୨୨ ମିନଟ୍ ଚାଲି ସୁସ୍ଥ ରୁହନ୍ତୁ

0

ବିଶେଷଜ୍ଞମାନେ ନିୟମିତ ଭାବେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଚାଲିବାକୁ ପରାମର୍ଶ ଦେଇଥାନ୍ତି। ଏହା ସୁସ୍ଥତାର ପ୍ରମୁଖ ରହସ୍ୟ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ଏଇ ନିକଟରେ କାନାଡାର ଗବେଷକ ଦଳ ସ୍ପଷ୍ଟ କରିଛନ୍ତି ଯେ ଦୈନିକ ପ୍ରତ୍ୟେକ ବର୍ଗ ଓ ବୟସର ଲୋକ ଅତିକମ୍‌‌ରେ ୨୨ ମିନିଟ୍ ଚାଲିଲେ ସେମାନେ ସୁସ୍ଥ ରହିପାରିବେ। ଏହା ସହ ଏକାଧିକ ରୋଗର ଆଶଙ୍କାରୁ ମଧ୍ୟ ନିଜକୁ ରକ୍ଷା କରିହେବ। ବିଭିନ୍ନ ଅନୁସନ୍ଧାନରୁ ପ୍ରକାଶ ଯେ ସାପ୍ତାହିକ ଜଣେ ବ୍ୟକ୍ତି ୩ ରୁ ୪ ଘଣ୍ଟା ଚାଲିଲେ ମସ୍ତିଷ୍କାଘାତର ଭୟକୁ ୩୦ ପ୍ରତିଶତ ଏଡ଼ାଇ ଦିଆଯାଇପାରିବ। ପ୍ରତ୍ୟହ ୩୦-୪୦ ମିନିଟ୍ ଚାଲିଲେ ହୃଦ୍‌ଘାତର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଅବସାଦଗ୍ରସ୍ତ ରୋଗୀ ଓ ମଧୁମେହ ରୋଗୀ ସକାଳବେଳା ଚାଲିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଔଷଧ ଭଳି କାମ କରିଥାଏ ବୋଲି ଜଣାପଡ଼ିଛି। ନିୟମିତ ଭାବେ ୧ଘଣ୍ଟା ଚାଲିଲେ ମେଦବହୁଳତାର ଆଶଙ୍କା କମ୍ ହେବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ରହେ। ସମୟ ଅଭାବର ଅଭିଯୋଗ କରୁଥିବା ଲୋକ କାର୍ଯ୍ୟାଳୟରୁ ଫେରି କିମ୍ବା ଘରୁ ବାହାରିବା ପୂର୍ବରୁ ଘର ଭିତରେ ଏପାଖସେପାଖ ହୋଇ ୨୨ ମିନିଟ୍ ଚାଲିପାରିବେ। ନିୟମିତ ଭାବେ ୨ ମାସ ଏପରି କଲେ ଫରକ୍ ଜାଣିପାରିବା ସହ ଜଣେ ବ୍ୟକ୍ତି ସୁସ୍ଥତା ଅନୁଭବ ମଧ୍ୟ କରିଥାଏ। ୧୩ ବର୍ଷ ଅନୁଧ୍ୟାନ କରିବା ପରେ କାନାଡାର ବିଶେଷଜ୍ଞ ଆର୍ଥର ଏନି କହିଛନ୍ତି ନିୟମିତ ଚାଲିବାକୁ ଆଦୌ ହେୟ ଜ୍ଞାନ କରନ୍ତୁନାହିଁ। ଏହା ଏକ ଦୈନନ୍ଦିନ କାର୍ଯ୍ୟ ଭାବି ଅନୁସରଣ କରିବା ଉଚିତ।

Leave A Reply