ବିଶ୍ୱସ୍ତରୀୟ ଉତ୍ସବ ପାଳନ ପାଇଁ କେନ୍ଦ୍ରର ଯୋଜନା

0

ନୂଆଦିଲ୍ଲୀ : ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ବିଶ୍ୱସ୍ତରରେ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏ ନେଇ ବୁଧବାର ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ମାନବଜାତି ପାଇଁ ଭାରତର ସର୍ବୋତ୍ତମ ଉପହାର। ଅହିଂସା, ଏକତା ଏବଂ ଗଣତନ୍ତ୍ରର ସ୍ୱାଧୀନତା ଦିଗରେ ସେ ସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବେ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିଲେ। ଜାତିସଙ୍ଘ ସମେତ ଅନ୍ୟ ବିଶ୍ୱସ୍ତରୀୟ ସଂସ୍ଥା ତଥା ସଂଗଠନ ମାଧ୍ୟମରେ ଗାନ୍ଧିଙ୍କ ୧୫୦ତମ ଜନ୍ମଜୟନ୍ତୀ ସମାରୋହ ଆୟୋଜନ କରାଯିବା ଉଚିତ ବୋଲି ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ଦର୍ଶାଇଛନ୍ତି। ଏଥିନେଇ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମର ପ୍ରସ୍ତୁତି ତଦାରଖ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ କ୍ଷୁଦ୍ର କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ଏହି ଉତ୍ସବ ୨୦୧୮ ଅକ୍ଟୋବର ୨ରୁ ଆରମ୍ଭ କରି ୨୦୨୦ ଅକ୍ଟୋବର ୨ ପର୍ଯ୍ୟନ୍ତ ପାଳନ କରିବାକୁ ବୈଠକରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ କମିଟି ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ଏହି ସମୟ ମଧ୍ୟରେ ଜନ କଲ୍ୟାଣ, କୃଷକଙ୍କୁ ସହଯୋଗ ଏବଂ ମହାତ୍ମା ଗାନ୍ଧିଙ୍କ ସ୍ମୃତି ସହିତ ଜଡିତ ରାଜ୍ୟ ତଥା ସ୍ଥାନଗୁଡିକ ମଧ୍ୟରେ ଭ୍ରାମ୍ୟମାଣ ପ୍ରଦର୍ଶନୀ ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

Leave A Reply