କେରଳ ବନ୍ୟା ଦୁର୍ଗତଙ୍କ କାହାଣୀ; କବରସ୍ଥାନରେ ସପ୍ତାହେ!

0

ଆଲାପ୍ପୁଝା : ବିପଦ ସମୟରେ ଶବ ବି ଆଶ୍ରା- ଏଭଳି ଆପ୍ତବାକ୍ୟ ସତ୍ୟ ପ୍ରମାଣିତ ହୋଇଛି କେରଳ ବନ୍ୟାରେ। ଆଲାପ୍ପୁଝା ଜିଲା ଅନ୍ତର୍ଗତ କୈନାକାରୀ ଗାଁର ପ୍ରାୟ ୨୦ଟି ପରିବାର ବନ୍ୟାରେ ନିଜର ବାସଗୃହ ହରାଇବା ପରେ ଯିବେ କୁଆଡ଼େ? ଜୀବନ ବିକଳରେ ସେମାନେ ଯେଉଁଠି ଆଶ୍ରୟ ନେଇଥିଲେ ତାହା ଥିଲା ଗୋଟିଏ କବରସ୍ଥାନ। ପ୍ରଥମେ ଏହି ସ୍ଥାନକୁ ସେମାନେ ସେଣ୍ଟ ମ୍ୟାରୀ ଚର୍ଚ୍ଚ ପରିସର ବୋଲି ଭାବି ପୋଷା ଜୀବଜନ୍ତୁଙ୍କ ସହ ସେଠାରେ ଆଶ୍ରୟ ନେଇଥିଲେ; କିନ୍ତୁ ବାସ୍ତବରେ ଦୀର୍ଘ ସପ୍ତାହେ କାଳ ସେମାନେ ଶବ ସହିତ ହିଁ ଜୀବନ ବିତାଇଥିଲେ। ଏହା ଉପଲବ୍ଧୀ କରିବା ପରେ ମଧ୍ୟ ସେମାନଙ୍କ ମନରେ କୌଣସି ଭୟ ସୃଷ୍ଟି ହୋଇ ନଥିଲା ବୋଲି କହନ୍ତି ସମ୍ପୃକ୍ତ ଦୁର୍ଗତମାନେ। ଥାଙ୍କାଚାନ୍‍ ନାମକ ଜନୈକ ବ୍ୟକ୍ତିଙ୍କ କହିବାନୁସାରେ, ‘ଭୟ କାହିଁକି ଲାଗିବ; ଏହା ହେଉଛି ଆମ ବାପା, ବଡ଼ ଭଉଣୀ ଓ ଅନ୍ୟ ସମ୍ପର୍କୀୟଙ୍କ ଶେଷ ଆଶ୍ରୟସ୍ଥଳ। ସେମାନଙ୍କ ସହିତ ଆଶ୍ରୟ ନେବାରେ କିଛି ସମସ୍ୟା ହୋଇ ନାହିଁ। ତା’ଛଡ଼ା ଗୃହପାଳିତ ଜୀବଜନ୍ତୁଙ୍କୁ ଛାଡ଼ି ଆମେ ଆଉ କେଉଁଆଡ଼େ ଯାଇଥାନ୍ତୁ?’
ଏହି କବରସ୍ଥାନରେ ପ୍ରାୟ ୪୦ଟି ପରିବାର ଆଶ୍ରୟ ନେଇଥିଲାବେଳେ ଏବେ ଜଳସ୍ତର ହ୍ରାସ ପାଇବା ପରେ କିଛି ପରିବାର ନିଜ ବାସଗୃହ ସଜାଡ଼ିବା ପାଇଁ ଫେରିଛନ୍ତି; ଆଉ କିଛି ସେଠାରେ ଅଟକି ରହିଛନ୍ତି। ସେମାନଙ୍କର ଘର ସମ୍ପୂର୍ଣ୍ଣ ଭାସି ଯାଇଥିବାରୁ ଫେରିପାରୁ ନାହାନ୍ତି। ସେଠାରେ ସେମାନେ ରୋଷେଇ କରି ଖାଉଛନ୍ତି; ଜମି ରହିଥିବା ପାଣିକୁ ମଧ୍ୟ ବ୍ୟବହାର କରୁଛନ୍ତି। ଉଲ୍ଲେଖଯୋଗ୍ୟ କି କୈନାକାରୀ ହେଉଛି ଏମିତି ଗୋଟିଏ ଗାଁ; ଯେଉଁଠି କେବେ ମାଲାୟଲମ ଟିଭି ଧାରାବାହିକ କିମ୍ବା ଚଳଚ୍ଚିତ୍ରର ସୁଟିଂ ବନ୍ଦ ନଥାଏ। ଏହି ଗାଁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁବେଳେ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ପଶ୍ଚିମଘାଟ ପର୍ବତମାଳାରୁ ବାହାରି କୈନାକାରୀ ଗାଁ ନିକଟରେ ବହି ଯାଉଥିବା ପବିତ୍ର ପାମ୍ବା ନଦୀ ସମ୍ପୃକ୍ତ ଅଞ୍ଚଳକୁ ସମୃଦ୍ଧ କରିଛି। ଗାଁ ନିକଟରେ ଥିବା ବେମ୍ବାନଦ ହ୍ରଦ ନୌକାବିହାର ଓ ଜଳକ୍ରୀଡ଼ା ପାଇଁ ପ୍ରସିଦ୍ଧ।

Leave A Reply