ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ପାକିସ୍ତାନର ନିର୍ଯାତନା

0

ଇସଲାମାବାଦ.— ଇମ୍ରାନ ଖାଁଙ୍କ ନୂଆ ପାକିସ୍ତାନରେ ପୁଣି ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଖ୍ରୀଷ୍ଟମାସ ପାଳନ ଅବସରରେ କୂଟନୀତିଜ୍ଞଙ୍କ ଘରକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ହଇରାଣ ହରକତ କରାଯାଇଥିବା ଜଣାପଡ଼ିଛି। ସେଦିନ ସକାଳ ୭ଟାରୁ ୧୦ଟା ୪୫ ପର୍ଯ୍ୟନ୍ତ ବିନା ସୂଚନାରେ ବିଦ୍ୟୁତ୍‌ କାଟ କରାଯିବା ଦ୍ବାରା ଉଚ୍ଚାୟୁକ୍ତ କାର୍ଯ୍ୟାଳୟର ଦ୍ବିତୀୟ ସଚିବଙ୍କ ପରିବାର ଲୋକେ ନାହିଁ ନ ଥିବା ହଇରାଣ ହୋଇଥିଲେ। ଏ ସମ୍ପର୍କରେ ଟେଲିଫୋନ୍‌ ଯୋଗେ ପାକିସ୍ତାନ ଡବ୍ଲ୍ୟୁପିଡିଏ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ। ଦୀର୍ଘ ୪ଘଣ୍ଟା ପରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରୁ ସୂଚନା ପାଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ୨୭ ତାରିଖରେ ଏଥିପ୍ରତି ପାକିସ୍ତାନୀ ପ୍ରତିପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ତାଗିଦା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ କୌଣସି ଦେଶର କୂଟନୀତିଜ୍ଞଙ୍କ ପରିବାରକୁ ୨୪ଘଣ୍ଟିଆ ଜରୁରୀକାଳୀନ ସେବା ଯୋଗାଇଦେବାର ବ୍ୟବସ୍ଥା ରହିଛି।
ପାକିସ୍ତାନରେ ଭାରତୀୟ କୂଟନୀତିଜ୍ଞଙ୍କୁ ଏଭଳି ନିର୍ଯାତନା ଦେବା ଏହା ପ୍ରଥମ ଘଟଣା ନୁହେଁ ବୋଲି ଭାରତ ଦର୍ଶାଇଥିଲା। ଡିସେମ୍ବର ୧୦ତାରିଖରେ କିଛି ଦୁର୍ବୃତ୍ତ ଭାରତୀୟ କୂଟନୀତିଜ୍ଞଙ୍କ ଘରେ ଅନୁପ୍ରବେଶ ଉଦ୍ୟମ କରି ବିଫଳ ହୋଇଥିଲେ। ସେହିଭଳି ୨୧ତାରିଖରେ ପେଶାୱାରଠାରେ ଭାରତୀୟ ଉଚ୍ଚାୟୁକ୍ତ ଅଧିକାରୀଙ୍କୁ ରାସ୍ତାରେ ଅଟକାଇ ପ୍ରାୟ ଅଧଘଣ୍ଟାଏ କାଳ ଏଣୁତେଣୁ ପ୍ରଶ୍ନ କରାଯିବା ସହ ହଇରାଣ ହରକତ କରାଯାଇଥିଲା। ଅଧିକାରୀମାନେ ବଜାରରୁ ଫେରିବାବେଳେ ଦୁଇଜଣ ମୋଟର ସାଇକଲଚାଳକ ସେମାନଙ୍କୁ ପିଛା କରିବା ସହ ବାଟରେ ଅଟକାଇଥିଲେ। ଅନ୍ୟ ଏକ ଘଟଣାରେ ଜଣେ ନୂଆ କର୍ମଚାରୀଙ୍କ ଘରକୁ ପାକ୍‌ କର୍ତ୍ତୃପକ୍ଷ ରନ୍ଧନ ଗ୍ୟାସ୍‌ ସଂଯୋଗ ନ ଦେଇ ଏଣୁତେଣୁ ପ୍ରଶ୍ନ କରିବା ସହ ଅଯଥା କାଗଜାଦି ମାଗିଥିଲେ। ଘର ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଚ୍ଛିନ୍ନ କରିଥିଲେ। ଘରର ଇଣ୍ଟରନେଟ୍‌ ସଂଯୋଗ ମଧ୍ୟ କାଟି ଦେଇଥିଲେ। ଅପରପକ୍ଷରେ ପାକିସ୍ତାନ ମଧ୍ୟ ଚିରାଚରିତ ଭାବେ ପାଲଟା ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ପାକ୍‌ ଉଚ୍ଚାୟୁକ୍ତ କର୍ମଚାରୀଙ୍କୁ ଦୀର୍ଘ ୬ଦିନ ପର୍ଯ୍ୟନ୍ତ ଭାରତୀୟ କର୍ତ୍ତୃପକ୍ଷ ଗ୍ୟାସ ଓ ବିଦ୍ୟୁତ୍‌ ସଂଯୋଗରୁ ବଞ୍ଚିତ କରିଥିବା ପାକିସ୍ତାନୀ କର୍ତ୍ତୃପକ୍ଷ କହୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ଦୁଇ ପକ୍ଷ ଏଭଳି ନିର୍ଯାତନା ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ଦେଶର ଉଚ୍ଚ କର୍ତ୍ତୃପକ୍ଷ ଏକତ୍ର ଆଲୋଚନା ମାଧ୍ୟମରେ ସମସ୍ୟା ସମସ୍ୟା ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply