‘୧୬୦ କୋଟି ନଦେଲେ ବିଶ୍ବକପ ଆୟୋଜନ ଅଧିକାର ହରାଇବ’

0

ମୁମ୍ବଇ : ଟିକସ ରିଆତି ବାବଦରେ ବକେୟା ଦେୟ ପୈଠ ନ କଲେ, ହାତରୁ ବିଶ୍ବକପ ଆୟୋଜନ ଅଧିକାର ଚାଲିଯିବ। ଆଇସିସି ପକ୍ଷରୁ ଏଭଳି ଧମକ ମିଳିଛି ବିସିସିଆଇକୁ। ଚଳିତବର୍ଷ ଡିସେମ୍ବର ୩୧ ସୁଦ୍ଧା ବିସିସିଆଇ କର୍ତ୍ତୃପକ୍ଷ ଯଦି ଆଇସିସିକୁ ୨୩ ନିୟୁତ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୬୦ କୋଟି ଟଙ୍କା) ପ୍ରଦାନ ନ କରନ୍ତି, ତେବେ ଭାରତ ୨୦୨୩ ବିଶ୍ବକପ କ୍ରିକେଟ ସମେତ ୨୦୨୧ ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ହରାଇବ ବୋଲି ଚେତାବନୀ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିସିସିଆଇ ଯଦି ଏହି ଅର୍ଥ ପୈଠ କରିବାରେ ବିଫଳ ହୁଏ, ତେବେ ଆଇସିସି ନିକଟରେ ଗଚ୍ଛିତ ରହିଥିବା ଭାରତର ରାଜସ୍ବ ଅଂଶଧନରୁ ଏହି ବକେୟା ଅର୍ଥ କାଟିଦିଆଯିବ ବୋଲି ମଧ୍ୟ ଆଇସିସି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ୨୦୧୬ରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ବିସିସିଆଇକୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ​‌ଟିକସ ବାବଦରେ କୌଣସି ରିଆତି ମିଳିନଥିଲା। ଅପରପକ୍ଷରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ଟିଭି ଟିକସ ଅର୍ଥ ବାଦଦେଇ ଅବଶିଷ୍ଟ ଅର୍ଥ ଆଇସିସିରେ ଜମା କରିଥିଲା। ​‌ଇତିମଧ୍ୟରେ ଦୁଇ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ବିସିସିଆଇ ପକ୍ଷରୁ ଏ ସଂକ୍ରାନ୍ତରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଥିବାରୁ ଆଇସିସି ବର୍ତ୍ତମାନ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ପ୍ରକାଶ। ବିସିସିଆଇର ପୂର୍ବତନ ସଭାପତି ଶଶାଙ୍କ ମନୋହର ସଂପ୍ରତି ଆଇସିସି ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ମତରେ ବିଶ୍ବକପ ଆ​‌େ​‌ୟାଜନ ଅଧିକାର ହରାଇବା ପରିବର୍ତ୍ତେ ବିସିସିଆଇ ଏହି ଅର୍ଥ ତୁରନ୍ତ ପୈଠ କରିଦେବା ଉଚିତ। ଗତବର୍ଷ ଅକ୍ଟୋବରରେ ସିଙ୍ଗାପୁରରେ ଆଇସିସି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏ ପ୍ରସଙ୍ଗରେ ଆଲୋଚନା ହୋଇ ବିସିସିଆଇକୁ ଅବଗତ କରାଯାଇଥିଲା। ଆଇସିସି ପକ୍ଷରୁ ଷ୍ଟାର ଟିଭିିକୁ ପ୍ରସାରଣ ଅଧିକାର ମିଳିଥିଲା।
ଟ୍ବେଣ୍ଟି୨୦ ବିଶ୍ବକପ ସମୟରେ ଷ୍ଟାର ଟିଭି କର୍ତ୍ତୃପକ୍ଷ ଟିକସ ଅର୍ଥ ବାଦଦେଇ ଆଇସିସିକୁ ଅବଶିଷ୍ଟ ଅର୍ଥ ପ୍ରଦାନ କରିଥିଲା। ସେହି ଟିକସ ବାବଦ ଅର୍ଥ ବିିସିସିଆଇ ବହନ କରିବା କଥା। ତେବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ସମୟରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ବିସିସିଆଇକୁ ଟିକସ ବାବଦରେ କୌଣସି ରିଆତି ପ୍ରଦାନ କରିନଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ବିସିସିଆଇର ପରିଚାଳନା ଦାୟିତ୍ବ ବର୍ତ୍ତମାନ ପ୍ରଶାସକ କମିଟି ଉପରେ ନ୍ୟସ୍ତ କରାଯାଇଛି। ତେଣୁ ଆଗାମୀ ଦଶ ଦିନରୁ କମ ସମୟ ଥିବାବେଳେ ପ୍ରଶାସକ କମିଟି ବର୍ତ୍ତମାନ ଏ ପ୍ରସଙ୍ଗ ନେଇ ଚିନ୍ତାରେ ପଡିଛି।
ଅପରପକ୍ଷରେ ସିଙ୍ଗାପୁର ବୈଠକରେ ଏହି ବକେୟା ଅର୍ଥ ପୈଠ କରିବା ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇନଥିଲା ବୋଲି ବିସିସିଆଇ ଦାବି କରିଛି ଏବଂ ଉକ୍ତ ବୈଠକରେ ହୋଇଥିବା ମୁଖ୍ୟ ନିଷ୍ପତ୍ତିଗୁଡିକର ରିପୋର୍ଟ ପ୍ରଦାନ କରିବାକୁ ଆଇସିସିକୁ ଅନୁରୋଧ କରିଛି। ତେବେ ଆଇସିସି ପକ୍ଷରୁ ଏ ବାବଦରେ କୌଣସି ସୂଚନା ମିଳିନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଜଣାଇଛନ୍ତି। ୨୦୧୬ରେ ଏନ.ଶ୍ରୀନିବାସନ ବିସିସିଆଇ ସଭାପତି ଦାୟିତ୍ବ ବହନ କରୁଥିଲେ। ଟିକସ ରିଆତି ବାବଦ କ୍ଷତିପୂରଣ ଅର୍ଥ ପୈଠ କରିବା ନେଇ ଆଇସିସିକୁ ସେତେବେଳେ କୌଣସି ମୌଖିକ କିମ୍ବା ଲିଖିତ ପ୍ରତିଶ୍ରୁତି ଦିଆଯାଇନଥିଲା ବୋଲି ଶ୍ରୀନିବାସନ କହିଛନ୍ତି।

Leave A Reply