ଲଭ୍‍ କେ ଲିଏ ୩୮ ଫୋନ୍‍

0

ମୁମ୍ବଇ: ‘ଲଭ୍‍ କେ ଲିଏ କୁଛ୍‍ ଭି କରେଗା’। ଏହି ହାସ୍ୟ ରସାତ୍ମକ ଓ ମନୋରଞ୍ଜନ ଧର୍ମୀ ସିନେମାର ଶୀର୍ଷକକୁ ବାସ୍ତବ ଜୀବନରେ ବ୍ୟବହାର କରିଛନ୍ତି ଦୁଇ କଲେଜ ପଢ଼ୁଆ ଯୁବତୀ। ଲୋକାଲ୍‍ ଟ୍ରେନ୍‍ରୁ ସେମାନେ ୩୮ଟି ଫୋନ୍‍ ଚୋରି କରିଛନ୍ତି। ପୁଲିସ୍‍ ହାତରେ ଧରା ପଡ଼ିବା ପରେ ସେମାନେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଖୁସି କରିବା ପାଇଁ ଏଭଳି କରିଥିବା ସ୍ୱୀକାର କରିଛନ୍ତି।
ପୁଲିସ୍‍ ସୂଚନା ଅନୁଯାୟୀ, ପଶ୍ଚିମ ରେଳବାଇ ଲୋକାଲ୍‍ ଟ୍ରେନ୍‍ର ମହିଳା ବଗିରୁ ଏହି ଦୁଇ ଯୁବତୀ ଦୁଇ ମାସ ମଧ୍ୟରେ ପ୍ରାୟ ୩୮ଟି ଦାମୀ ମୋବାଇଲ୍‍ ଫୋନ୍‍ ଚୋରି କରିଛନ୍ତି। ମୁଖ୍ୟତଃ କଲେଜ୍‍ରୁ ଘରକୁ ଫେରିବା ବେଳେ ସେମାନେ ଫୋନ୍‍ ଚୋରି କରୁଥିବା ଜଣାପଡ଼ିଛି। ସେଗୁଡ଼ିକୁ ସେମାନେ ରାହୁଲ୍‍ ରାଜପୁରୋହିତ୍‍ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ର୍ରାୟ ୩ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ସେହି ଟଙ୍କାକୁ ସେମାନେ ହ୍ରିଶି ସିଂହଙ୍କ ପାଇଁ ଖର୍ଚ୍ଚ କରିଛନ୍ତି। ଦୁଇ ଯୁବତୀ ହ୍ରିଶି ସିଂହଙ୍କ ସହିତ ଡେଟିଂ କରୁଥିବା କହିଛନ୍ତି। ଦୋଷ ସ୍ୱୀକାର କରିବା ପରେ ଯୁବତୀ ଦୁଇଜଣଙ୍କୁ ରେଳବାଇ ପୁଲିସ ଗିରଫ କରିଛି। ଚୋରି ଫୋନ୍‍ କିଣିଥିବା ଅଭିଯୋଗରେ ରାହୁଲ୍‍ ରାଜପୁରୋହିତ୍‍ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଡିଭିଜନ୍‍ର ବୋରିଭଲି ଓ ସାନ୍ତାକ୍ରୁଜ୍‍ ଷ୍ଟେସନ୍‍ ମଧ୍ୟରେ ଫୋନ୍‍ ଚୋରି ହେଉଥିବା ଏକାଧିକ ଅଭିଯୋଗ ଆସିବା ପରେ ରେଳବାଇ ପୁଲିସ୍‍ ଏକ ଟିମ୍‍ ଗଠନ କରିଥିଲା। ଗତ ୩୦ ତାରିଖରେ ଯାତ୍ରୀଙ୍କ ବ୍ୟାଗ୍‍ରୁ ଫୋନ୍‍ ଚୋରି କରୁଥିବା ବେଳେ ସେଠାରେ ସାଧା ପୋଷାକରେ ମୁତୟନ ମହିଳା ପୁଲିସ୍‍ କର୍ମଚାରୀ ଜଣେ ଯୁବତୀଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା।

Leave A Reply