୫ଲକ୍ଷ ଜମିହୀନ ଶ୍ରମିକଙ୍କୁ ମିଳିବ ‘କାଳିଆ’ ସହାୟତା

0

ଭୁବନେଶ୍ୱର : ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ନିକଟରେ ୧୨ଲକ୍ଷ ୪୫ହଜାର ଚାଷୀଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏଁ ଦେଇଥିବାବେଳେ ଆସନ୍ତା ସପ୍ତାହରେ ୫ଲକ୍ଷ ଜମିହୀନ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରିବେ। ଯେଉଁ ଶ୍ରମିକଙ୍କ ଜମିନାହିଁ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଅର୍ଥବିଭାର ଜନୈକ ବରିଷ୍ଠ ପଦାଧିକାରୀ କହିଛନ୍ତି।
ସୂଚନା ଅନୁଯାୟୀ କାଳିଆ ଯୋଜନାରେ ପ୍ରଥମ ଦଫାରେ ୭୬୨କୋଟି ଟଙ୍କା ବଣ୍ଟା ହୋଇଥିବାବେଳେ ଦ୍ବିତୀୟ କିସ୍ତିରେ ୬୬୨କୋଟି ଟଙ୍କା ବଣ୍ଟନ ପାଇଁ ଲକ୍ଷ୍ୟ ରହିଛି। ଏହାବାଦ୍ ରାଜ୍ୟ ସରକାରଙ୍କ ବଜେଟରେ ଚାଷୀଙ୍କ କଲ୍ୟାଣ ପାଇଁ ଥିବା ୨୫୦କୋଟି ଟଙ୍କା ମଧ୍ୟ ବଣ୍ଟନ କରାଯିବ। ହେଲେ ଆସନ୍ତା ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ ଲାଗି ସରକାର ପ୍ରାୟ ୪ହଜାରରୁ ୫୦୦୦କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଦିନକୁ ଦିନ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଅଧିକ ଗ୍ରହଣୀୟ ହେଉଥିବାରୁ ଏହାକୁ ନେଇ ସରକାର ଅଧିକ ଉତ୍ସାହିତ ଅଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ଜଣ ଚାଷୀଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
ଇତିମଧ୍ୟରେ ୧୨ଲକ୍ଷ ୨୨ହଜାର ୯୧୪ଜଣ ଚାଷୀ ଉପକୃତ ହୋଇଛନ୍ତି। ଅବଶିଷ୍ଟ ୨୨ହଜାର ୫୭୬ ଚାଷୀଙ୍କ ଆକାଉଣ୍ଟ ଠିକଣା ଭାବେ ଚାଲୁ ନଥିବାରୁ ତାହା ସରକାରୀ ଖାତାକୁ ଫେରି ଆସିଛି। ୫୭୬୧୪ଜଣ ଭାଗଚାଷୀଙ୍କୁ ସରକାର କାଳିଆ ଯୋଜନାରେ ସାମିଲ କରିବା ଲକ୍ଷ୍ୟ ନେଇ ଟଙ୍କା ପ୍ରଦାନ କରିଥିଲେ। ହେଲେ ସେଥିମଧ୍ୟରୁ ୧୬୩୮ଜଣ ଚାଷୀଙ୍କ ଆକାଉଣ୍ଟ ତଥ୍ୟ ଠିକ୍ ନଥିବାରୁ ଟଙ୍କା ରାଜକୋଷକୁ ଫେରି ଆସିଛି। ଅନ୍ୟପକ୍ଷରେ ଜାନୁଆରୀ ୯ରେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍ କେ ସିଂହ କାଳିଆ ଯୋଜନାକୁ ନେଇ ଉଚ୍ଚ ପ୍ରଶଂସା କରିଥିବାବେଳେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ସହିତ ବହୁ ଅର୍ଥନୀତି ବିଶାରଦ ଏହାର ଉପାଦେୟତାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ବଜେଟ-୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କାଳିଆ ଭଳି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୬ହଜାର ଟଙ୍କା ଦେବାପାଇଁ ବ୍ୟବସ୍ଥା ହୋଇଛି। କେନ୍ଦ୍ର ସରକାରଙ୍କ ଏହି ବଜେଟରେ ନବୀନଙ୍କ କାଳିଆ ନୀତିକୁ ସମର୍ଥନ ଥିବା ସ୍ପଷ୍ଟ ଜଣାପଡୁଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Leave A Reply