାରଣ ନାଗରିକ ପାଇଁ ନ୍ୟାୟର ଦ୍ୱାର ବନ୍ଦ କରିଦେଇପାରିବା କି? ଆନ୍ଦୋଳନ କରି ଆଇନଜୀବୀମାନେ ଅଦାଲତ ବନ୍ଦ କରିଦେବା ଦ୍ୱାରା କେତେ ଲୋକଙ୍କ ସ୍ୱାଧୀନତା ଓ ଅଧିକାର ପ୍ରଭାବିତ ହେଉଛି ଏବଂ କେତେ ଲୋକ ନ୍ୟାୟରୁ ବଞ୍ଚିତ ହେଉଛନ୍ତି ତାହା କେବେ ଚିନ୍ତା କରିଛନ୍ତି କି ବୋଲି ଜଷ୍ଟିସ ମିଶ୍ର ପ୍ରଶ୍ନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ଜଷ୍ଟିସ ଏନ୍‍.ଭି ରମନା, ଜଷ୍ଟିସ ଏମ୍‍. ଶାନ୍ତାନାଗୋଦାର ମଧ୍ୟ ସମାନ ମତପୋଷଣ କରିଥିଲେ।

Leave A Reply