ପର୍ଦ୍ଦାଫାସ ହେଲା କୈଳାଶର ହତ୍ୟା ରହସ୍ୟ

0

କଲମପୁର : କଲମପୁର ବ୍ଲକ ବିଜମରା ପଞ୍ଚାୟତ ଡୁମେରମୁଣ୍ଡା ଗାଁର ବହୁ ଚର୍ଚ୍ଚିତ କୈଳାଶ ହତ୍ୟା ଘଟଣାର ୫ଦିନ ପରେ ପୁଲିସ ପର୍ଦ୍ଦାଫାସ କରିଛି। ଏଥିରେ ସଂଶ୍ଳିଷ୍ଟ ଦୁଇ ଭାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଜୟପାଟଣା ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁଙ୍କ ଉପସ୍ଥିତିରେ ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥି ଜୟପାଟଣା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ତଥ୍ୟ ଉପସ୍ଥାପିତ କରିଛନ୍ତି। ଶ୍ରୀ ଶତପଥିଙ୍କ ତଥ୍ୟ ଅନୁସାରେ ଗତ ଶନିବାର ଦିନ ଡୁମେରମୁଣ୍ଡା ଗାଁର ସତ୍ୟ ନାରାୟଣ ମାଝୀଙ୍କ ପୁଅ କୈଳାଶ(୧୮)ଙ୍କ ସମେତ ଗାଁର ଯୁବକ ବେଲାଳସେନ ମାଝୀ ଓ ଚନ୍ଦ୍ରକାନ୍ତ ନାଏକ ଡୁମେରମୁଣ୍ଡା ବିଜମରା ରାସ୍ତାରେ ଯାଉଥିବା ବେଳେ ଏହି ରାସ୍ତାରେ ଥିବା ଏକ ପୋଲ ନିକଟରେ ପୂର୍ବରୁ ବିଜମରା ଗାଁର ଦୁଇ ଭାଇ ପରେଶ ଠାକୁର(୨୫) ଓ ରୁପେଶ ଠାକୁର(୨୩) ପୂର୍ବରୁ ଅପେକ୍ଷା କରି ରହିଥିଲେ। ଡୁମେରମୁଣ୍ଡାର ୩ ଯୁବକ ପୋଲ ନିକଟରେ ପହଞ୍ଚିବା ପରେ ବେଲାଳ ସେନ ଧରିଥିବା ଏକ ଫାଇବର ପାଇପକୁ ଦୁଇ ଭାଇ ଟାଣି ନେଇ ବେଲାଳ ଓ ଚନ୍ଦ୍ରକାନ୍ତକୁ ତୁମେ ଦୁହେଁ ଏଠାରୁ ଚାଲିଯାଅ କୈଳାଶ ସହ ଆମର ବ୍ୟକ୍ତିଗତ କଥା ଅଛି ବୋଲି କହିଥିଲେ। ଏହାସହ ଉଭୟ ବେଲାଳ ଓ ଚନ୍ଦ୍ରକାନ୍ତଙ୍କୁ ଫାଇବର ପାଇପ ସାହାଯ୍ୟରେ ମାଡ ଦେବାରୁ ସେମାନେ ଭୟରେ ସେଠାରୁ ଚାଲିଯାଇଥିଲେ। ଏହାପରେ କୈଳାଶ ସହିତ ପରେଶ ଓ ରୁପେଶଙ୍କ ବଚସା ହେଇଥିଲା। ତୁମ ସମ୍ପର୍କୀୟ ଭଉଣୀକୁ ଟେକି ନେଇଯିବି ତୁମେ କ’ଣ କରିବ ବୋଲି କୈଳାଶ ପରେଶ ଓ ରୁପେଶଙ୍କୁ ଏକ ପ୍ରକାର ଧମକ ଦେଇଥିଲା। ଏଥିରେ ଉତ୍‍କ୍ଷିପ୍ତ ହୋଇ ରୁପେଶ ଫାଇବର ପାଇପରେ କୈଳାଶର ମୁଣ୍ଡ ପଛ ଭାଗକୁ ଶକ୍ତ ଆଘାତ ଦେଇଥିଲା। ମୁମର୍ଷୁ ଅବସ୍ଥାରେ କୈଳାଶ ପଡିଯିବା ପରେ ତାକୁ ରାସ୍ତାକଡର ଜମିରେ ଫିଙ୍ଗି ଦେଇ ମୁହଁକୁ ବିକୃତ କରିବା ପାଇଁ ପୁଣି ପଥର ଦ୍ୱାରା ମୁଣ୍ଡ ଉପରେ ଆଘାତ ଦେଇଥିଲେ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଶତପଥି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।

ଶନିବାର ଦିନ ଘଟଣା ସମ୍ବନ୍ଧରେ ସୁଚନା ପାଇବା ପରେ ଜୟପାଟଣା ଥାନା ଅଧିକାରୀ ଶୁସାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିବା ସହ ତୁରନ୍ତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲେ। ଏକତରଫା ପ୍ରେମକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଖୋଦ ଜିଲା ଆରକ୍ଷୀ ଅଧିକାରୀ ବି. ଗଙ୍ଗାଧର ଘଟଣାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଅଟକ ଥିବା ୭ ଜଣଙ୍କୁ ଜେରା କରିଥିଲେ। ଅଭିଯୁକ୍ତ ଦୁଇ ଭାଇ ନିଜ ଦୋଷ ସ୍ୱୀକାର କରିଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଅଭିଯୁକ୍ତ ଦୁଇ ଭାଇ ନିଜକୁ ନିର୍ଦ୍ଦୋଷ ବୋଲି ମତବ୍ୟକ୍ତ କରିବା ସହ ଆମକୁ ପୁଲିସ ସନ୍ଦେହରେ ଆଣିଛି ବୋଲି ସୂଚନା ଦେଇଛନ୍ତି।
ବର୍ତ୍ତମାନ ଏହି ଘଟଣାର ତଦନ୍ତ ଅଧିକାରୀ ଭାବେ ଜୟପାଟଣା ଥାନା ଅଧିକାରୀ ଶୁସାନ୍ତ ସାହୁ ରହିଥିବା ବେଳେ ଘଟଣାର ଅଧିକ ଓ ନିରପେକ୍ଷ ତଦନ୍ତ କରାଗଲେ ଆଗାମୀ ଦିନରେ ଆହୁରି ଅନେକ ରହସ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply