ବିଶ୍ବକପ୍‌ ହକି ସୁରକ୍ଷା ବ୍ୟବସ୍ଥା , କମିସନରେଟ ପୁଲିସକୁ ୧୦ ଟିମ୍‌ର ପ୍ରଶଂସା

0

ଭୁବନେଶ୍ବର: ପୁରୁଷ ବିଶ୍ବକପ୍‌ ହକିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଂଶଗ୍ରହଣ କରିଥିବା ୧୬ଟି ଦେଶର ଖେଳାଳିମାନେ କମିସନରେଟ୍‌ ପୁଲିସକୁ ପ୍ରଶଂସା କରିଛନ୍ତି। ପୁଲିସ ପକ୍ଷରୁ ଗତ ୫ ତାରିଖରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କୌଣସି ସମସ୍ୟା ଓ ତ୍ରୁଟି ରହିଛି କି ନାହିଁ ସେସମ୍ପର୍କରେ ମତାମତ ଲୋଡ଼ାଯାଇଥିଲା। କମିସନରେଟ୍‌ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ପ୍ରମୁଖ ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ, ନ୍ୟୁଜିଲାଣ୍ଡ, ଭାରତ, ନେଦରଲାଣ୍ଡ ଓ ଅନ୍ୟମାନେ ପ୍ରଶଂସା କରିଥିବା ପୁଲିସ କମିସନ ସତ୍ୟଜିତ ମହାନ୍ତି କହିଛନ୍ତି।
ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ଆଖପାଖ ସୁରକ୍ଷା, ହୋଟେଲ୍‌ ଏବଂ ଟ୍ରାଫିକ୍‌ ବନ୍ଦୋବସ୍ତ କିଭଳି ରହିଛି ସେସମ୍ପର୍କରେ ମତାମତ ଦେବାକୁ ଟିମ୍‌ ପରିଚାଳକଙ୍କ ଏକ ପତ୍ର ଲେଖାଯାଇଥିଲା। ଗତ ୧୧ ତାରିଖଠାରୁ ପ୍ରାୟତଃ ଟିମ୍‌ର ମ୍ୟାନେଜର ପୁଲିସ କମିସନରଙ୍କୁ ଇ-ମେଲ୍‌ ଓ ପତ୍ରରେ କମିସନରେଟ୍‌ ପୁଲିସ ଏବଂ ଓଡ଼ିଶା ପୁଲିସକୁ ସୁରକ୍ଷା ବନ୍ଦୋବସ୍ତକୁ ନେଇ ପ୍ରଶଂସା କରିଛନ୍ତି। କମିସନରେଟ୍‌ ପୁଲିସ ଅତ୍ୟନ୍ତ ନମ୍ର, ଭଦ୍ର ଓ ମେଳାପି ବୋଲି ସେମାନେ ମତ ଦେଇଥିବା କମିସନର ଶ୍ରୀ ମହାନ୍ତି କହିଛନ୍ତି। ଅଷ୍ଟ୍ରେଲିଆ ଟିମ୍‌ ତାଙ୍କ ମତାମତରେ ପ୍ରଶଂସା କରିବା ସହିତ ଉଲ୍ଲେଖ କରିଥିଲେ, ହୋଟେଲ୍‌ରୁ ଅଭ୍ୟାସ ହେଉ ବା ମ୍ୟାଚ୍‌ ଖେଳିବାକୁ ଆସିବା ସମୟରେ ସେମାନେ କିଛି ସାମଗ୍ରୀ ଛାଡ଼ି ଆସିଥିଲେ ପୁଲିସ ବିନା ଦ୍ବିଧାରେ ଆଣି ସେମାନଙ୍କୁ ଦେଇଥାଏ। ଇଂଲଣ୍ଡ ଟିମ୍‌ର ସଦସ୍ୟଙ୍କ ମତରେ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀମାନେ ସେମାନଙ୍କ ବନ୍ଧୁକକୁ ଲୁଚାଇ ରଖିଥାଆନ୍ତି। ଇଂଲଣ୍ଡ ପୁଲିସ ଭଳି କମିସନରେଟ୍‌ ପୁଲିସ ମଧ୍ୟ ସେମାନଙ୍କ ବନ୍ଧୁକକୁ ଲୁଚାଇ ରଖିବା ପାଇଁ ଯଥେଷ୍ଟ ପ୍ରୟାସ କରୁଥିବାରୁ ଏହାକୁ ସେ ପ୍ରଶଂସା କରିଥିବା କମିସନର କହିଛନ୍ତି।
ବିଭିନ୍ନ ରାଷ୍ଟ୍ରର ଭାଷା ଓ ସଂସ୍କୃତି ଅଲଗା ହୋଇଥିଲେ ମଧ୍ୟ ପୁଲିସର ବ୍ୟବହାରରେ ସେମାନଙ୍କ ହୃଦୟ ଜିତି ପାରିଛି। ଏହା ଓଡ଼ିଶା ପୁଲିସ ପାଇଁ ଏକ ବଡ଼ ଅଭିଜ୍ଞତା। ଯାହା ଫଳରେ ଆଗାମୀ ଦିନରେ ରାଜ୍ୟରେ କୌଣସି ବଡ଼ କ୍ରୀଡା ବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲେ ତାକୁ ପୁଲିସ ସହଜରେ ଆୟୋଜନ କରିପାରିବ।
ଏଥିପାଇଁ ଓଡ଼ିଶା ପୁଲିସର ସମସ୍ତ ଅଫିସର, ସିପାହି ଓ କନ୍‌ଷ୍ଟେବଳଙ୍କୁ ସାଧୁବାଦ ଦେବା ସହିତ ଏହା ଓଡ଼ିଶା ପୁଲିସ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ।

Leave A Reply