୪୮ଘଣ୍ଟାରେ ଲଘୁଚାପ ; ୪ଦିନ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ପଶ୍ଚିମବଙ୍ଗ ଉପକୂଳ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଏବଂ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସମୟରେ ମୌସୁମି ଟ୍ରଫଲାଇନ ପ୍ରଭାବରେ ରାଜ୍ୟରେ ୪ ଦିନ ବର୍ଷା ପ୍ରଭାବ ଲାଗିରହିବ।
ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ ଘୂର୍ଣ୍ଣବଳୟ ଏବେ ସକ୍ରିୟ ରହିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଲଘୁଚାପ ସୃଷ୍ଟି ହେଲେ ମୌସୁମି ସକ୍ରିୟ ହେବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ମାଲକାନଗିରି, କୋରାପୁଟ, ଉତ୍ତର ଓଡ଼ିଶା ଉପକୂଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଅତି ପ୍ରବଳ ବର୍ଷା ହୋଇପାରେ।
୨୬ରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସହିତ ଉତ୍ତର ଉପକୂଳ ଓ ଢ଼େଙ୍କାନାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୭ରେ ଉତ୍ତର ଓଡ଼ିଶା ସମେତ ପୁରୀ ଓ ଖୋର୍ଦ୍ଧା ଏବଂ ୨୮ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, କଳାହାଣ୍ଡି ଓ କନ୍ଧମାଳ ଆଦି ୮ଟି ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave A Reply