ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ଆଜିଠାରୁ

0

ମେଲବୋର୍ଣ୍ଣ : ବୁଧବାରଠାରୁ ଏଠାରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜର ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ଇତିମଧ୍ୟରେ ଗୋଟିଏ ଲେଖାଏଁ ଟେଷ୍ଟ ଜିତି ସମାନ ସ୍ଥିତି (୧-୧)ରେ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ମେଲବୋର୍ଣ୍ଣରେ ବିଜୟ ହାସଲ କରି ଚାରିଟିକିଆ ସିରିଜରେ ଆଗୁଆ ରହିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଭାରତ ଯଦି ଏଠାରେ ବିଜୟୀ ହୁଏ, ତେବେ ତାହାହେଲେ ବର୍ଡର-ଗାଭାସ୍କର ଟ୍ରଫି ସେମାନଙ୍କ ନିକଟରେ ରହିବ। ଅପରପକ୍ଷରେ ଅଷ୍ଟ୍ରେଲିଆ ବିଜୟୀ ହେଲେ ସିରିଜ ପରାଜୟରୁ ବର୍ତ୍ତିଯିବା ସହ ଚଳିତବର୍ଷ ମିଳିଥିବା ପରାଜୟର ଗ୍ଲାନିକୁ କେତେକାଂଶରେ ଦୂର କରିପାରିବ।
ପର୍ଥରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ହାରିବାପରେ ଭାରତୀୟ ଦଳର ମ୍ୟାନେଜମେଣ୍ଟ ଏହି ଟେଷ୍ଟ ପାଇଁ ନୂତନ ରଣନୀତି ଅବଲମ୍ବନ କରିବାକୁ ଯାଉଛି। ବିଗତ ଦୁଇଟି ଟେଷ୍ଟରେ ଦୁଇ ଓପନର ଲୋକେଶ ରାହୁଲ ଓ ମୁରଲୀ ବିଜୟଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିବା ଫଳରେ ଏଥର ଏ ଦୁହିଁଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି। ରାହୁଲ ଚାରିଟି ଇନିଂସରୁ ୪୮ ରନ ସ୍କୋର କରିଛନ୍ତି। ଆଡିଲେଡ୍‌ ଟେଷ୍ଟର ଦ୍ବିତୀୟ ଇନିଂସରେ ରାହୁଲ ୪୪ ରନ କରିଥିବାବେଳେ ଅନ୍ୟ ତିନିଟି ଇନିଂସରେ ଯଥାକ୍ରମେ ୨, ୨ ଓ ୦ ରନ କରିଛନ୍ତି। ବିଜୟଙ୍କ ବ୍ୟକ୍ତିଗତ ସ୍କୋର ଯଥାକ୍ରମେ ୧୧, ୧୮, ୦ ଓ ୨୦ ରନ ରହିଛି। ଆଡିଲେଡ୍‌ର ଦ୍ବିତୀୟ ଇନିଂସକୁ ବାଦଦେଲେ ଏହି ଯୋଡି ପ୍ରଥମ ୱିକେଟ ପାଇଁ ୩, ୬ ଓ ୦ ରନ ସ୍କୋର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମେଲବୋର୍ଣ୍ଣ ଟେଷ୍ଟ ପାଇଁ ଏ ଦୁହିଁଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଛି। ମୟଙ୍କ ଅଗ୍ରୱାଲ ଓ ହନୁମା ବିହାରି ଏହି ଟେଷ୍ଟରେ ନୂଆ ଓପନିଂ ଯୋଡିଭାବେ ପଡିଆକୁ ଓହ୍ଲାଇବେ। ହନୁମା ପୂର୍ବ ଟେଷ୍ଟରେ ୬ଷ୍ଠ ସ୍ଥାନରେ ଖେଳିଥିଲେ। ଏଥର ରୋହିତ ଶର୍ମା ଫିଟ୍‌ ଘୋଷିତ ହୋଇସାରିଥିବାରୁ ୬ଷ୍ଠ ସ୍ଥାନ ତାଙ୍କ ପାଇଁ ସୁରକ୍ଷିତ ରହିଛି। ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ରୋହିତଙ୍କୁ ନେଇ ଦଳର ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରହିଛି। ୱିକେଟରକ୍ଷକ ଋଷଭ ପନ୍ତ୍‌ ଓ ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜାଙ୍କର ମଧ୍ୟ ବ୍ୟାଟିଂ ପାରଦର୍ଶିତା ଦେଖାଇବାର ଯୋଗ୍ୟତା ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍‌ ଘୋଷିତ ହୋଇଥିଲେ ସୁଦ୍ଧା ରୋହିତଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏହି ଟେଷ୍ଟରେ ଉନ୍ନତ ପ୍ରଦର୍ଶନ କରିବାକୁ ଅଧିନାୟକ ବିରାଟ କୋହଲି ଦଳୀୟ ବ୍ୟାଟସମ୍ୟାନଙ୍କୁ ଆହ୍ବାନ ଦେଇଛନ୍ତି। ଅଷ୍ଟ୍ରେଲିଆ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ପିଟର ହ୍ୟାଣ୍ଡ୍‌ସକମ୍ବଙ୍କ ସ୍ଥାନରେ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ପର୍ଥରେ ଓପନର ଆରୋନ ଫିଞ୍ଚ୍‌ଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିଲା। ତେବେ ସୁସ୍ଥ ହୋଇଥିବାରୁ ମେଲବୋର୍ଣ୍ଣରେ ମାର୍କସ ହାରିସଙ୍କ ସହ ଇନିଂସ ଓପନ କରିବେ।
ମେଲବୋର୍ଣ୍ଣ ପିଚ୍‌କୁ ଗତବର୍ଷ ଆଇସିସି ପକ୍ଷରୁ ନିମ୍ନମାନର ବୋଲି ସାର୍ଟିଫିକେଟ ମିଳିଥିଲା। ତେବେ ଏଥର ଉନ୍ନତ ମାନର ପିଚ୍‌ ପ୍ରସ୍ତୁତ କରାଯାଇଛି ବୋଲି କ୍ୟୁରେଟର ମାଥ୍ୟୁ ପେଜ୍‌ ପ୍ରତିଶ୍ରୁତି ଦେଇଛନ୍ତି। ପିଚ୍‌ରେ ଅଳ୍ପ ପରିମାଣରେ ସବୁଜ ଘାସ ରହିଛି। ପ୍ରଥମ ଦୁଇ ଦିନ ଫାଷ୍ଟ ବୋଲରମାନେ ପିଚ୍‌ରୁ ଆବଶ୍ୟକ ସହାୟତା ପାଇବେ। ପରବର୍ତ୍ତୀ ସମୟରେ ଏହା ସ୍ପିନରଙ୍କୁ ସୁହାଇବ ବୋଲି ସେ କହିଛନ୍ତି। ମେଲବୋର୍ଣ୍ଣରେ ଭାରତ ପୂର୍ବରୁ ଦୁଇଟି ଟେଷ୍ଟ ଜିତିସାରିଛି। ତେଣୁ ଏହି ଟେଷ୍ଟ ଜିତି ମେଲବୋର୍ଣ୍ଣ ରେକର୍ଡକୁ ଉନ୍ନତ କରିବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି।
ମ୍ୟାଚ ଆରମ୍ଭ: ସକାଳ ୫ଟା, ପ୍ରସାରଣ-ସୋନି ସିକ୍ସ, ସୋନି ​‌​‌ଟେନ୍‌-୩।

Leave A Reply