୩-୦ରେ ସିରିଜ୍‍ ଜିତିଲା ଭାରତ

0

ଚେନ୍ନଇ : ୱେଷ୍ଟଇଣ୍ଡିଜ୍‍ ଗସ୍ତର ଶେଷ ମ୍ୟାଚରେ ମଧ୍ୟ ଭାରତ ବିଜୟୀ ହୋଇଛି। ଦୁଇ ବାମହାତି ଶିଖର ଧାୱନ ଓ ଋଷଭ ପନ୍ତ୍‍ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ରବିବାର ୩ୟ ତଥା ଅନ୍ତିମ ଟ୍ୱେଣ୍ଟି-୨୦ ମ୍ୟାଚର ଶେଷ ବଲରେ ୱେଷ୍ଟଇଣ୍ଡିଜ୍‍କୁ ୬ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‍ର ଟ୍ୱେଣ୍ଟି-୨୦ ସିରିଜ୍‍କୁ ଭାରତ ୩-୦ରେ ପୋଛି ନେଇଛି। ନିକୋଲାସ୍‍ ପୂରନ୍‍ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‍ ୩ ୱିକେଟରେ ୧୮୧ ରନ୍‍ କରିଥିଲା। ୪୫ ରନ୍‍ରେ ଭାରତ ୨ଟି ୱିକେଟ ହରାଇବା ସତ୍ତ୍ବେ ଧାୱନ ଓ ପନ୍ତ୍‍ଙ୍କ ଅର୍ଦ୍ଧଶତକ ଶେଷ ବଲରେ  ୪ ୱିକେଟ ହରାଇ ଭାରତ ଜିତିଥିଲା। ଟେଷ୍ଟ ସିରିଜ୍‍କୁ ୨-୦ ଓ ଦିନିକିଆ ସିରିଜ୍‍କୁ ୩-୧ରେ ଜିତିଥିବା ଭାରତ ଏହି ଗସ୍ତରେ ୮-୧ରେ ଆଗୁଆ ରହିଛି।
୧୮୨ ରନ୍‍ ଲକ୍ଷ୍ୟରେ ବ୍ୟାଟିଂକରି ଭାରତ ସହଳ ଅଧିନାୟକ ରୋହିତ ଶର୍ମା (୪)ଙ୍କ ୱିକେଟ ହରାଇଥିଲା। ପରେ କେ.ଏଲ୍‍. ରାହୁଲ ୧୦ଟି ବଲ୍‍ରୁ ୪ଟି ଚୌକା ସହ ୧୭ ରନ୍‍କରି ବିଦାୟ ନେଇଥିଲେ। ୪୫ ରନ୍‍ରେ ୨ଟି ୱିକେଟ ପଡ଼ିଯିବା ପରେ ଧାୱନ୍‍ ଓ ଋଷଭ ପନ୍ତ୍‍ ୩ୟ ୱିକେଟ ପାଇଁ ମ୍ୟାଚ୍‍ ବିଜୟୀ ଭାଗିଦାରୀ କରିଥିଲେ। ଦୁହେଁ ବିସ୍ଫୋରକ ବ୍ୟାଟିଂକରି ୧୩ ଓଭରରେ ୧୩୦ ରନ୍‍ ଯୋଡ଼ିବାରୁ ଭାରତର ବିଜୟପଥ ସୁଗମ ହୋଇଥିଲା। ପନ୍ତ୍‍ ୩୮ ବଲ୍‍ରୁ ୩ଟି ଛକା ଓ ୫ଟି ଚୌକା ସହ ୫୮ ରନ୍‍କରି ଆଉଟ ହେବା ବେଳକୁ ଭାରତ ବିଜୟ ଦ୍ୱାରରେ ପହଞ୍ଚି ସାରିଥିଲା। ସ୍କୋର୍‍ ସମାନ ଥିବା ବେଳେ ଧାୱନ ୬୨ ବଲ୍‍ରୁ ୨ଟି ଛକା ଓ ୧୦ଟି ଚୌକା ସହ ୯୨ ରନ୍‍କରି ଆଉଟ ହୋଇ ଯାଇଥିଲେ। ଶେଷ ବଲରେ  ୧ ରନ୍‍ ନେଇ ମନୀଷ ପାଣ୍ଡେ (୪) ଦଳକୁ ଜିତାଇଥିଲେ। ଶିଖର ଧାୱନ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଟସ୍‍ ଜିତି ୱେଷ୍ଟଇଣ୍ଡିଜ୍‍ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା । ୬ ଓଭରରେ ଏହାର ଓପ୍‍ନିଂ ଯୋଡ଼ି ୫୧ ରନ୍‍ ଯୋଗକରି ବଡ଼ ସ୍କୋର୍‍ର ମୂଳଦୁଆ ପକାଇଥିଲେ। ତେବେ ଲେଗ୍‍ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମ ବଲ୍‍ରେ ହିଁ ଏହି ଯୋଡ଼ି ଭାଙ୍ଗିବା ସହ ଉଭୟ ଓପ୍‍ନରଙ୍କୁ ଆଉଟ କରି ଦେଇଥିଲେ। ୨୨ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୪ ରନ୍‍କରି ଆଉଟ ହୋଇଥିଲେ। ବାମହାତି ସିମ୍ରନ୍‍ ହେତ୍‍ମାୟର ୨୧ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୬ ରନ୍‍କରି ଚହଲଙ୍କ ୨ୟ ଶିକାର ହୋଇଥିଲେ। ପରେ ଦିନେଶ ରାମଦିନ ଓ ଡ୍ୟାରେନ୍‍ ବ୍ରାଭୋ ୩୨ ରନ୍‍ ଯୋଡ଼ିଥିଲେ। ରାମଦିନ ୧୫ ବଲ୍‍ରୁ ମାତ୍ର ୧୫ ରନ୍‍ କରି ପାରିଥିଲେ। ତେବେ ଅବିଭାଜିତ ୪ର୍ଥ ୱିକେଟ ପାଇଁ ବ୍ରାଭୋ ଓ ନିକୋଲାସ ପୂରନ୍‍ ଚମତ୍କାର ବ୍ୟାଟିଂ କରିବାରୁ ୱେଷ୍ଟଇଣ୍ଡିଜ୍‍ ୧୮୧ ରନ୍‍ରେ ପହଞ୍ଚି ପାରିଥିଲା। ଡ୍ୟାରେନ୍‍ ବ୍ରାଭୋ-ନିକୋଲାସ୍‍ ପୂରନ୍‍ ମାତ୍ର ୪୩ ବଲ୍‍ରୁ ୮୭ ରନ୍‍ ଯୋଡ଼ିଥିଲେ। ବ୍ରାଭୋ ୩୭ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୩ ରନ୍‍କରି ଅପରାଜିତ ଥିଲେ। ନିକୋଲାସ୍‍ ପୂରନ୍‍ ୨୫ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୫୩ ରନ୍‍କରି ଅପରାଜିତ ଥିଲେ। ଖଲିଲ ଅହମ୍ମଦ ବୋଲିଂ କରିଥିବା ଶେଷ ଓଭରରେ ବ୍ରାଭୋ-ପୂରନ୍‍ ୨୩ ରନ୍‍ ନେଇଥିଲେ। ଚହଲ ୨ଟି ୱିକେଟ ପାଇଥିଲେ।

Leave A Reply