ବଢୁଛି ହାତୀ ଉପଦ୍ରବ, ଉଜୁଡୁଛି ଫସଲ: କ୍ଷତିପୁରଣ ନପାଇ ଚାଷୀ ହତାସ

0

କଲମପୁର : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଥୁଆମୁଳ ଦକ୍ଷିଣ ବନାଞ୍ଚଳର ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଅଂଚଳରେ ଦିନକୁଦିନ ବଣୁଆ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଯାହା ପ୍ରଭାବରେ କଲମପୁର ଓ ଥୁଆମୁଳ ରାମପୁର ବ୍ଲକର ବିଭିନ୍ନ ଗ୍ରାମର ଚାଷୀଙ୍କ ଫସଲ ଉଜୁଡୁଛି ।  କଲମପୁର ବ୍ଲକର ଘୋଡାବନ୍ଧା, କଦଳିଚୁଆଁ, ଦେପୁର, ପାଜେନ, ଗୌଡ କେନ୍ଦୁଗୁଡା, ବରଦୋଳି, ଝରାବାହାଲି ଆଦି ଗାଁ ଦେଇ ଜୟପାଟଣା ବ୍ଲକର କନକପୁର, ନାଗୁପଡା ଅଂଚଳରେ ଅନେକ କଦଳୀ ବଗିଚା ସମେତ ଅନ୍ୟ ଫସଲ ନଷ୍ଟ କରିଥିବା ବେଳେ ବର୍ତ୍ତମାନ ଥୁଆମୁଳ ରାମପୁର ମତାଚୁଆଁ, କୋଷାବରା ଓ ଜାକେଶପଦର ଅଂଚଳରେ ହାତୀଙ୍କର ଉପଦ୍ରବ ବୃଦ୍ଧି ପାଇଛି। ଦିନରେ ଜଙ୍ଗଲ ମଧ୍ୟରେ ହାତୀମାନେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜନ ବସତି ମୂହାଁ ହୋଇ ଅନେକ ଚାଷ ଜମି ଉଜାଡି ଦେଉଛନ୍ତି । ବନ ବିଭାଗ ପାଖରେ ସମସ୍ତ ସୂଚନା ଥାଇ ମଧ୍ୟ ହାତୀ ଘଉଡାଇବାରେ ବିଫଳ ହୋଇଛି । ଯେଉଁଥି ପାଇଁ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଚାଷୀଙ୍କ ଫସଲ ଉଜୁଡୁଛି। କିନ୍ତୁ ଚାଷୀଙ୍କୁ ମିଳୁନି ଉଚିତ କ୍ଷତି ପୁରଣ। ଯେଉଁଥିପାଇଁ ଅସହାୟ ହେଉଛନ୍ତି ଚାଷୀ ।

ଗତ ୧୬ ତାରିଖ ରାତିରେ ମତାଚୁଆଁ ଗ୍ରାମର ୧୦ ଜଣ ଚାଷୀଙ୍କ ଧାନ, ମକା, କାନ୍ଦୁଲ, ମାଣ୍ଡିଆ, କଦଳୀ ଚାଷ ନଷ୍ଟ କରିବା ସହ ଜମି ହୁଡା ସବୁକୁ ମାଡି ନଷ୍ଟ କରି ଦେଇଥିଲା। ଗତ ଶନିବାର ରାତିରେ କୋଷାବରା ଓ ଜାକେଶପଦର ଅଂଚଳରେ ହାତୀ ତାର ଉପଦ୍ରବ ଜାରି ରଖିଥିବାରୁ ସାଧାରଣ ଲୋକେ ରାତିରେ ପଦାକୁ ବାହାରିବା ପାଇଁ ଆତଙ୍କିତ ହେଉଛନ୍ତି। ରାତିରେ ନିଜ ବାଡି ବଗିଚାରେ ରହୁଥିବା ଚାଷୀ ହାତୀ ଭୟରେ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହାତୀର ଦୌରାତ୍ମ୍ୟରେ ଜାକେଶପଦରର ବାବାଜୀ ନାଏକ ନାମକ ଚାଷୀଙ୍କ କଦଳୀ, ସପୁରୀ, ନଡିଆ, ଧାନ, ମକା ଚାଷ ସମେତ ଭେଣ୍ଡି, କାକୁଡି, କୁମୁଡା ପନିପରିବା ଚାଷ ଉଜୁଡି ଯାଇଛି। ରାତି ସାରା ବାବାଜୀଙ୍କ ଚାଷ ଜମିରେ ହାତୀର ରାଜତ୍ୱ ଚାଲିଥିଲା। ସବୁଦିନ ବାବାଜୀ ଚାଷ ଜମିରେ ଥିବା ଏକ କୁଡିଆରେ ରହୁଥିଲେ ମଧ୍ୟ ହାତୀ ଉପଦ୍ରବ କରୁଥିବା ଖବର ପାଇବା ପରେ ଭୟରେ ଶନିବାର ଜମିକୁ ଯାଇନଥିଲେ। ସେ ରହୁଥିବା କୁଡିଆକୁ ମଧ୍ୟ ହାତୀ ପଲ ଭାଙ୍ଗି ଦେଇଛନ୍ତି। ସୌଭାଗ୍ୟ ବସତଃ ଘରେ ରହିଯାଇଥିବାରୁ ସେ ବଂଚିଯାଇଥିଲେ । ଗତ ବର୍ଷ ମଧ୍ୟ ବାବାଜୀଙ୍କ ସମେତ ଅନ୍ୟ ଚାଷୀଙ୍କ ଚାଷକୁ ହାତୀ ପଲ ନଷ୍ଟ କରିଥିଲେ। ସମସ୍ତ କାଗଜାତ ବନ ବିଭାଗ ନିକଟରେ ଦାଖଲ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ବନ ବିଭାଗ କ୍ଷତିପୁରଣ ଦେଇ ନଥିବା ସେମାନେ ଦୁଃଖର ସହିତ ପ୍ରକାଶ କରିଛନ୍ତି। ଏନେଇ ଥୁଆମୁଳ ରାମପୁର ବନପାଳ ସୈରେନ୍ଦ୍ରୀ ବାଗଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ହାତୀ ଦ୍ୱାରା ଚାଷୀଙ୍କ ଫସଲ କ୍ଷତି ହେଇଥିବା ସ୍ୱୀକାର କରିଥିଲେ। ଘଟଣାସ୍ଥଳରେ ପହଂଚି ଚାଷୀଙ୍କ ସହିତ ଆଲୋଚନା କରିବା ସହ କ୍ଷୟ କ୍ଷତିର ଆକଳନ କରି ଉଚ୍ଚକତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିବା ସୂଚନା ଦେଇଥିଲେ। ଏହାସହ ଗତ ବର୍ଷ ସମସ୍ତ କାଗଜାତ ଓ କ୍ଷୟକ୍ଷତି ନେଇ ଜଣାଇଥିଲେ ମଧ୍ୟ ଚାଷୀ କ୍ଷତି ପୁରଣ ପାଇନଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ବନପାଳ ଶ୍ରୀମତୀ ବାଗ ମତବ୍ୟକ୍ତ କରିଥିଲେ। ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ବନ ବିଭାଗ ତରଫରୁ ସହାୟତା ଯୋଗାଇବାରେ ବିଳମ୍ବ ହେଉଥିବା ଥୁଆମୁଳ ରାମପୁର ଦକ୍ଷିଣ ବନାଂଚଳ ଅଧିକାରୀ ପ୍ରଶାନ୍ତ କୁମାର ପାଲ ମତବ୍ୟକ୍ତ କରିଛନ୍ତି। ତେବେ କ୍ଷତିଗ୍ରସ୍ତ ଚାଷୀ ନିଶ୍ଚିତ କ୍ଷତି ପୁରଣ ପାଇବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଜଙ୍ଗଲ ଦେଇ ଜୁନାଗଡ ଥୁଆମୁଳ ରାମପୁର ୩୩ କେଭି ବିଦ୍ୟୁତ୍‍ ଓ ବଡକୁଟୃ ଥୁଆମୁଳ ରାମପୁର ୧୧ କେ.ଭି ବିଦ୍ୟୁତ୍‍ ସଂଯୋଗ ହେଇଥିବାରୁ ହାତୀର ସୁରକ୍ଷା ନେଇ ମଧ୍ୟ ବନ ବିଭାଗ ଚିନ୍ତିତ ରହିଛନ୍ତି। ସଂଧ୍ୟା ସମୟରେ ବିଦ୍ୟୁତ୍‍ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ବିଦ୍ୟୁତ୍‍ ବିଭାଗ ସହିତ ଯୋଗାଯୋଗ କରାଯାଇଥିବା ବନ ବିଭାଗ ତରଫରୁ ପ୍ରକାଶ ।

Leave A Reply