ପଦାର୍ପଣରେ ପୃଥ୍ୱୀଙ୍କ ଶତକ 

0

ରାଜକୋଟ : ସ୍କୁଲ୍‍ ଓ ଘରୋଇ କ୍ରିକେଟରେ ରେକର୍ଡ ପରେ ରେକର୍ଡ ଭାଙ୍ଗିବା ପରେ ଟେଷ୍ଟ କ୍ରିକେଟ ପଦାର୍ପଣରେ ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ୧୮ ବର୍ଷ ବୟସ୍କ ପୃଥ୍ୱୀ ସ’। ଫଳରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟମ୍ୟାଚ୍‍ରେ ଘରୋଇ ଭାରତ ମଜ୍‍ଭୁତ ସ୍ଥିତିରେ ପହଞ୍ଚି ପାରିଛି। ୯୯ ବଲ୍‍ରୁ ଶତକ ଅର୍ଜନକରି ମୁମ୍ବଇର ପୃଥ୍ୱୀ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ରେ ଶତକ ଅର୍ଜନ କରିବାରେ ସର୍ବକନିଷ୍ଠ ବ୍ୟାଟ୍‍ସମ୍ୟାନ ହୋଇ ପାରିଛନ୍ତି। ନିର୍ଜୀବ ପିଚ୍‍ ଓ ଦୁର୍ବଳ ୱେଷ୍ଟଇଣ୍ଡିଜ୍‍ ଆକ୍ରମଣର ଫାଇଦା ଉଠାଇ ପୃଥ୍ୱୀ ସ’ ଶତକ ମାରିଥିବା ବେଳେ ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଅର୍ଦ୍ଧଶତକ ମାରିଛନ୍ତି। ଫଳରେ ପ୍ରଥମଦିନରୁ ହିଁ ଟେଷ୍ଟମ୍ୟାଚ୍‍ ଊପରେ କବ୍‍ଜା ମଜ୍‍ଭୁତ କରିପାରିଛି ଭାରତ। ପ୍ରଥମଦିନ ଶେଷରେ ଭାରତ ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୩୬୪ ରନ୍‍ କରିବା ସହ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଛି।
ୱେଷ୍ଟଇଣ୍ଡିଜ୍‍ର ପ୍ରମୁଖ ଫାଷ୍ଟବୋଲର କିମାର ରୋଚ୍‍ ଆହତ ହୋଇ ଏହି ମ୍ୟାଚ୍‍ ଖେଳିନଥିବା ବେଳେ ଅଧିନାୟକ ଜେସନ୍‍ ହୋଲ୍‍ଡର ମଧ୍ୟ ଶେଷ ମୁହୂର୍ତ୍ତରେ ମ୍ୟାଚ୍‍ରୁ ଓହରି ଯାଇଥିଲେ। ଭାରତ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ପ୍ରଥମ ଓଭରରେ ହିଁ ଭାରତକୁ ଶକ୍ତ ଧକ୍କା ଲାଗିଥିଲା। କେ.ଏଲ୍‍. ରାହୁଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ତେବେ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲେ ପୃଥ୍ୱୀ ସ’। ସ୍ଥାନୀୟ ଖେଳାଳି ଚେତେଶ୍ୱର ପୂଜାରା କ୍ରିଜ୍‍କୁ ଆସିବା ମାତ୍ରେ ଦୃଢ଼ତାର ସହ ଖେଳିଥିଲେ। ଫଳରେ ଭାରତ ସହଜରେ ସ୍କୋର୍‍ ବଢ଼ାଇ ଚାଲିଥିଲା। ସବୁଠାରୁ ଆକର୍ଷଣୀୟ ଥିଲା ପୃଥ୍ୱୀ ସ’ଙ୍କ ଷ୍ଟ୍ରୋକ୍‍ ଖେଳିବା। ସମସ୍ତ ପ୍ରକାର ଷ୍ଟ୍ରୋକ୍‍ ତାଙ୍କ ବ୍ୟାଟ୍‍ରୁ ବାହାରିଥିଲା ଏବଂ ଉଭୟ ପେସ୍‍ ଓ ସ୍ପିନ୍‍ ବିପକ୍ଷରେ ପୃଥ୍ୱୀ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ। ଭୋଜନ ବିରତି ପରେ ପୃଥ୍ୱୀ ୯୯ ବଲ୍‍ରୁ ଶତକ ହାସଲ କରିଥିଲେ। ସୂଚନାଯୋଗ୍ୟ; ୨ ବର୍ଷ ତଳେ ଏହି ଗ୍ରାଉଣ୍ଡରେ ହିଁ ଜୀବନର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍‍ରେ ପୃଥ୍ୱୀ ଶତକ ଅର୍ଜନ କରିଥିଲେ। ଚେତେଶ୍ୱର ମଧ୍ୟ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆଉଟ ହୋଇ ଘରୋଇ ଦର୍ଶକଙ୍କୁ ନିରାଶ କରିଥିଲେ। ପୂଜାରା ଓ ପୃଥ୍ୱୀ ୨ୟ ୱିକେଟ ପାଇଁ ୨୦୬ ରନ୍‍ ଯୋଗ କରିଥିଲେ। ପୂଜାରା ୧୩୦ ବଲ୍‍ରୁ ୧୪ଟି ଚୌକା ସହ ୮୬ ରନ୍‍କରି ଆଉଟ ହୋଇଥିଲେ। ପରେ ଦେବେନ୍ଦ୍ର ବିଶୁଙ୍କ ରିଟର୍ଣ୍ଣ କ୍ୟାଚ୍‍ ଦେବା ପୂର୍ବରୁ ପୃଥ୍ୱୀ ୧୫୪ ବଲ୍‍ରୁ ୧୯ଟି ଚୌକା ସହ ୧୩୪ ରନ୍‍ କରିଥିଲେ। ପରେ ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ୪ର୍ଥ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଦିନର ଶେଷଆଡ଼କୁ ରାହାଣେ ଆଉଟ ହୋଇ ଯାଇଥିଲେ। ସେ ୯୨ ବଲ୍‍ରୁ ୫ଟି ଚୌକା ସହ ୪୧ ରନ୍‍ କରିଥିଲେ। ଋଷଭ ପନ୍ତ୍‍ ଓ ବିରାଟ କୋହଲି ଆଉ ୱିକେଟ ପଡ଼ିବାକୁ ଦେଇନଥିଲେ। ପନ୍ତ୍‍ ୨୧ ବଲ୍‍ରୁ ୧୭ ରନ୍‍କରି ଅପରାଜିତ ଅଛନ୍ତି। କୋହଲି ୧୩୭ ବଲ୍‍ରୁ ୪ଟି ଚୌକା ସହ ୭୨ ରନ୍‍କରି ଖେଳୁଛନ୍ତି। ୱେଷ୍ଟଇଣ୍ଡିଜ୍‍ର କୌଣସି ବୋଲର ଭାରତୀୟଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ।

Leave A Reply