ହକି ବିଶ୍ୱକପ୍‌ ପାଇଁ ଖୋଲିଲା ଖଦି ହାଟ ; ଦେଶ ବିଦେଶରେ ପହଞ୍ଚିବ ରାଜ୍ୟର ପାରମ୍ପରିକ ବସ୍ତ୍ର

0

ଭୁବନେଶ୍ୱର: ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ଦେଶ ବିଦେଶରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚିବ। ଅନ୍ତର୍ଜାତୀୟ ବଜାରରେ ପାରମ୍ପରିକ ବସ୍ତ୍ରର ଚାହିଦା ପୂରଣ କରିବେ ଆମର ବୁଣାକାର। ଏହା ସହିତ ବିଲରୁ କପା ସଂଗ୍ରହ ଠାରୁ ଆରମ୍ଭ କରି ବଜାରକୁ ବସ୍ତ୍ର ଯିବା ପର୍ଯ୍ୟନ୍ତ ପୂରା ପ୍ରକ୍ରିୟା ସମ୍ପର୍କରେ ବାହାରୁ ଆସିଥିବା ଅତିଥି ଜାଣିବାକୁ ପାଇବେ। ଏହି ଉଦ୍ଦେଶ୍ୟ ନେଇ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଖଦି ହାଟ ବିଶ୍ୱବାସୀଙ୍କୁ ଏହି ବାର୍ତ୍ତା ଦେଉଛି। ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି।
ଆଜି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ବୋର୍ଡ ପରିସରରେ ଆୟୋଜିତ ଖଦି ହାଟର ଶୁଭାରମ୍ଭ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌୍‌ରେ ଚାଲିଥିବା ହକି ବିଶ୍ୱକପ୍‌ ଓ ଏଥିପାଇଁ ଆୟୋଜିତ ଡଟ୍‌ ଫେଷ୍ଟ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଖଦି ହାଟ ଜାରି ରହିବ। ୧୬ଟି ଦେଶର ଖେଳାଳିଙ୍କ ସମେତ ଅଫିସିଆଲ୍‌, ବିଭିନ୍ନ ଦେଶର ଅତିଥିଙ୍କ ନିକଟରେ ଓଡ଼ିଶାର ପାରମ୍ପରିକ ବସ୍ତ୍ରକୁ ପହଞ୍ଚାଇବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ଉଦ୍‌ଘାଟନ କାର୍ଯ୍ୟକ୍ରମ ଅବସରରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ସଚିବ ସରୋଜ କୁମାର ପଟେଲ, ଇଣ୍ଡିଆନ୍‌ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଶଶିଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଖଦି ହାଟରେ ୨୫ଟି ଷ୍ଟଲ୍‌ରେ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବସ୍ତ୍ର ପ୍ରଦର୍ଶିତ ହେଉଛି। ଏଥିସହ ଉଭୟ ଆଧୁନିକ ଓ ପୁରାତନ ବସ୍ତ୍ର ପ୍ରସ୍ତୁତ ପ୍ରଣାଳୀକୁ ଦେଖିବାର ସୁଯୋଗ ମଧ୍ୟ ମିଳୁଛି। ଏଠାରେ ରେଶମ ପାଟ ଶାଢ଼ି ଅନ୍ତର୍ଗତ ମାଣିଆବନ୍ଧ, ସମ୍ବଲପୁରୀ, ନୂଆପାଟଣା ଖଣ୍ଡୁଆ, ନବରଙ୍ଗୀ, ତରବାଲି, ପାସପଲି, ବିଚିତ୍ରପୁରୀ ଭଳି ହଜାର ହଜାର ବର୍ଷ ପୁରାତନ ବସ୍ତ୍ରର ସମ୍ଭାର ଦେଖିବାକୁ ମିଳିବ। ସେହିପରି ଟସର ଖଦି, କୋଟପାଟ ଡିଜାଇନ୍‌, ସୂତା ପ୍ରସ୍ତୁତ ବସ୍ତ୍ରର ଅଭାବ ନାହିଁ। ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଖଦି ହାଟରେ ଭଳିକି ଭଳି ବସ୍ତ୍ରର ସମ୍ଭାର ଲାଗିଛି। ରାଜ୍ୟର ବିଭିନ୍ନ ଜିଲାରୁ ୨୫ଟି ଖଦି ସମିତି ଏଠାରେ ନିଜର ପସରା ମେଲାଇଛନ୍ତି। ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା କହିଛନ୍ତି, ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ୧୭ ଦିନ ପର୍ଯ୍ୟନ୍ତ ଖଦି ହାଟ ଆୟୋଜିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ହକି ବିଶ୍ୱକପ୍‌ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ହୋଇଥିବା ବେଳେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ଅତିଥି ଭୁବନେଶ୍ୱରରେ ଉପସ୍ଥିତ ଅଛନ୍ତି।
ଏହି ଅବସରରେ ସେମାନେ ଖଦି ହାଟକୁ ଆସି ଆମର ପାରମ୍ପରିକ ଓ ଦୁର୍ଲଭ ବସ୍ତ୍ର ସମ୍ପର୍କରେ ଜାଣିବାକୁ ପାଇବେ। ସେମାନେ ଏଠାରେ ବସ୍ତ୍ର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଜାଣିବାକୁ ପାଇବେ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ଖଦି ସମିତିଙ୍କୁ ଅଣାଯାଇ ବିନା ମୂଲ୍ୟରେ ସେମାନଙ୍କୁ ଏଠାରେ ନିଜ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରି ପାଇଁ ସୁଯୋଗ ଦିଆଯାଉଛି। ହକି ଖେଳାଳି ଏବଂ ଅତିଥିଙ୍କୁ ଖଦି ହାଟକୁ ଆଣିବା ପାଇଁ ବୋର୍ଡ ପକ୍ଷରୁ କ୍ରୀଡ଼ା ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

Leave A Reply