ବଡ଼ମ୍ବା-ନରସିଂହପୁରରେ ବ୍ୟାପୁଛି କିଡ୍‍ନୀ ରୋଗ

0

ଭୁବନେଶ୍ୱର : କଟକ ଜିଲା ବଡମ୍ବା ଓ ନରସିଂହପୁର ବ୍ଲକ୍‍ରେ କିଡ୍‍ନୀ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ପ୍ରତିକାର ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ସେଠାରେ ଖୁବ୍‍ଶୀଘ୍ର ଡାଏଲିସିସ୍‍ ୟୁନିଟ୍‍ ଏବଂ ଆନାଲାଇଜର ମେସିନ୍‍ କାର୍ଯ୍ୟକ୍ଷମ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ବଡ଼ମ୍ବା ଏବଂ ନରସିଂହପୁର ଅଞ୍ଚଳରେ କିଡ୍‍ନୀ ରୋଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୦୬ରୁ ଏ ପର୍ଯ୍ୟନ୍ତ ନରସିଂହପୁର ବ୍ଲକ୍‍ରେ ୮୪୧ ଏବଂ ବଡମ୍ବା ବ୍ଲକ୍‍ରେ ୩୩୫ ଜଣ କିଡ୍‍ନୀ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହି ଦୁଇ ବ୍ଲକ୍‍ରେ ଗ୍ରାମୱାରୀ ସର୍ଭେ କରାଯାଇ ପ୍ରଶାସନ ତରଫରୁ ଆକ୍ରାନ୍ତଙ୍କୁ ଚିହ୍ନଟ କାର୍ଡ ପ୍ରଦାନ କରାଯାଇଛି। ଏଥିସହ ରୋଗୀଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି। ତେବେ ପ୍ରତିବର୍ଷ ଏହି ଦୁଇ ବ୍ଲକ୍‍ରେ ନୂଆନୂଆ କିଡ୍‍ନୀ ରୋଗୀ ଚିହ୍ନଟ ହେବା ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଇତିମଧ୍ୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ତରଫରୁ ନରସିଂହପୁର ସିଏସ୍‍ସି ନିମନ୍ତେ ୩ ଡାଏଲିସିସ୍‍ ମେସିନ ଲାଗିଥିବାବେଳେ ଖୁବ୍‍ଶୀଘ୍ର ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଏଥିସହ ଆନାଲାଇଜର ମେସିନ୍‍ ବ୍ୟବସ୍ଥା କରାଯିବ। ତେବେ ଏହି ବ୍ଲକ୍‍ରେ କିଡ୍‍ନୀ ରୋଗ ବ୍ୟାପିବା ପଛରେ ନିର୍ଦିଷ୍ଟ କେଉଁ କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ଏବଂ ଏଥିପାଇଁ ଗବେଷଣା ଜାରିରହିଛି। ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ଡାକ୍ତର ଏବଂ ପାରାମେଡିକଙ୍କ ତାଲିମ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ଉକ୍ତ ଦୁଇ ବ୍ଲକ୍‍ର ୨୭୫ ଜଣ ଗୁରୁତର ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର , ରାଜ୍ୟ ମେଡିକାଲ ନିଗମ ଏମ୍‍ଡି ଅର୍ଚ୍ଚନା ପଟ୍ଟନାୟକ, କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‍ସିବିର ପ୍ରଫେସର ସି.ଆର୍‍.କର, ପ୍ରଫେସର ସି.ଆର୍‍ ରାଉତ, ଆର୍‍ଏମ୍‍ଆର୍‍ସି ନିର୍ଦେଶିକା ସଂଘମିତ୍ରା ପତି, ସ୍ୱାସ୍ଥ୍ୟସେବା ନିର୍ଦେଶକ ଏବଂ କଟକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply