ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଲା ଭାରତ, ପାକିସ୍ତାନର ସେନାର ପ୍ରଶାସନିକ ମୁଖ୍ୟକାର୍ଯ୍ୟାଳୟ ଧ୍ୱଂସ

0

ନୂଆଦିଲ୍ଲୀ : ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ନିୟନ୍ତ୍ରଣ ରେଖା ନିକଟରେ ଅବସ୍ଥିତ ପାକିସ୍ତାନ ସେନାର ଏକ ପ୍ରଶାସନିକ ମୁଖ୍ୟକାର୍ଯ୍ୟାଳୟ ଧ୍ୱଂସ ହୋଇଯାଇଛି। ଭାରତୀୟ ସେନା ପକ୍ଷରୁ ଏହାର ଫଟୋ ଓ ଭିଡ଼ିଓ ସୋମବାର ଜାରି କରାଯାଇଛି।
ଭାରତୀୟ ସେନା ଅଧିକାରୀଙ୍କ କହିବା ଅନୁସାରେ ଅକ୍ଟୋବର ୨୩ରେ ପାକିସ୍ତାନ ସୈନ୍ୟ ପୁଞ୍ଚ ଏବଂ ଝାଲସା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିଗୋଳା, ଗ୍ରେନେଡ଼ ଓ ରକେଟ୍‍ ବର୍ଷଣ କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଭାରତୀୟ ସୈନ୍ୟ ଗୁଳିମାଡ଼ କରି ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ପାକ୍‍ ମୁଖ୍ୟ କାଯ୍ୟାଳୟକୁ ଧ୍ୱଂସ କରିଦେଇଛନ୍ତି। ସୋମବାର ଏହାର ଏକ ଭିଡ଼ିଓ ଜାରି କରାଯାଇଛି।
ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ପାକିସ୍ତାନ ସୈନ୍ୟ ଗତ ମଙ୍ଗଳବାର ପୁଞ୍ଚ ଏବଂ କୃଷ୍ଣା ଘାଟିରେ ଥିବା ଭାରତୀୟ ସେନା ଶିବିର ଉପରକୁ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲେ। ଏଥିରେ ଭାରତୀୟ ସେନାର କୌଣସି ଯବାନ ମୃତାହତ ହୋଇନଥିଲେ। ତେବେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଏକ ପ୍ରଶାସିନକ ମୁଖ୍ୟ କାର୍ଯ୍ୟାଳୟରୁ ଧୂଅାଁ ବାହାରୁଥିବା ଦେଖିବାକୁ ମିଳିଥିଲା। ପରେ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ସେନା ପ୍ରତିଶୋଧ ପରାୟଣ ହୋଇ ପୁନଃ ଅସ୍ତ୍ରବିରତି ଉଲ୍ଳଙ୍ଘନ କରିବାର ଆଶଙ୍କା ପ୍ରକାଶ ପାଇଛି। ଫଳରେ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ସତର୍କତା ଜାରି କରାଯାଇଛି।

Leave A Reply