କାଉଣ୍ଟରରୁ ବିଶ୍ୱକପ୍‍ ଟିକଟ କିଣିବାକୁ ପ୍ରବଳ ଭିଡ଼

0

ଭୁବନେଶ୍ୱର/କଟକ : ଚଳିତମାସ ୨୯ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜନ ହେବ ୧୪ଶ ପୁରୁଷ ହକି ବିଶ୍ୱକପ୍‍। କିଛିମାସ ହେଲା ଅନ୍‍ଲାଇନ୍‍ରେ ଏହି ହକି ମହାକୁମ୍ଭର ଟିକଟ ବିକ୍ରି ଚାଲିଥିଲା। ତେବେ ସୋମବାର କଳିଙ୍ଗ ଷ୍ଟାଡିୟମ୍‍ର ଟିକଟ କାଉଣ୍ଟର ଏବଂ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ସାଧାରଣ କ୍ରୀଡ଼ାପ୍ରେମୀଙ୍କ ଲାଗି ଟିକଟ ବିକ୍ରି ଆରମ୍ଭ ହୋଇଛି। ଏହି ଟିକଟ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। କଳିଙ୍ଗ ଷ୍ଟାଡିୟମ୍‍ର ଏକାଧିକ ଟିକଟ କାଉଣ୍ଟର ସମ୍ମୁଖରେ ଟିକଟ ଆଶାୟୀଙ୍କ ଲମ୍ବା ଧାଡ଼ି ଦେଖି ସ୍ପଷ୍ଟ ସୂଚନା ମିଳିଥିଲା ଯେ ରାଜ୍ୟରେ ଏବେଠାରୁ ହକି ଫିଭର ଆରମ୍ଭ ହୋଇଯାଇଛି। ଦେଶରେ ୩ୟ ଏବଂ ଓଡ଼ିଶାରେ ପ୍ରଥମଥର ଆୟୋଜନ ହେଉଥିବା ଏହି ହକି ବିଶ୍ୱକପ୍‍ ଦେଖିବାର ସୁଯୋଗ ଛାଡ଼ିବାକୁ କେହି ବି ପ୍ରସ୍ତୁତ ନୁହନ୍ତି। ହକି ବିଶ୍ୱକପ୍‍ର ବିଗୁଲ ବାଜିବା ପାଇଁ ଆଉ ମାତ୍ର ୨୨ ଦିନ ଥିବା ବେଳେ ୧୯ ଦିନ ଧରି ଚାଲିବାକୁ ଥିବା ଏହି ହକି ମହାମେଳାରେ ନିଜକୁ ସାମିଲ କରିବା ଲାଗି ଓଡ଼ିଶାବାସୀ ପ୍ରସ୍ତୁତ।
ସୂଚନାଯୋଗ୍ୟ; ହକି ଇଣ୍ଡିଆ ପକ୍ଷରୁ ଏହି ଟିକଟ ବିକ୍ରି କରାଯାଉଛି। ପୂର୍ବରୁ ଘୋଷଣା କରା ଯାଇଥିଲା ଯେ ସୋମବାର କଳିଙ୍ଗ ଷ୍ଟାଡିୟମ୍‍ର ୯ନଂ ଫାଟକ ନିକଟରେ ଥିବା ୫ଟି ଟିକଟ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ଲାଗି ଟିକଟ ବିକ୍ରି କରାଯିବ। ଏହାସହ ଭୁବନେଶ୍ୱରର ୧୩ଟି ଏବଂ କଟକର ୨ଟି ବ୍ୟାବସାୟିକ ପ୍ରତିଷ୍ଠାନରେ ମଧ୍ୟ ଟିକଟ ବିକ୍ରି କରା ଯାଇଥିଲା। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଟିକଟ ବିକ୍ରି ଚାଲିଥିଲା। ଟିକଟ ଆଶାୟୀଙ୍କ ଲମ୍ବା ଧାଡ଼ିକୁ ଦେଖି ଟିକଟ ବିକ୍ରିକୁ ଶୃଙ୍ଖଳିତ କରିବା ଲାଗି କମିଶନରେଟ୍‍ ପୁଲିସ ପକ୍ଷରୁ ବ୍ୟାପକ ନିରାପତ୍ତା ବନ୍ଦୋବସ୍ତ କରା ଯାଇଥିଲା। ପ୍ରଥମଦିନର ଟିକଟ ବିକ୍ରି ପରେ ଜାଣିବାକୁ ମିଳିଛି ଯେ ଡିସେମ୍ବର ୧୬ରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‍, ଉଭୟ ସେମିଫାଇନାଲ ମ୍ୟାଚ୍‍ ଏବଂ ଭାରତ ଖେଳିବାକୁ ଥିବା ସମସ୍ତ ଲିଗ୍‍ ମ୍ୟାଚ୍‍ର ଟିକଟ ସମାପ୍ତ ହୋଇଯାଇଛି। ବହୁତ ଲୋକ ଭାରତ ଖେଳିବାକୁ ଥିବା ଲିଗ୍‍ ମ୍ୟାଚ୍‍ର ଟିକଟ କିଣିବାକୁ ଯାଇଥିଲେ ହେଁ ଏହା ନପାଇ ନିରାଶ ହୋଇ ଫେରିଥିଲେ।
ଏଥିରୁ ସ୍ପଷ୍ଟ ଯେ ଭାରତ ଖେଳିବାକୁ ଥିବା ମ୍ୟାଚ୍‍ରେ ଦଳକୁ ସମର୍ଥନ ଦେବା ପାଇଁ ଗ୍ୟାଲେରୀରେ ଭରପୂର ଘରୋଇ ସମର୍ଥକ ରହିବେ। ସେହିପରି ଭୁବନେଶ୍ୱର ଓ କଟକର ବିଭିନ୍ନ ଆଉଟ୍‍ଲେଟ୍‍ରେ କଳିଙ୍ଗ ଷ୍ଟାଡିୟମ୍‍ ପରି ଭିଡ଼ ନଥିଲେ ମଧ୍ୟ ସମସ୍ତ ସ୍ଥାନରେ ୫୦ରୁ ୧୦୦ ଜଣ ପର୍ଯ୍ୟନ୍ତ ଟିକଟ ଆଶାୟୀଙ୍କୁ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ କମ୍ପ୍ୟୁଟରରେ ତ୍ରୁଟି ଦେଖାଦେବାରୁ ଟିକଟ ମିଳିବାରେ ବିଳମ୍ବ ହୋଇଥିଲା। ଫଳରେ ଟିକଟ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଥିଲା। ବାକି ରହିଥିବା ଟିକଟ ସମାପ୍ତ ହେବା ପର୍ଯ୍ୟନ୍ତ ଟିକଟ ବିକ୍ରି ଜାରିରହିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ। ଏଣେ ଏହି ହକି ବିଶ୍ୱକପ୍‍ର ପ୍ରଚାର ଲାଗି ଏହାର ଆୟୋଜକ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Leave A Reply