ଆମେରିକା କମ୍ପାନୀ ଆଲେରିସ୍‍କୁ ୧.୭୭ ଲକ୍ଷ କୋଟିରେ କିଣିବ ହିଣ୍ଡାଲକୋ

0

ମୁମ୍ବଇ : ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀ ହିଣ୍ଡାଲକୋ ଆମେରିକାର ଆଲୁମିନିୟମ କମ୍ପାନୀ ଆଲେରିସ୍‍ କର୍ପୋରେସନ୍‍ କମ୍ପାନୀକୁ କିଣିବାକୁ ଯାଉଛି। ଏନେଇ ଉଭୟ କମ୍ପାନୀଙ୍କ ମଧ୍ୟରେ ୧.୭୭ ଲକ୍ଷ କୋଟି ଟଙ୍କା (୨.୫୮ ଶହ ଡଲାର)ରେ ଚୁକ୍ତି ହୋଇଛି। ହିଣ୍ଡାଲକୋ ନିଜ ସହଯୋଗୀ ନୋଭେଲିସ୍‍ ମାଧ୍ୟମରେ ଆମେରିକା କମ୍ପାନୀର ଅଧିଗ୍ରହଣ କରିବ। ଏହି କିଣାବିକା ପରେ ନୋଭେଲିସ୍‍ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଆଲୁମିନିୟମ କମ୍ପାନୀ ହୋଇଯିବ। ନୋଭେଲିସର ବାର୍ଷିକ ଆୟ ୨୧ ଶହ କୋଟି ଡଲାର ରହିଛି ଓ ଏହାର କର୍ମଚାରୀ ସଂଖ୍ୟା ହେଉଛି ୪୦,୦୦୦। ତେବେ ଏହି ଚୁକ୍ତି ପରେ କିଣାବିକା ପ୍ରକ୍ରିୟା ପାଇଁ ନିୟନ୍ତ୍ରକଙ୍କ ଅନୁମତି ଓ ମଞ୍ଜୁରି ଆବଶ୍ୟକ। ଚୁକ୍ତି ଅନୁସାରେ ହିଣ୍ଡାଲକୋ ଆଲେରିସ୍‍ କର୍ପୋରେସନ୍‍ର ଉତ୍ତର ଆମେରିକା, ଏସିଆ ଏବଂ ୟୁରୋପରେ ଥିବା ୧୩ଟି ଉତ୍ପାଦନକାରୀ କାରଖାନାକୁ ଅଧିଗ୍ରହଣ କରିବ। ଏହା ହିଣ୍ଡାଲକୋର ଦ୍ୱିତୀୟ ସର୍ବବୃହତ ଅଧିଗ୍ରହ ହେବ। ୧୨ ବର୍ଷ ତଳେ ହିଣ୍ଡାଲକୋ ୬ ଶହ କୋଟି ଡଲାର ବିନିମୟରେ ନୋଭେଲିସ୍‍ କମ୍ପାନୀକୁ କିଣିଥିଲା। ଏନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ ମୁଖ୍ୟ କୁମାର ମଙ୍ଗଳମ କହିଛନ୍ତି ଯେ ଆଲେରିସ୍‍ କର୍ପୋରେସନ୍‍ ଅଧିଗ୍ରହଣ ଆଲୁମିନିୟମ ବ୍ଲ୍ୟୁ ଏଡେଡ ଉତ୍ପାଦ ବୃଦ୍ଧି କରିବାରେ ସହାୟକ ହେବ। ଆଲେରିସ୍‍ ମହାକାଶ ଯାନ ନିର୍ମାଣ ଏବଂ ଅଟୋମୋବାଇଲ ଶିଳ୍ପ ପାଇଁ ଆଲୁମିନିୟମ ଉତ୍ପାଦ ଯୋଗାଇ ଆସୁଛି। ଏବେ ଏହା ଉପରେ ହିଣ୍ଡାଲକୋର ଏକଚାଟିଆ ଅଧିକାର ହେବ।

Leave A Reply