ଆସୁଛି ଲଘୁଚାପ: ୩୦ରୁ ବର୍ଷିବ!

0

ଭୁବନେଶ୍ୱର : ଆଭ୍ୟନ୍ତରୀଣ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ଜାରି ରହିଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହିତ ବାଂଲାଦେଶ ଓ
ପଶ୍ଚିମବଙ୍ଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ପଶ୍ଚିମବଙ୍ଗ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨-୩ ଦିନ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ୩୦ ତାରିଖରୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। ଚଳିତ ମାସ ଆସିଥିବା ଦୁଇଟି ଲଘୁଚାପଜନିତ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ରହିଛି। ପୁଣି ଏକ ଲଘୁଚାପ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ।
ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍ଗିରିପୋଷି ଓ ନିଆଳିରେ ସର୍ବାଧିକ ୬୦ ମିମିରୁ ଅଧିକ ବର୍ଷା ହୋଇଛି। ଚନ୍ଦନପୁରରେ ୫୦ମିମି, ବିଷମ-କଟକରେ ୩୦ ମିମିରୁ ଅଧିକ ବର୍ଷା ହୋଇଛି। ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କୋରାପୁଟ ଓ ରାୟଗଡ଼ାର ଅଧିକାଂଶ ଅଞ୍ଚଳରେ ୧୦ରୁ ୨୦ ମିମି ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି।

Leave A Reply