ଟାର୍ଗେଟରେ ହିନ୍ଦୁ ଭୋଟ ବ୍ୟାଙ୍କ: ରାମ, ବିଷ୍ଣୁଙ୍କୁ ନେଇ ରାଜନୀତି ସରଗରମ

0

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିରେ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ପୁଣି ଥରେ କୁହୁଳିବାରେ ଲାଗିଛି। ଅଯୋଧ୍ୟା ରାମ ମନ୍ଦିର ନର୍ମାଣ ପ୍ରସଙ୍ଗ ଯଦିଓ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି ତେବେ ରାଜନୈତିକ ଦଳ ଏହି ମନ୍ଦିରକୁ ନେଇ ରାଜନୀତି କରିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। କେବଳ ବିଜେପି କାହିଁଁକି ଏହି ପ୍ରସଙ୍ଗକୁ ନେଇ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କ ମନ୍ତବ୍ୟ ଦେଉଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ବିଜୟକୁ ୪ବର୍ଷରୁ ଅଧିକ ସମୟ ବିତି ଯାଇଛି । ବିଗତ ନିର୍ବାଚନ ପ୍ରଚାରରେ ସମସ୍ତ ରାଜନୈତିକ ଦଳ ଏକତ୍ରିତ ହୋଇ ବିଜେପି ନେତା ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ ମଧ୍ୟ ମୋଦୀ ବିପୁଳ ଭୋଟରେ ବିଜୟୀ ହୋଇ ଅନ୍ୟାନ୍ୟ ରାଜନୈତିକ ଦଳକୁ ଚକିତ କରି ଦେଇଥିଲେ। ଏହା ହିଁ କାରଣ ଥିଲା କଂଗ୍ରେସ ପରି ବଡ଼ ରାଜନୈତିକ ଦଳ ମଧ୍ୟ ମୋଦୀ ସରକାରଙ୍କ ପ୍ରଥମ ୨ବର୍ଷ ମୌନ ପାଲଟି ଯାଇଥିଲା। ଦେଶବାସୀଙ୍କ ମୋଦୀ ପ୍ରତି ଆସ୍ଥାର କାରଣ ଖୋଜିବା ପୂର୍ବରୁ କୌଣସି ମନ୍ତବ୍ୟ ଦେଇ ବିବାଦରେ ଫସିବାକୁ ଚାହୁଁ ନଥିଲେ ଅନ୍ୟାନ୍ୟ ରାଜନୈତିକ ଦଳ।
ବିଜେପିର ହିନ୍ଦୁ ଭୋଟ ବ୍ୟାଙ୍କ ବିଗତ ନିର୍ବାଚନରେ ବିଜେପିର ସଫଳତାର କାରଣ ବୋଲି ସ୍ପଷ୍ଟ ହେବା ପରେ ଏବେ ଆରମ୍ଭ ହୋଇଛି ବୟାନବାଜି। ୨୦୧୯ ନିର୍ବାଚନ ପୂର୍ବରୁ ପ୍ରାୟ ସମସ୍ତ ରାଜନୈତିକ ଦଳ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶିବ ଭକ୍ତରେ ରୂପାନ୍ତରିତ ହୋଇଛନ୍ତି। ମହାରାଷ୍ଟ୍ରରେ ବୁଲିବୁଲି ମନ୍ଦିର ଦର୍ଶନ କରିବା ସହ ଆରତିରେ ଭାଗ ନେଉଛନ୍ତି। ମମତା ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଉପଲକ୍ଷେ ୨୮କୋଟି ଟଙ୍କା ଚାନ୍ଦା ବାଣ୍ଟିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରାଜ୍ୟରେ ସବୁଠାରୁ ବଡ଼ ବିଷ୍ଣୁ ମନ୍ଦିର ନିର୍ମାଣର ପ୍ରତିଶ୍ରୁତି ଦେଇଛନ୍ତି।
ହିନ୍ଦୁ ଭୋଟ ବ୍ୟାଙ୍କ ବାସ୍ତବରେ ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଏ କି ନାହିଁ ଏହାକୁ ନେଇ ନାନା ମୁନିଙ୍କ ନାନା ମତ। ତଥାପି ହିନ୍ଦୁଙ୍କୁ ପ୍ରଭାବିତ କରିବାକୁ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ବୟାନବାଜି ଓ ପ୍ରତିଶ୍ରୁତି ବଢିବାରେ ଲାଗିଛି। ନିକଟରେ ଶିବସେନା ମଧ୍ୟ ରାମ ମନ୍ଦିର ସମର୍ଥନରେ ବୟାନ ଦେଇ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ଶୀଘ୍ର ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବିଜେପିକୁ ଚେତାବନୀ ଦିଆଯାଇଛି।
୨୦୦୦ଏକର ଜାଗା ଉପରେ ଧଳା ରଙ୍ଗର ଏହି ବିଷ୍ଣୁ ମନ୍ଦିର ଲାୟନ ସାଫାରି ନିକଟରେ ନିର୍ମାଣ କରାଯିବ ବୋଲି ଅଖିଳେଶ ପ୍ରକାଶ କରିଥିଲେ। ଏପରିକି ୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ଦ୍ୱାରା ୫୦ଫୁଟ ଉଚ୍ଚତା ବିଶିଷ୍ଟ କୃଷ୍ଣ ମୂର୍ତ୍ତି ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଏସବୁ ପ୍ରତିଯୋଗିତାରେ ସାଂସଦ ଓ ବିଧାୟକ ମଧ୍ୟ ନିଜ ରାଜନୈତିକ ସ୍ଥିତି ସୁଦୃଢ କରିବା ଉଦ୍ଦେଶ୍ୟରେ ଓହ୍ଲାଇ ପଡ଼ିଛନ୍ତି। ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ ସୁରେନ୍ଦ୍ର ସିଂହ ନାଗର ଆଉ ମାତ୍ର ୩ରୁ ୬ମାସ ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ମତବ୍ୟକ୍ତ କରିଛନ୍ତି। ସେ ତାଙ୍କ ଭାଷଣରେ ନିଜକୁ ଜଣେ ବଡ଼ ରାମ ଭକ୍ତ ବୋଲି ପ୍ରକାଶ କରିବା ସହ ଲୋକସଭା ନର୍ବାଚନ ପୂର୍ବରୁ ଦେଶରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ନିକଟରେ ସନ୍ଥ ସମାଜର ଅଧିବେଶନରେ ମଧ୍ୟ ମୋଦୀ ସରକାରଙ୍କୁ ରାମ ମନ୍ଦିର ନିର୍ମାଣ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ମତପ୍ରକାଶ ପାଇଥିଲା। ମୋଦୀ ସରକାର ଲୋକସଭା ଓ ରାଜ୍ୟ ସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ମନ୍ଦିର ନିର୍ମାଣ ଆଇନକୁ ଲାଗୁ କରିବାକୁ ସନ୍ଥ ସମାଜ ମୋଦୀ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଯେଉଁ ରାଜନୈତିକ ଦଳ ଏହି ଆଇନକୁ ବିରୋଧ କରିବ ସନ୍ଥ୍ଥ ସମାଜ ସେହି ରାଜନୈତକି ଦଳର ଅସ୍ଥିତ୍ୱ ହଜାଇଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ଏଭଳି ପରିସ୍ଥିତିରେ ରାମ ମନ୍ଦିର କେବଳ ଏକ ଧାର୍ମିର୍କ ଆସ୍ଥାର ପ୍ରତୀକ ନହୋଇ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି କହିଲେ ଭୁଲ ହେବ ନାହିଁ। ତେବେ ଆଗାମୀ ଦିନରେ ରାଜନୈତିକ ଦଳର ଏହି ରଣନୀତି ସେମାନଙ୍କୁ କେତେଦୂର ସଫଳ କରିବ ତାହା ୨୦୧୯ ନିର୍ବାଚନ ପରେ ହିଁ ଜଣା ପଡ଼ିବ।

Leave A Reply