ଭାରତୀୟ ଦମ୍ପତିଙ୍କୁ ଓହ୍ଲାଇଦେଲା ବ୍ରିଟିଶ ବିମାନ

0

ନୂଆଦିଲ୍ଲୀ: ବ୍ରିଟିଶ ଏୟାରୱେଜର ବିମାନରୁ ଜଣେ ଭାରତୀୟ ଦମ୍ପତିଙ୍କୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ଏପି ପାଠକ ନାମକ ଜଣେ ବ୍ୟକ୍ତି ସପରିବାର ଲଣ୍ଡନରୁ ବର୍ଲିନ ଯାତ୍ରା କରୁଥିବା ଏଭଳି ଅଘଟଣ ଘଟିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉକ୍ତ ଦମ୍ପତି ବିମାନବନ୍ଦରରେ ପ୍ରବେଶ କରିବା ସହ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା ମଧ୍ୟ ଅତିକ୍ରମ କରିଥିଲେ। ବିମାନରେ ପ୍ରବେଶ କରିବା କ୍ଷଣି ପାଠକଙ୍କ ୩ବର୍ଷର ପୁଅ କାନ୍ଦିବାରୁ ବିମାନ ପରିଚାରିକା ଉକ୍ତ ଦମ୍ପତିଙ୍କୁ ଧମକ ଦେବା ସହ ପିଲାକୁ ଚୁପ କରିବାକୁ ତାଗିଦ କରିଥିଲେ। ତେବେ ଶିଶୁଟି ଅଧିକ ଭୟଭୀତ ହୋଇ ଜୋରରେ କାନ୍ଦିବାରୁ ବିମାନ ପରିଚାରିକା ସୁରକ୍ଷାକର୍ମୀଙ୍କୁ ଡାକି ଉକ୍ତ ଦମ୍ପତିଙ୍କୁ ବିମାନରୁ ଓହ୍ଲାଇ ଦେଇଛନ୍ତି। ପରେ ଶ୍ରୀ ପାଠକ ଉକ୍ତ ବିମାନ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରୁ କ୍ଷତିପୂରଣ ଦାବି କରିଛନ୍ତି। ଏ ସମ୍ବନ୍ଧରେ ବେସମାରିକ ବିମାନ ଚଳାଚଳ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭୁ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଉଭୟ କେନ୍ଦ୍ର ମନ୍ତ୍ରୀଙ୍କଠାରୁ ଅଦ୍ୟାବଧି କୌଣସି ଉତ୍ତର ଆସି ନଥିଲେ ମଧ୍ୟ ବ୍ରିଟିଶ ଏୟାରୱେଜ ପକ୍ଷରୁ ଘଟଣାର ଯାଞ୍ଚ ଆଦେଶ ପ୍ରଦାନ କରାଯାଇଛି।

Leave A Reply