ଇଣ୍ଡୋନେସିଆରେ ସୁନାମି; ମୃତ୍ୟୁ ସଂଖ୍ୟା ୨୮୧କୁ ବୃଦ୍ଧି

0

ଜାକର୍ତ୍ତା: ଇଣ୍ଡୋନେସିଆର ଜାଭା ଓ ସୁମାତ୍ରା ଦ୍ବୀପରେ ଭୟଙ୍କର ସୁନାମି ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୨୮୧କୁ ବୃଦ୍ଧି ପାଇଛି । ହଜାରରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି ୨୮ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡିଛି । ଜାତୀୟ ବିପର୍ୟ୍ୟୟ ପରିଚାଳନା ସଂସ୍ଥାର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟାନୁସାରେ ସକାଳ ପ୍ରାୟ ୯ଟା ବେଳେ ଦକ୍ଷିଣ ସୁମାତ୍ରା ଓ ପଶ୍ଚିମ ଜାଭା ନିକଟରେ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ତଟବର୍ତ୍ତୀ ଅଞ୍ଚଳରେ ଥିବା କେତେକ ଘର ଭାଙ୍ଗିରୁଜି ଛାରଖାର ହୋଇଯାଇଛି । କ୍ରାକାତୋଆ ଆଗ୍ନେୟଗିରି ବିସ୍ଫୋରଣ ଯୋଗୁଁ ସମୁଦ୍ର ମଧ୍ୟରେ ହୋଇଥିବା ଭୂସ୍ଖଳନ ସୁନାମିର ସାମ୍ଭବ୍ୟ କାରଣ ହୋଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ତିନି ମାସ ପୂର୍ବରୁ ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆର ସୁଲାବେସୀ ଦ୍ବୀପ ସ୍ଥିତ ପାଲୁ ଏବଂ ଦୋଙ୍ଗଲ ସହରରେ ଭୂକମ୍ପ ପରେ ସୁନାମି ଆସିଥିଲା । ଏଥିରେ ୮୩୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨୦୦୪ ମସିହାରେ ଇଣ୍ଡୋନେସିଆର ସୁମାତ୍ରାରେ ୯.୩ ତିବ୍ରତାରେ ଭୂକମ୍ପ ହୋଇଥିଲା ।  ସେହି ସମୟରେ ଭାରତ ସମେତ ୧୪ଟି ଦେଶ ସୁନାମିରେ ପ୍ରଭାବିତ ହୋଇଥିଲେ । ଏହି ସୁନାମୀରେ ପୁରା ବିଶ୍ବରେ ୨.୨୦ ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା ।

Leave A Reply