୩୦ପର୍ଯ୍ୟନ୍ତ ଜାରି ରହିବ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

କଟକ : ପୁଲିସ-ଆଇନଜୀବୀ  ବିବାଦ ନେଇ କଟକରେ ଆଇନଜୀବୀ ମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।  ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକରେ ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ୩୦ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଚେତାବନୀ ତଥା ଡେଡଲାଇନ ଦିଆଯାଇଛି । ତେବେ ବିବାଦର ଅନ୍ତ ନହେଲେ ବାର ଆସୋସିଏସନ୍‌ ପକ୍ଷରୁ ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବାକୁ ସ୍ଥିର ହୋଇଛି । ଏକ ସମୟରେ ସମସ୍ତ ବାରରେ କୁଶପୁତଳିକା ଦାହ କରିବାକୁ ବୈଠକରେ କୁହାଯାଇଛି।ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ହାଇକୋର୍ଟ ବାର ଆସୋସିଏସନ୍‌ ଦାବି କରିଛି ।  ଘଟଣାକୁ ପ୍ରାୟ ଦୁଇ ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରି ନଥିବାରୁ ବାର ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ଅନ୍ୟପକ୍ଷରେ ପ୍ରାୟ ଦୁଇ ମାସ ହେବ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଅଚଳ ହୋଇ ପଡ଼ିଛି। ବିଭିନ୍ନ ଜେଲରେ କଏଦୀ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କାହାକୁ ଜାମିନ ମିଳିପାରୁ ନାହିଁ।

Leave A Reply