ଆଜି କାଳୀ ଭସାଣ : ୫୦ପ୍ଲାଟୁନ ଫୋର୍ସ ମୁତୟନ

0

କଟକ : ଆଜି କଟକରେ କାଳୀ ପ୍ରତିମା ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଦଶହରା ପରି କାଳୀ ଭସାଣ ଉତ୍ସବକୁ ସୁରୁଖୁରୁରେ ଶେଷ କରିବା ନିମନ୍ତେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୫୦ପ୍ଲାଟୁନ ଫୋର୍ସ ଏବଂ ପ୍ରତିମା ନିକଟରେ ତାଲିମପ୍ରାପ୍ତ କମାଣ୍ଡୋଙ୍କ ସହିତ ବହୁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ ହେବେ। ଉଭୟ ପୂଜା ଓ ଶାନ୍ତି କମିଟିର ନିଷ୍ପତ୍ତି ଅନୁଯାୟୀ ଭସଣ ଦିନ ବିଭିନ୍ନ ଛକମାନଙ୍କରେ ସକାଳଠାରୁ ରାତି ୯ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରୁ ଦୁଇଟି ଓ ଗଳି ରାସ୍ତାରୁ ଗୋଟିଏ ପ୍ରତିମା ଛଡାଯିବ। ଏହି ସମୟ ଅତିକ୍ରାନ୍ତ ପରେ ଉଭୟ ମୁଖ୍ୟ ଓ ଗଳିରୁ ଗୋଟିଏ ଲେଖାଏଁ ପ୍ରତିମା ଛଡାଯିବାର ବ୍ୟବସ୍ଥା କରାଯାଇଛି। ସିଆରପିଏଫଙ୍କୁ ସହରର ବିଭିନ୍ନ ତଥା ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ରହିବେ। ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ରୋକିବା ପାଇଁ ରାପିଡ଼୍‍ ଆକ୍ସନ ଫୋର୍ସ ସହିତ ଅତିରିକ୍ତ ଡ଼େପୁଟି କମିସନର କମାଣ୍ଡାଣ୍ଟ ୬ଜଣ ଅତିରିକ୍ତ ଏସପି, ୩୭ ଜଣ ଡିଏସପି, ୫୪ ଜଣ ଇନ୍ସପେକ୍ଟର, ୨୮୩ ଜଣ ଏସ୍‍ଆଇ ଏବଂ ଏଏସ୍‍ଆଇ, ୬୬ ଜଣ ହାବିଲଦାର, ୩୮୧ ଜଣ କନଷ୍ଟେବଳ ଓ ୨୨୦ ଜଣ ହୋମଗାର୍ଡ ମୃତୟନ ହେବେ। ବିଶେଷକରି କଲେଜଛକ, ବକ୍ସିବଜାର, ଚାନ୍ଦିନୀଚୌକ, ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ ଓ ଦେବୀଗଡ଼ା ଠାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହିସବୁ ସ୍ଥାନରେ ଫୋର୍ସ ମୁତୟନ ସାଙ୍ଗକୁ ଜଣେ ଜଣେ ଡ଼ିଏସ୍‍ପି ଓ ଇନସ୍ପେକ୍ଟରଙ୍କୁ ଦାୟିତ୍ୱରେ ରଖାଯାଇଛି। ପ୍ରତିମାଗୁଡ଼ିକ ଯେପରି ସୁରୁଖୁରୁରେ ଯାଇପାରିବ, ସେ ନେଇ ଏହି ଅଫିସରମାନେ ମଧ୍ୟ ତଦାରଖ କରିବେ। କାଳୀ ପ୍ରତିମା ଭସାଣରେ ଅଧିକ ଯୁବକ ଯୋଗଦେବା ସହିତ ଅଧିକାଂଶ ମଦ୍ୟପାନ କରି ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସେମାନଙ୍କୁ ଧରିବା ପାଇଁ ଗଠନ କରାଯାଇଥିବା ଆଣ୍ଟି ଲିକର ଟିମ୍‍ ଯେକୌଣସି ସମୟରେ ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରି ଯାଞ୍ଚ କରିବା ପାଇଁ ନିର୍ଦେଶ ଦିଆଯାଇଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଭସାଣରେ ରାତି ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଉଭୟ ଶାନ୍ତି ଓ ପୂଜା କମିଟିଗୁଡିକ ଅନୁମତି ମାଗିଛନ୍ତି। ତେବେ ଆଜି ରାତି ସୁଦ୍ଧା ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ତାଙ୍କ ନିକଟରେ ପହଁଞ୍ଚି ନ ଥିବା ଡିସିିସି ଶ୍ରୀ ସିଂହ କହିଛନ୍ତି। ଦେବୀଗଡ଼ାଠାରେ ମଧ୍ୟ ବ୍ୟାପକ ପୁଲିସ ମୁତୟନ ସାଙ୍ଗକୁ ବିସର୍ଜନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ସମସ୍ତ ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply