‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ

0

କଟକ :  ପ୍ରତି ଗାଁ, ସହରର ପ୍ରତି ଘରେ ଅଛନ୍ତି ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଏବଂ ବିଜୁ ପଟ୍ଟନାୟକଙ୍କ ଭଳି ମହାମନିଷୀ। ଧର୍ମପଦଙ୍କ ଭଳି ବୀର ମଧ୍ୟ ରହିଛନ୍ତି। ପ୍ରତି ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ଭରିରହିଛି । ସେମାନଙ୍କୁ ସମାଜରେ ସ୍ୱତନ୍ତ୍ର ପରିଚୟ ମିଳିପାରୁନାହିଁ। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି ବିଜୁ ଯୁବ ବାହିନୀ ଅନ୍ତର୍ଗତ ‘ମୁଁ ହିରୋ…ମୁଁ ଓଡ଼ିଶା’ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି।
ସୋମବାର ଅପରାହ୍ଣରେ କଟକ ଜବାହରଲାଲ ନେହରୁ ଇନ୍‍ଡୋର ଷ୍ଟାଡିୟମ୍‍ଠାରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ବୀରପୁରୁଷଙ୍କ ମାଟି ହେଉଛି ଓଡ଼ିଶା। ଏଠି ବହୁ ମହାମନିଷୀ ଜନ୍ମଗ୍ରହଣ କରିଛନ୍ତି। ଓଡ଼ିଆର ବୀର ସନ୍ତାନମାନେ ସଂଗ୍ରାମ କରି ରାଜ୍ୟର ନାମକୁ ଉଚ୍ଚା କରିଛନ୍ତି। ସ୍ୱାଭିମାନ ଓଡ଼ିଶାରେ ଦକ୍ଷତାସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ଅଭାବ ନାହିଁ। ହେଲେ ଏହି ପ୍ରତିଭାଙ୍କୁ ସଠିକ ସମ୍ମାନ ମିଳୁନାହିଁ। ଗାଁ ମଲ୍ଲୀ ଗାଁରେ ଫୁଟି ମଉଳି ଯାଉଛି। ଏହି ଗାଁର ମଲ୍ଲୀମାନଙ୍କୁ ଖୋଜି ବାହାର କରି ହିରୋର ଆଖ୍ୟା ଦିଆଯିବ। ପରିବର୍ତ୍ତନର ବାହକମାନଙ୍କୁ ପୁରସ୍କୃତ ମଧ୍ୟ କରାଯିବ। ଏହି ଅଭିଯାନ ଦ୍ୱାରା ପ୍ରତ୍ୟେକ ଲୋକଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ଚିହ୍ନଟ କରିବା ଓ ସ୍ୱୀକୃତି ଦେବା ଏହି ଯୋଜନାର ମୁଖ୍ୟଲକ୍ଷ୍ୟ ବୋଲି ସେ କହିଥିଲେ। ଏହି ଅବସରରେ ବିଜୁ ଯୁବ ବାହିନୀର ଏକ ସ୍ୱତନ୍ତ୍ର ୱେବ୍‍ସାଇଟ୍‍କୁ ସେ ଉନ୍ମୋଚନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଝିଲ୍ଲୀ ଦଳବେହେରା, ମହମ୍ମଦ ଜାଫର ଇକ୍‍ବାଲ, ମୁନି ଟିଗା, ନୀଳମାଧବ ବେହେରା, ସ୍ୱର୍ଣ୍ଣଲତା ଦଳାଇ, ମମତା ଦଳାଇଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ବକ୍ତବ୍ୟ ପ୍ରଦାନ କରିବା ସହିତ ମୁଁ ହିରୋ ‘ସିଗ୍‍ନେଚର ସଙ୍ଗୀତ’ର ଶୁଭ ଉନ୍ମୋଚନ କରିଥିଲେ।

ସ୍ୱାସ୍ଥ୍ୟ, ଆଇନ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, କ୍ରୀଡା ଓ ଯୁବ ସେବାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତକୁମାର ତ୍ରିପାଠୀ, ବିଧାୟକ ଡା. ପ୍ରମୋଦ କୁମାର ମଲ୍ଲିକ, ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଓ ନରେନ୍ଦ୍ରକୁମାର ସ୍ୱାଇଁ, ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ବିଶାଳ କୁମାର ଦେବ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ଯୁବ କଲ୍ୟାଣ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚଞ୍ଚଲ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ମେୟର ମୀନାକ୍ଷୀ ବେହେରାଙ୍କ ସମେତ ଜିଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଜିଲାପାଳ ଅରବିନ୍ଦ ଅଗ୍ରଓାଲଙ୍କ ସମେତ ଦଳର ବରିଷ୍ଠ ନେତା ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ମୁଁ ହିରୋ ଯୋଜନା କ’ଣ
ଯୁବ ନେତୃତ୍ୱ, ସ୍ୱେଚ୍ଛାସେବୀ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଯୁବପ୍ରତିଭାଙ୍କୁ ସରକାର ଏହି ଯୋଜନାରେ ପ୍ରୋତ୍ସାହିତ କରିବେ। ସାମାଜିକ ପରିବର୍ତ୍ତନ, ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟଖସଡା, ସମାଜରେ ଦେଖା ଦେଉଥିବା ସମସ୍ୟା ସମାଧାନ ସକାଶେ ନିର୍ଦିଷ୍ଟ ରଣନୀତି ଓ ଯୁବବର୍ଗଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଥିବା ସମସ୍ୟାର ସମାଧାନ ଦିଗରେ ସେମାନେ ଚିନ୍ତା, ଚେତନା ମତ ପରିପ୍ରକାଶ କରିବେ। ଏହିସବୁ ଦିଗରେ ସ୍ୱତନ୍ତ୍ର ମତ ଓ ମନ୍ତବ୍ୟ ଦେଇଥିବା ଜିଲାର ୫ଜଣ ଯୁବକଯୁବତୀଙ୍କୁ ଜିଲାର ଜିଲାପାଳ ଚିହ୍ନଟ କରିବେ। ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ବ୍ଲକସ୍ତରରେ ମନୋନୀତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବେ। ସେମାନଙ୍କ ନାଁ ଜିଲାସ୍ତରକୁ ପଠାଯିବ। ଜିଲା କ୍ରୀଡା ଅଧିକାରୀ ନୋଡାଲ ଅଫିସରଭାବେ ସମସ୍ତ ନାମାଙ୍କନପତ୍ର ଗ୍ରହଣ କରିବେ। ଜିଲାସ୍ତରରେ ଗଠିତ ବିଜୁ ଯୁବବାହିନୀ ଏହିସବୁ ଆବେଦନକୁ ଯାଞ୍ଚ ଓ ମନୋନୀତ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏଥିପାଇଁ ଜିଲାସ୍ତରରେ ଗଠିତ କମିଟି ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସାଉଁଟିଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ ବିଚାରକଭାବେ ଗ୍ରହଣ କରାଯାଇପାରିବ। ଜିଲାସ୍ତରରେ ସର୍ବାଧିକ ୧୦ଜଣ ଯୁବ ପ୍ରତିଭାଙ୍କୁ ଜିଲା ଯୁବ ସମ୍ମିଳନୀରେ ପୁରସ୍କୃତ କରାଯିବ। ଜିଲାସ୍ତରୀୟ କମିଟି ସେମାନଙ୍କ ମଧ୍ୟରୁ ୫ଜଣଙ୍କ ନାମ ରାଜ୍ୟସ୍ତରକୁ ସୁପାରିସ କରିବେ। ରାଜ୍ୟସ୍ତରରେ ହେବାକୁ ଥିବା ରାଜ୍ୟ ଯୁବ ସମ୍ମିଳନୀରେ ରାଜ୍ୟର ୧୫୦ଜଣ ଯୁବ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ।
Leave A Reply