ଘାତକ ବଜ୍ରପାତ

0

ସମ୍ପ୍ରତି ବଜ୍ରପାତ ଦେଶରେ ଏକ ପ୍ରମୁଖ ବିପର୍ଯ୍ୟୟ ଭାବେ ଦେଖାଦେଇଛି। ପୂର୍ବରୁ ବନ୍ୟା ଯୋଗୁଁ ଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ବର୍ତ୍ତମାନ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କେବଳ ୨୦୧୭-୧୮ରେ ଦେଶରେ ୪୫୮ଜଣଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଛି। ପ୍ରତ୍ୟେକ ବର୍ଷ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ପ୍ରାକ୍‍ ବଜ୍ରପାତ ସତର୍କତା ପାଇଁ ସରକାର ଏବେ ଆଧୁନିକ ଜ୍ଞାନକୌଶଳମାନ ଆପଣାଉଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆମେରିକାର ଆର୍ଥ ନେଟୱାର୍କ୍ସ ସହ କରାଯାଇଥିବା ବୁଝାମଣାପତ୍ର ଏହାର ଏକ ଉଦାହରଣ। ଲୋକଙ୍କ ମଧ୍ୟରେ ଏ ନେଇ ସର୍ତକତା ସୃଷ୍ଟି କରାଯାଇପାରିଲେ କେତେକାଂଶରେ ଏହାକୁ ଏଡାଇ ଦିଆଯାଇପାରିବ…।

 

ଗୋଟିଏ ଦିନରେ ୧୯

ଶୁକ୍ରବାର ରାଜ୍ୟରେ ଗୋଟିଏ ଦିନରେ ବଜ୍ରପାତ ଯୋଗୁଁ ୧୯ ଜଣଙ୍କ ଜୀବନ ହାନି ଘଟିଛି। ବାଲେଶ୍ୱରରେ ୬, ମୟୂରଭଞ୍ଜରେ ୫, ବରଗଡ଼ ୨, ସମ୍ବଲପୁର , ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ବହୁ ଲୋକ ଆହାତ ହୋଇଛନ୍ତି

୫ ମାସରେ ଗଲା ୨୮୦ ଜୀବନ

ରାଜ୍ୟରେ ବଢି ବଢି ଚାଲିଥିବା ବଜ୍ରପାତଜନିତ ମୃତ୍ୟୁ ବତ୍ତର୍ମାନ ସରକାରଙ୍କ ଏକ ବଡ ଚିନ୍ତାର ବିଷୟ ପାଲଟିଛି। ଏହାଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ମୃତକଙ୍କ ମଧ୍ୟରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ। ବଜ୍ରପାତ ଯୋଗୁ ଗତବର୍ଷ ରାଜ୍ୟରେ ସବୁଠାରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଏପ୍ରିଲ୍‍ରୁ ଅଗଷ୍ଟ ମାସ ମଧ୍ୟରେ ରାଜ୍ୟରେ ମୋଟ ୨୮୦ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛ। ଏଥରୁ ଗଞ୍ଜାମ ଓ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୩୦ ଜଣଙ୍କର ମୃତ୍ୟୁ ଘଟିଥିଲା। ତଥ୍ୟାନୁଯାୟୀ, କେବଳ ସୁବର୍ଣ୍ଣପୁର ଜିଲାକୁ ବାଦ୍‍ଦେଲେ ଅନ୍ୟ ସମସ୍ତ ଜିଲାରେ ବଜ୍ରପାତରେ ଲୋକଙ୍କ ମୃତ୍ୟୁ ଘଟିଥିଲା।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଜୁନ୍‍ ମାସରେ ସର୍ବାଧିକ ୯୨ଜଣ (୩୨.୮୬%)ଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ଜୁଲାଇରେ ୮୮ ଜଣ, ଅଗଷ୍ଟ ୧୦ ସୁଦ୍ଧା ୨୮ ଜଣ ପ୍ରାଣ ହରାଇଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତକଙ୍କ ମଧ୍ୟରୁ ୧୫ରୁ ୪୫ ବର୍ଷ ମଧ୍ୟରେ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୪୬ରୁ ୬୦ ବର୍ଷ ବର୍ଗରେ ୭୨ ଜଣ ରହିଛନ୍ତି।
ବଜ୍ରପାତ ଯୋଗୁ ବିଭିନ୍ନ ସ୍ଥାନରେ ଲୋକେ ମୃତ୍ୟୁବରଣ କରିଥିବା ବେଳେ କେବଳ ଚାଷ ଜମିରେ କାମ କରୁଥିବା ସମୟରେ ୯୪ ଜଣ ପ୍ରାଣ ହରାଇଛନ୍ତି। ୫୯ ଜଣ ଲୋକ ନିଜ ଘର ପାଖରେ ଏବଂ ୪୦ ଜଣ ଖୋଲା ସ୍ଥାନରେ ଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି। ସେହିପରି ଗଛ ତଳେ ଛିଡ଼ା ହୋଇଥିବାବେଳେ ୩୩ ଜଣ ଓ ୨୩ ଜଣ ରାସ୍ତାରେ ଯାଉଥିବା ସମୟରେ ଏଥିଯୋଗୁ ପ୍ରାଣ ହରାଇଛନ୍ତି।

 

ବର୍ଷକରେ ମୃତ୍ୟୁ ୪୫୮

ଗଳିତ ବର୍ଷ ଗ୍ରୀଷ୍ମରୁ ବର୍ଷା ପର୍ଯ୍ୟନ୍ତ ବଜ୍ରପାତ ଲୋକଙ୍କ ଆଖିରୁ ନିଦ ହଜାଇଦେଇଛି। ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ବଜ୍ରପାତ ଭୟରେ ଆତଙ୍କ ଖେଳିଯାଉଛି। ବଜ୍ରପାତଜନିତ ମୃତ୍ୟୁକୁ ନେଇ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଛି। ସରକାର ଆଗୁଆ ସତର୍କ ସୂଚନା ପ୍ରଦାନର ବ୍ୟବସ୍ଥା କରିଥିଲେ ହେଁ ଏ ପର୍ଯ୍ୟନ୍ତ ବଜ୍ରପାତ ମୁକାବିଲାରେ ଏହା ସଫଳ ହୋଇପାରିନି।
କୌଣସି ନିର୍ଦିଷ୍ଟ ଅଞ୍ଚଳରେ ବଜ୍ରପାତର ୪୫ ମିନିଟ ପୂର୍ବରୁ ସୂଚନା ପ୍ରଦାନର ବ୍ୟବସ୍ଥା କରିବାକୁ ଯୋଜନା ଥିଲେ ହେଁ ବାସ୍ତବରେ ଏହା କାମ କରୁନି। ଓଡ଼ିଶାରେ ଏବେ ବଜ୍ରପାତ ଏକ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଭାବେ ଗଣାଯାଉଛି। ବଜ୍ରପାତରେ ବର୍ଷକୁ ହାରାହାରି ୪୦୦ଲୋକଙ୍କ ମୃତ୍ୟୁ ଘଟୁଛି। ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ତୁଳନାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ। ୨୦୧୭-୧୮ରେ ବଜ୍ରପାତରେ ୪୫୮ଜଣଙ୍କ ମୃତ୍ୟୁ ହୋଇଥିଲା। ପୂର୍ବବର୍ଷ ତୁଳନାରେ ମୃତ୍ୟୁ ହାର ୧୫ ପ୍ରତିଶତ ଅଧିକ ଥିଲା। ୨୦୧୦-୧୧ରୁ ୨୦୧୮ ମସିହା ମେ ୨୩ ପର୍ଯ୍ୟନ୍ତ ବଜ୍ରପାତରେ ୨୯୨୫ଜଣଙ୍କ ମୃତ୍ୟୁ ଘଟିଥିବା ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

 

ଓଡ଼ିଶାରେ ଅଧିକ କାହିଁକି ?

ବାୟୁରେ ଅଧିକ ଜଳୀୟ ଅଂଶ ରହିବା, ଅସନ୍ତୁଳିତ ବାୟୁ, ଉତ୍ତପ୍ତ ବାୟୁ ଉପରକୁ ଉଠିବା ଯୋଗୁ ବଜ୍ରପାତ ହୋଇଥାଏ। ଗତ କିଛି ଦିନ ହେବ ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି। ଜଳୀୟ ଅଂଶ ଅଧିକ ରହୁଛି। ଫଳରେ ଏହା ବଜ୍ରପାତ ସୃଷ୍ଟି କରୁଛି। ଏଥିଯୋଗୁଁ ଓଡ଼ିଶାରେ ଏପ୍ରିଲରୁ ମେ’ ମାସ ମଧ୍ୟରେ ଅଧିକ ବଜ୍ରପାତ ହୋଇଥାଏ। ଡପଲର୍‍ ରାଡାର ଘଡ଼ଘଡ଼ି ବିଜୁଳି ସହ ହେଉଥିବା ଝଡ଼ ସମ୍ପର୍କରେ ଚାରି ପାଞ୍ଚ ଘଣ୍ଟା ଆଗରୁ ସୂଚନା ପ୍ରଦାନ କରିଥାଏ।

 

କାର୍ଯ୍ୟକ୍ଷମ ହେଉଛି ଲାଇଟ୍‍ନିଂ ସେନ୍‍ସର

୨୦୧୭-୧୮ରେ ୪୫୮ ଜଣଙ୍କର ବଜ୍ରପାତଜନିତ ମୃତ୍ୟୁ ଘଟିଛି। ପୂର୍ବ ବର୍ଷ ତୁଳନାରେ ଗତବର୍ଷ ବଜ୍ରପାତଜନିତ ମୃତ୍ୟୁହାର ୧୫% ବଢ଼ିଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ବୈଷୟିକ ଜ୍ଞାନ କୌଶଳର ସହାୟତା ନେଇଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତର ୪୫ ମିନିଟ୍‍ ପୂର୍ବରୁ ଲୋକମାନେ ଏ ସମ୍ପର୍କରେ ସୂଚନା ପାଇପାରିବେ। ଏ ନେଇ ଆମେରିକାର ଆର୍ଥ ନେଟୱାର୍କ୍ସ ନାମକ ଏକ ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ପ୍ରାକ୍‍ ସୂଚନା ବ୍ୟବସ୍ଥା ଆଂଶିକ ଭାବେ କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି। ସଂପୃକ୍ତ ସଂସ୍ଥା ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଓସ୍‍ଡମା) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। କେଉଁ ସ୍ଥାନରେ ବଜ୍ରପାତ ହେବ ସେ ସମ୍ପର୍କରେ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ମୋବାଇଲ ମେସେଜ ଓ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଆଗୁଆ ସୂଚନା ପ୍ରଦାନ କରାଯାଇପାରିବ। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଇଟ୍‍ନିଂ ସେନ୍‍ସର ଲଗାଇବା ବ୍ୟବସ୍ଥା କରିବ। ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଏହି ସଂସ୍ଥାକୁ ବାର୍ଷିକ ୫୦ଲକ୍ଷ ଟଙ୍କା ପ୍ରଦାନ କରିବେ।
ପଦକ୍ଷେପ ଅନୁଯାୟୀ, ରାଜ୍ୟର ସବୁ ଜିଲାରେ ବିଭିନ୍ନ ମନ୍ଦିର, ବାତ୍ୟା ଆଶ୍ରୟସ୍ଥଳୀ ଓ ସୁଉଚ୍ଚ କୋଠାରେ ଲାଇଟ୍‍ନିଂ ସେନ୍‍ସର ଲଗାଯିବ। ଲାଇଟ୍‍ନିଂ ସେନସର ଲଗାଉଥିବା ସଂସ୍ଥା ୫୦ଟିରୁ ଅଧିକ ଦେଶରେ ବଜ୍ରପାତର ପୂର୍ବ ସୂଚନା ପ୍ରଦାନ କରୁଥିବାବେଳେ ଭାରତର ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଏହି ସେବା ପ୍ରଦାନ କରୁଛି। ସେନ୍‍ସର ୧୦୦କିମି ପର୍ଯ୍ୟନ୍ତ ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବ। ସୂଚନା ମିଳିବା ମାତ୍ରେ ଏସଏମଏସ, ରେଡିଓ, ଟେଲିଭିଜନ ଏବଂ ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଅବଗତ କରାଯିବା ନେଇ ଏଥିରେ ବ୍ୟବସ୍ଥା ରହିଛି।

ସମ୍ପ୍ରତି ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫ ଏପ୍ରିଲ ପହିଲାରେ ବଜ୍ରପାତରେ ହେଉଥିବା ମୃତ୍ୟୁକୁ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ଶ୍ରେଣୀଭୁକ୍ତ କରିଛନ୍ତି। ପୂର୍ବରୁ ଏଭଳି ମୃତ୍ୟୁ ପାଇଁ ମୃତକଙ୍କ ପରିବାର କିମ୍ବା ତାଙ୍କର ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ଦେଢ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବାବେଳେ ୨୦୧୫ ଜୁନ୍‍ରେ ରାଜ୍ୟ ସରକାର ଏହାକୁ ୪ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

 

ବଜ୍ରପାତରୁ ରକ୍ଷା ପାଇବାର ଉପାୟ

ଘରେ ଥିଲେ
୧- ଘଡ଼ଘଡ଼ି ସମୟରେ ପାଣି,ବୈଦ୍ୟୁତିକ ଉପକରଣ, କର୍ଡ ଥିବା ଫୋନ୍‍, କଂକ୍ରିଟ ଚଟାଣ ଓ କାନ୍ଥଠାରୁ ଦୂରେଇ ରୁହନ୍ତୁ।
୨- ବଜ୍ରପାତ ସମୟରେ ଘରେ କବାଟ, ଝରକା ବନ୍ଦ ରଖନ୍ତୁ।
୩- ଛାତରେ ବଜ୍ରପାତ ପ୍ରତିରୋଧକ ବ୍ୟବସ୍ଥା ଲଗାନ୍ତୁ।
ବାହାରେ ଥିଲେ
୧- ବାହାରେ ଥିଲେ କୌଣସି ଗାଡ଼ି କିମ୍ବା ଘର ଖୋଜି ଆଶ୍ରୟ ନିଅନ୍ତୁ।
୨- ଯଦି ନିକଟରେ ଏପରି ସୁବିଧା ନାହିଁ, ତା’ହେଲେ ପାଣି କିମ୍ବା ଗଛଠାରୁ ଦୂରେଇ ରୁହନ୍ତୁ।
୩- ହଠାତ୍‍ ବଜ୍ରପାତ ହେଲେ ଆଣ୍ଠୁ ବଙ୍କା କରି ଛାତି ଲଗାଇ ବସି ପଡ଼ନ୍ତୁ।
୫- ଭୁଲରେ ଭୂମି ଉପରେ ଶୋଇବେ ନାହିଁ।
୪- ଖୋଲା ପଡ଼ିଆରେ କେବେ ରୁହନ୍ତୁ ନାହିଁ।
୫- ଯେତେ ତଳୁଆ ହୋଇ ବସିପାରିବେ ସେତେ ଭଲ।
୬- ବିଜୁଳି ମାରୁଥିବାବେଳେ ଗୁମ୍ଫା କିମ୍ବା ପାହାଡର଼ ଶୀର୍ଷ ଦେଶ ବି ବିପଜ୍ଜନକ। ତେଣୁ ସେସବୁ ସ୍ଥାନରେ ଆଶ୍ରୟ ନିଅନ୍ତୁ ନାହିଁ।
୭- କେତେକ କ୍ଷେତ୍ରରେ ତମ୍ବୁ ତଳେ ଏହି ସମୟରେ ରହିବା ବି ବିପଜ୍ଜନକ ହୋଇଥାଏ।

 

ଘଣ୍ଟାକ ପୂର୍ବରୁ ଦିଆଯାଉଛି ସୂଚନା: ବିଷ୍ଣୁପଦ ସେଠୀ, ଏସଆରସି

ବଜ୍ରପାତର ତୀବ୍ରତା ଏବେ ବଢ଼ିଛି। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ଏବେ ବର୍ଷା ସମୟରେ ବଜ୍ରପାତ ପୂର୍ବାପେକ୍ଷା ବଢ଼ିଛି। ଏଥିପାଇଁ ସତର୍କ ସୂଚନା ଜାରି କରାଯାଉଛି। ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ନିର୍ଦିଷ୍ଟ ଅଞ୍ଚଳରେ ବଜ୍ରପାତ ଘଟିବାର ଘଣ୍ଟାକ ପୂର୍ବରୁ ସୂଚନା ପ୍ରଦାନ କରାଯାଉଛି। ସ୍ମାର୍ଟଫୋନ ଜରିଆରେ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି। ଟିଭି, ଖବରକାଗଜରେ ସତର୍କ ସୂଚନା ଜାରି କରାଯାଉଛି। ତେବେ ଯେଉଁମାନେ ସ୍ମାର୍ଟ ଫୋନ ବ୍ୟବହାର କରୁ ନାହାନ୍ତି ସେମାନଙ୍କୁ ଏସଏମଏସ ଜରିଆରେ ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ କରାଯିବାର ବ୍ୟବସ୍ଥା ହେଉଛି। ବଜ୍ରପାତ ସମୟରେ ଲୋକମାନେ ନିରାପଦ ସ୍ଥାନରେ ରହିବା ଆବଶ୍ୟକ। ଏଥିପାଇଁ ଆମ ତରଫରୁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ବ୍ୟବସ୍ଥା ହେଉଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ସଚେତନ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଉପକୂଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ବଜ୍ରପାତ ନିରୋଧୀ ବ୍ୟବସ୍ଥା କରାଯାଉଛି। ତେବେ ବର୍ତ୍ତମାନ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିଲେ ହେଁ ସବୁ ଲୋକଙ୍କ ପାଖରେ ଏହା ପହଞ୍ଚିପାରୁନି। ଏହାକୁ ଅଧିକ ସକ୍ରିୟ କରାଯିବା ପାଇଁ ଲକ୍ଷ୍ୟ ରହିଛି। ଗରିବ ଚାଷୀ, ଧୀବର ଓ ଗ୍ରାମାଞ୍ଚଳର ଲୋକମାନେ ବର୍ଷା ଓ ଘଡ଼ଘଡ଼ିି ସମୟରେ ପଦାକୁ ଯେପରି ନବାହାରିବେ ସେଥିପ୍ରତି ସତର୍କ ରହିବାକୁ ଆମେ ପରାମର୍ଶ ଦେଉଛୁ। ଏଣିକି ଲୋକ ଗହଳି ସ୍ଥାନରେ ବଜ୍ରପାତ ସତର୍କ ସୂଚନା କାର୍ଯ୍ୟକାରୀ କରାଯିବାର ବନ୍ଦୋବସ୍ତ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ପୁରୀରେ ଜନସମାଗମ ସ୍ଥାନରେ ଏହା କାର୍ଯ୍ୟକାରୀ କରାଯିବ। ବଜ୍ରପାତରୁ କିପରି ସୁରକ୍ଷା ମିଳିବ ସେଥିନେଇ ସଚେତନତା ଅଭିଯାନ ସହିତ ନୂଆ କୌଶଳ ଆପଣାଇବାକୁ ଉଦ୍ୟମ ଚାଲିଛି।

ଏଚ.ଆର୍‍ ବିଶ୍ୱାସ, ନିର୍ଦେଶକ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

କ୍ୟୁମୋଲୋନିମ୍ବସ୍‍ କ୍ଳାଉଡ୍‍ ସୃଷ୍ଟି ହେଲେ ବଜ୍ରପାତ ଅଧିକ ହୋଇଥାଏ। କେବଳ ଓଡ଼ିଶା ନୁହେଁ, ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଝଡ଼ବର୍ଷା ପ୍ରବଣ ଅଞ୍ଚଳ। ବିଜୁଳି ଓ ଘଡ଼ଘଡ଼ି ସହ ଝଡ଼ବର୍ଷା ଯୋଗୁଁ ଅଧିକ ବଜ୍ରପାତ ଘଟିଥାଏ।

 

ଶରତ ସାହୁ, ସୋଆ ବିଶ୍ୱବିଦ୍ୟାଳୟ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦେଶକ

ଉତ୍ତର ଓଡ଼ିଶାରେ ଆଜି ବାୟୁମଣ୍ଡଳରେ ଜଳୀୟ ଅଂଶ ଅଧିକ ରହିଥିବାବେଳେ ବାୟୁରେ ଅସନ୍ତୁଳନ ଦେଖା ଦେଇଥିଲା, ଯାହାକି ପୃଥିବୀର ବିକୀରଣ ଉପର ସ୍ତରକୁ ଯିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏହା କ୍ୟୁମୋଲୋନିମ୍ବସ୍‍ କ୍ଳାଉଡ୍‍ ବା ମେଘ ସୃଷ୍ଟି କରିଥିଲା। ଏହା ସହିତ ଲଘୁଚାପ ଓ ଘୂର୍ଣ୍ଣିବଳୟ ଖଣ୍ଡ ଖଣ୍ଡ ବାଦଲକୁ ବଜ୍ରପାତ ଘଟାଇବାରେ ସହାୟକ ହୋଇଥିଲା। ଖରା ସମୟରେ ରହୁଥିବା ଖଣ୍ଡ ଖଣ୍ଡ କଳା ବାଦଲ ଅଧିକ ବିପଜ୍ଜନକ ହୋଇଥାଏ। ଏଥିଯୋଗୁଁ ବିଜୁଳି ଓ ଘଡ଼ଘଡ଼ି ସମ୍ଭାବନା ଅଧିକ ରହିଥାଏ। ଯେତେବେଳେ ବିଜୁଳି ମାରେ ସେତେବେଳେ ଏହା ଏକ ଲକ୍ଷ ଆମ୍ପିୟର କରେଣ୍ଟ ସୃଷ୍ଟି କରିଥାଏ ଯାହାକି ଖୋଲା ଆକାଶ ତଳେ ରହୁଥିବା ଚାଷୀମାନଙ୍କ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ। ବିଜୁଳି କେଇ ମିନିଟ ବା ସେକେଣ୍ଡ ପାଇଁ ମାରିଥାଏ। ଯଦି ଚାଷୀମାନେ ଏହି ସମୟରେ ସେମାନଙ୍କ ପାଦ ଆଙ୍ଗୁଠିରେ ଆଣ୍ଠୁ ଭାଙ୍ଗି ମୁଣ୍ଡ ତଳକୁ କରି ବସି ପଡ଼ନ୍ତି ତାହା ହେଲେ ବଜ୍ରପାତର ଶିକାର ହୁଅନ୍ତେ ନାହିଁ। ଖରା ଦିନ ଅପେକ୍ଷା ବର୍ଷା ଦିନରେ ମାଟି ଓଦା ରହୁଥିବାରୁ ଓ ବିଲବାଡ଼ିର ଭୂଇଁ ଓଦା ଥିବାରୁ ସେଠାରେ ବଜ୍ରପାତ ଆଶଙ୍କା ଅଧିକ ରହିଥାଏ।

କୋଠାରେ ବିଜୁଳି ପ୍ରତିରୋଧୀ କଣ୍ଡକ୍ଟର ସହିତ ନଡ଼ିଆ, ତାଳ ଗଛ ରୋପଣ କରିବା ଉଚିତ: ସୁରେନ୍ଦ୍ରନାଥ ପଶୁପାଳକ

ବାୟୁମଣ୍ଡଳରେ ତାପମାତ୍ରା ଅଧିକ ରହିଲେ ବଜ୍ରପାତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ। ବର୍ଷା ଋତୁରେ ବର୍ଷା ପରେ ଖରା ହେଲେ ଖୁବ୍‍ଶୀଘ୍ର ଆର୍ଦ୍ର ବାୟୁ ଉପରକୁ ଯାଇ ମେଘ ସୃଷ୍ଟି କରେ। ଏହି ସମୟରେ ବାଦଲରୁ ବିଦ୍ୟୁତ କଣିକା ଭୂପୃଷ୍ଠକୁ ଆସିଥାଏ।
ବଜ୍ରପାତରୁ ରକ୍ଷା ପାଇବା ପାଇଁ ନଡ଼ିଆ ଗଛ, ତାଳ ଗଛ ରୋପଣ କରିବା ଦରକାର। କୋଠା ଘର ଉପରେ ଲାଇଟ୍‍ନିଂ କଣ୍ଡକ୍ଟର ଲଗାଯିବା ଉଚିତ। ଗଛ ତଳେ ଆଶ୍ରୟ ନେବା ଅନୁଚିତ। ହାତରେ ଅନ୍ୟ କୌଣସି ଧାତବ ଜିନିଷ ନେବା ଅନୁଚିତ।

Leave A Reply