ହଟିଲା ଅଚଳାବସ୍ଥା

0

ଭୁବନେଶ୍ୱର  : ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ମହାପ୍ରଭୁ ଦୁଇ ଦିନ ହେଲା ଉପାସରେ ଥିବାବେଳେ ବିଧାନସଭାରେ ଅଚଳାବସ୍ଥା ଲାଗିରହିଥିଲା। ହଟ୍ଟଗୋଳ ପାଇଁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା। ବୁଧବାର ପ୍ରଶ୍ନକାଳ, ଶୂନ୍ୟକାଳ ଅଚଳ ହେବା ପରେ ବାଚସ୍ପତି ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସର୍ବଦଳୀୟ ବୈଠକ ଡାକିଲେ। ଏଥିପାଇଁ ପାଞ୍ଚଟି ପର୍ଯ୍ୟାୟରେ ଗୃହକୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡ଼ିଥିଲା। ବୈଠକର ନିଷ୍ପତ୍ତି କ୍ରମେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗୃହରେ ପାଞ୍ଚଟାବେଳେ ବିବୃତି ରଖିବା ପରେ ପରେ ଗୃହ ଶାନ୍ତ ପଡ଼ିଥିଲା।
ବୁଧବାର ପ୍ରଶ୍ନ କାଳର ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହମଧ୍ୟଭାଗକୁ ଆସି ହୋ ହଲ୍ଲା କରିବା ସହିତ ଶ୍ରୀମନ୍ଦିର ନୀତି ବିଭ୍ରାଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହିଥିଲେ ଜଗନ୍ନାଥ ଦୁଇ ଦିନ ହେଲା ଉପାସ ଅଛନ୍ତି। ସରକାର ନିରବ ରହିଛନ୍ତି। ତାରାଙ୍କ ସହିତ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି, ଭୁଜବଳ ମାଝି ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ହୋ ହଲ୍ଲା କରିଥିଲେ। ବିଜେପି ସଭ୍ୟମାନେ ଏହି ସମୟରେ ଗୃହକୁ ପ୍ରବେଶ କରି ହଟ୍ଟଗୋଳ କରିବାକୁ ଯିବାବେଳେ ବାଚସ୍ପତି ତତ୍କାଳ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗୃହ ବାହାରେ ବିରୋଧୀ ଦଳ ନେତା ସାମ୍ବାଦିକମାନଙ୍କୁ କହିଥିଲେ ଯେ ଓଡ଼ିଶାରେ ପ୍ରଶାସନକୁ ପକ୍ଷାଘାତ ହୋଇଛି। ଶ୍ରୀମନ୍ଦିରରେ ଦେଖାଦେଇଥିବା ନୀତିବିଭ୍ରାଟ ଜଟିଳ ସ୍ଥିତିକୁ ଯାଉଥିବାବେଳେ ସରକାର ସମାଧାନର ପନ୍ଥା ବାହାର କରିପାରୁ ନାହାନ୍ତି। ଗତକାଲି ସର୍ବଦଳୀୟ ବୈଠକ ଡାକି ସମାଧାନର ବାଟ ବାହାର କରିବାକୁ ସେ ଗୃହରେ ପ୍ରସ୍ତାବ ରଖିଥିଲେ; କିନ୍ତୁ ବିରୋଧୀ ଦଳ କଥାକୁ ବାଚସ୍ପତି ଶୁଣିଲେ ନାହିଁ। ଏହା ନିନ୍ଦାର ବିଷୟ।
ସାଢ଼େ ୧୧ଟାରେ ବି ଗୃହରେ ଅସ୍ୱାଭାବିକ ପରିସ୍ଥିତି ଲାଗିରହିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବିଜେପି ବିଧାୟକ ଦଳ ନେତା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମୁଖଙ୍କୁ ତାଙ୍କ ଚାମ୍ବରକୁ ଆମନ୍ତ୍ରଣ କରିଥିଲେ। ଏଥିପାଇଁ ୧୨ଟା ୫୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ସର୍ବଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତିରେ ବିଳମ୍ବ ସମ୍ପର୍କରେ ସରକାର ଅପରାହ୍ନ ୪ଟାରେ ବିବୃତି ରଖିବେ ବୋଲି ଘୋଷଣା କରିବା ସହିତ ସେ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ; ହେଲେ ଗୃହରେ ମୁଖ୍ୟମନ୍ତ୍ରୀ କିମ୍ବା ଆଇନ ମନ୍ତ୍ରୀ ବିବୃତି ରଖିବାକୁ ବିରୋଧୀ ଦାବି କରିଥିଲେ। ଅପରାହ୍ନ ୪ଟା ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ନମିଳିବାରୁ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏଥିନେଇ ବାଚସ୍ପତିଙ୍କଠାରୁ ଜାଣିବାକୁ ଚାହିଁଥିଲେ। ବାଚସ୍ପତି କହିଥିଲେ ଅନିବାର୍ଯ୍ୟ କାରଣରୁ ମନ୍ତ୍ରୀ ପହଞ୍ଚିପାରି ନାହାନ୍ତି। ଏଥିପାଇଁ ସେ ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଠାକୁର ଉପବାସ ନଥିଲେ, ନୀତି ବିଳମ୍ବ ହୋଇଥିଲା: ମନ୍ତ୍ରୀ

ଠାକୁର ସମ୍ପୂର୍ଣ୍ଣ ଉପବାସରେ ରହି ନଥିଲେ, ନୀତିରେ କିଛି ବିଳମ୍ବ ହୋଇଥିଲା। ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଦୁଇଦିନ ଧରି ବିଧାନସଭାରେ ଅଚଳାବସ୍ଥା ଦେଖାଦେବା ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗୃହକୁ ଏଭଳି ଆଶ୍ୱସ୍ତ କରିଛନ୍ତି। ମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ୨୦୧୬ ଜାନୁଆରୀ ୨୭ରୁ ମରାମତି ପାଇଁ ଜଗମୋହନ ବନ୍ଦ ଥିଲା। ହାଇକୋର୍ଟଙ୍କ ଆଦେଶ ଅନୁସାରେ ୨୦୧୮ ଏପ୍ରିଲ ୧୬ରେ ଖୋଲିଲା। ଦୀର୍ଘ ଦିନ ପରେ ଖୋଲିବାରୁ ସେଦିନର ନୀତିରେ ବିଳମ୍ବ ହୋଇଥିଲା। ପରିସ୍ଥିତିର ଗୁରୁତ୍ୱକୁ ଦେଖି ମନ୍ଦିର ପ୍ରଶାସନର ଅଧିକାରୀ, ପୁରୀ ଜିଲାପାଳ ଓ ଏସପି ମନ୍ଦିର ସେବକଙ୍କୁ ବୁଝାସୁଝା କରି ଉପୁଜିଥିବା ସମସ୍ୟାର ସମାଧାନ ସହ ଠାକୁରଙ୍କ ନୀତିକାନ୍ତି ତ୍ୱରାନ୍ୱିତ କରିଥିଲେ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଓ ସେବକଙ୍କ ମଧ୍ୟରେ ବୁଝାମଣା ରହିନାହିଁ ବୋଲି କେତେକ ସମ୍ବାଦପତ୍ରରେ ପ୍ରକାଶ ପାଇଥିବା ତଥ୍ୟ ସତ୍ୟ ଉପରେ ଆଧାରିତ ନୁହେଁ। ଶ୍ରୀ ଜୀଉଙ୍କ ଗୋପାଳବଲ୍ଳଭ ଭୋଗ ଓ ସକାଳ ଧୂପ ଭୋଗ ଗତ ୧୬ତାରିଖରେ ଯଥାରୀତି ହୋଇଥିଲା ଏବଂ ମହାପ୍ରଭୁ ଉପବାସ ରହିଥିବା ଖବର ଅମୂଳକ ଅଟେ। ଏହାଛଡ଼ା ୧୬ରେ ଅମାବାସ୍ୟା ପଡ଼ୁଥିବାରୁ ଶ୍ରୀ ଜୀଉଙ୍କ କେତେକ ସ୍ୱତନ୍ତ୍ର ନୀତି ସମ୍ପାଦନର ଆବଶ୍ୟକତା ଥିବାରୁ ମୁଖ୍ୟ ପ୍ରଶାସକ ସମସ୍ତ ନୀତିକାନ୍ତିର ସୁପରିଚାଳନା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲେ।
ସେହିପରି ୧୭ତାରିଖରେ ସବୁଦିନ ଭଳି ନୀତିକାନ୍ତି ଯଥା ସମୟରେ ସମ୍ପୂର୍ଣ୍ଣ ହୋଇଥିଲା। ମାତ୍ର ପୂର୍ବ ଦିନର ନୀତି ବିଳମ୍ବ ଦୃଷ୍ଟିରୁ ରୋଷଘରେ ଅମୁଣିଆ ଖାଦ୍ୟ ପଡ଼ିରହିଥିବାରୁ ସେଥିପାଇଁ ବିଧି ଅନୁସାରେ ରୋଷ ହୋମ ପୂର୍ବରୁ ରୋଷଘର ସଫା ଓ ଧୁଆଧୋଇ କରି ଚୂନ ପାଣି ପକାଇବା ଆବଶ୍ୟକ ହୋଇଥିଲା। ପ୍ରାୟ ୭/୮ଟ୍ରକ ପରିମାଣର ଅମୁଣିହା ଖାଦ୍ୟଦ୍ରବ୍ୟ ସଫା କରିବା ପାଇଁ ଶତାଧିକ ଲୋକ ଲାଗିଥିଲେ। ଫଳରେ ରାତି ପ୍ରାୟ ୧୦ଟା ୫୦ରେ ରୋଷ ହୋମ ହୋଇଥିଲା ଓ ତଦନୁସାରେ ପରବର୍ତ୍ତୀ ନୀତି ସମ୍ପୂର୍ଣ୍ଣ ହୋଇଥିଲା।
ମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଶ୍ରୀଜୀଉଙ୍କର ସମସ୍ତ ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇ ଚନ୍ଦନ ଯାତ୍ରା ପାଇଁ ଅନ୍ୟାନ୍ୟ ନୀତି ଚାଲିଛି। ସୂପକାରଙ୍କ ଅସହଯୋଗ କାରଣରୁ ଶ୍ରୀଜୀଉଙ୍କର ଭୋଗମଣ୍ଡପରେ ଭୋଗପୂଜା ହୋଇପାରି ନଥିବା ଓ ବିକ୍ରୟ ଓ ବରାଦି ଭୋଗ ବାହାରିପାରି ନଥିବା କଥାକୁ ମନ୍ତ୍ରୀ ସ୍ୱୀକାର କରିବା ସହିତ ଏ ସଂକ୍ରାନ୍ତରେ ମନ୍ଦିର ମୁଖ୍ୟ ପ୍ରଶାସକ, ସେବକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ଓ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ।
ସରକାର ସମସ୍ତ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ଆବଶ୍ୟକ ନିର୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

ଧର୍ମ ସହିବ ନାହିଁ: ଦାମ

ଶ୍ରୀଜଗନ୍ନାଥଙ୍କ ନୀତି ବିଭ୍ରାଟ ନେଇ ରାଜନୀତି କରୁଥିବା ଲୋକଙ୍କୁ ଧର୍ମ ସହିବ ନାହିଁ। ବିଧାନସଭା ବାହାରେ ଏକଥା କହିଛନ୍ତି ବିଜେଡ଼ିର ବରିଷ୍ଠ ନେତା ଦାମୋଦର ରାଉତ। ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ଦେଖାଦେଇଥିବା ଅଚଳାବସ୍ଥା ସମ୍ପର୍କରେ ସାମ୍ବାଦିକମାନେ ଆଜି ଶ୍ରୀ ରାଉତଙ୍କ ପ୍ରତିକ୍ରିୟା ନେବାକୁ ଚାହିଁବାରୁ ସେ କହିଥିଲେ ଯେ ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତା। ତାଙ୍କର ସେବା ବ୍ୟାହତ ହେବା ଦୁର୍ଭାଗ୍ୟଜନକ। ଏହାକୁ ରାଜନୀତି ପେଣ୍ଡାଲରେ ଥୋଇବା ସମୀଚୀନ ନୁହେଁ। ଯିଏ ଏହାକୁ ନେଇ ରାଜନୀତି କରୁଛନ୍ତି ତାଙ୍କୁ ଧର୍ମ ସହିବ ନାହିଁ। ଗଜପତି ଓ ଶଙ୍କରାଚାର୍ଯ୍ୟ ଏଥିରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ। ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ଠିକ ହେଉନି ବୋଲି ସେ ମତ ରଖିଥିଲେ। ସେବାୟତ ଜଗନ୍ନାଥଙ୍କୁ ଭାଇ ବୋଲି କହୁଛନ୍ତି, ଭାଇଙ୍କୁ ଉପାସ ରଖିବା କ’ଣ ଠିକ? ବୋଲି ସେ ପ୍ରଶ୍ନ କରିଥିଲେ। ସେବାୟତ ଭତ୍ତା ଦାବି କରିବା ପ୍ରସଙ୍ଗ ଉପରେ ସେ କହିଥିଲେ ଯେ ସେମାନେ ସରକାରୀ କର୍ମଚାରୀ ନୁହନ୍ତି।
ଗୃହ ଅଚଳ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଦାମ କହିଥିଲେ ଯେ କାମ ଅନୁସାରେ ଭତ୍ତା ମିଳିବା ଉଚିତ। ଯେତିକି ସମୟ ଗୃହ ଚାଲୁଛି ସେଇ ଅନୁସାରେ ଭତ୍ତା ମିଳୁ। କମ୍‍ କାମ କରି ପୂରା ଭତ୍ତା ନେବା ବନ୍ଦ ହେଉ।

Leave A Reply