ଶ୍ରୀଲଙ୍କା ପାର୍ଲାମେଣ୍ଟରେ ହଟ୍ଟଗୋଳ ଜାରି

0

କଲମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। ଗୁରୁବାର ପରି ଶୁକ୍ରବାର ମଧ୍ୟ ପାର୍ଲାମେଣ୍ଟରେ ହଟ୍ଟଗୋଳ ଲାଗିରହିଛି। ନବନିଯୁକ୍ତ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକମାନେ ବାଚସ୍ପତିଙ୍କୁ ଘେରିଯାଇ ହୋହଲ୍ଲା କରିବା ସହ ବାଚସ୍ପତିଙ୍କ ଆସନକୁ ଅଧିକାର କରିନେବା ଦ୍ୱାରା ଗୃହ ଚଳାଇବା ସମ୍ଭବ ହୋଇନଥିଲା; ଫଳରେ ବାଚସ୍ପତି କାରୁ ଜୟସୂର୍ଯ୍ୟା ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଗଣ୍ଡଗୋଳ ଯୋଗୁଁ କେତେଜଣ ସାଂସଦ ଆହତ ହୋଇଥିବା ଜଣାପଡ଼ିଛି। କିଛି ସାଂସଦ ପୁଲିସକୁ ମଧ୍ୟ ଆକ୍ରମଣ କରିଥିଲାବେଳେ ଦୁଇଜଣ ସାଂସଦ ପାର୍ଲାମେଣ୍ଟରେ ଛୁରି ଧରି ବୁଲୁଥିବା ମଧ୍ୟ ଲକ୍ଷ୍ୟକରାଯାଇଛି। ଏଭଳି ପରିସ୍ଥିତିରେ ପାର୍ଲାମେଣ୍ଟକୁ କୌଣସି ପରିସ୍ଥିତିରେ ପ୍ରୋରୋଗ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ମୈତ୍ରିପାଲ ଶିରୀସେନା କହିଛନ୍ତି। ଅପରପକ୍ଷରେ ପାର୍ଲାମେଣ୍ଟରେ ପୁନର୍ବାର ଶକ୍ତି ପରୀକ୍ଷା ପାଇଁ ଶୁକ୍ରବାର ପ୍ରସ୍ତାବ ଆଗତ ହୋଇଛି। ରାଷ୍ଟ୍ରପତି ଶିରୀସେନା ବହିଷ୍କୃତ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କ ଦଳ ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ପ୍ରକାଶ। ବୁଧବାର ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଅନୁଷ୍ଠିତ ମୌଖିକ ଭୋଟରେ ରାଜପକ୍ଷେ ପରାଜିତ ହୋଇଥିଲେ। ମୋଟ ୨୨୫ ସଦସ୍ୟଙ୍କ ମଧ୍ୟରୁ ବିକ୍ରମସିଙ୍ଘେଙ୍କ ପକ୍ଷରେ ଏବେ ୧୨୨ଜଣଙ୍କ ସମର୍ଥନ ଥିବା ଜଣାପଡ଼ିଛି।

Leave A Reply