ପାକସ୍ଥଳୀ କର୍କଟ

0

ପାକସ୍ଥଳୀର ଅସାଧାରଣ କୋଷଗୁଡିକର ଅନିୟନ୍ତ୍ରିତ ବୃଦ୍ଧିକୁ ‘ପାକସ୍ଥଳୀ କର୍କଟ’ (ଷ୍ଟୋମାକ୍‌ କ୍ୟାନସର୍‌) ବା ‘ଗ୍ୟାଷ୍ଟ୍ରିକ କ୍ୟାନ୍‌ସର’ କୁହାଯାଏ। ଏହି କୋଷର ଉତ୍ପତ୍ତି ସ୍ଥଳ ଅନୁସାରେ ପାକସ୍ଥଳୀ କର୍କଟର ବିଭାଗୀକରଣ ହୁଏ। ଏହି କର୍କଟ ମଧ୍ୟରେ ୯୦ରୁ ୯୫% ହେଉଛି ‘ଆଡିନୋକାର୍ସିନୋମା’, ଯାହା ପାକସ୍ଥଳୀର ଗ୍ଲାଣ୍ଡୁଲାର୍‌ ଟିସ୍ୟୁରୁ ଆରମ୍ଭ ହୁଏ। ଏହା ବ୍ୟତୀତ ଲିମୋସ୍‌ (ଲସିକା ସଂସ୍ଥାନରୁ ଉତ୍ପତ୍ତି) ଓ ସାର୍କୋମାସ୍‌ (ସଂଯୋଗୀକରଣ ଟିସ୍ୟୁ ଯଥା- ମାଂସପେଶୀ, ଚର୍ବି ଓ ରକ୍ତବାହୀ ନଳୀ ଆଦି ସହ ସଂଶ୍ଲିଷ୍ଟ) ମଧ୍ୟ ଅନ୍ତର୍ଭୁକ୍ତ। ବିଭିନ୍ନ ପ୍ରକାର ପରୀକ୍ଷାରୁ ପାକସ୍ଥଳୀ କର୍କଟ କେତେ ଆକ୍ରାନ୍ତ କରିଛି ବୋଲି ଜଣାପଡେ।
ବର୍ତ୍ତମାନ ପାକସ୍ଥଳୀ କର୍କଟ ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଲାଣି। ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହା ଅଧିକ ଦେଖାଯାଏ। ପ୍ରାୟ ୫୦ବର୍ଷ ବୟସ ପରେ ଏହି ରୋଗର ଆଶଙ୍କା ବୃଦ୍ଧି ପାଏ। ପୁରୁଷଙ୍କଠାରେ ହେଉଥିବା ସମସ୍ତ ପ୍ରକାର କର୍କଟ ରୋଗ ମଧ୍ୟରେ ଏହାର ସ୍ଥାନ ଦ୍ୱିତୀୟ ଏବଂ ମହିଳାଙ୍କଠାରେ ତୃତୀୟ। ପାକସ୍ଥଳୀ କର୍କଟର ଲକ୍ଷଣଗୁଡିକ ବିଳମ୍ବରେ ଜଣାପଡୁଥିବାରୁ ରୋଗୀର ଅବସ୍ଥା ଗୁରୁତର ହୋଇପଡେ। ତେବେ ସମୟ ଥାଇ କେତେକ ଲକ୍ଷଣ ପ୍ରତି ସତର୍କ ହେଲେ ପାକସ୍ଥଳୀ କର୍କଟର ଭୟାବହତା ଦୂରେଇ ହେବ।
ଲକ୍ଷଣ: ଓଜନ ହ୍ରାସ, ଭୋକ ନ ହେବା, ବାନ୍ତି ଲାଗିବା ଓ ହେବା, ଅଜୀର୍ଣ୍ଣ (ହଜମ ନ ହେବା), ଛାତି ଜଳା ପୋଡା କରିବା, ଖାଇସାରିବା ପରେ ପେଟ ବ୍ୟଥା (ସାଧାରଣତଃ ଉପର ପେଟ), ଦୁର୍ବଳ ଓ ଥକ୍କା ଲାଗିବା, ପେଟ ଫୁଲିଲା ପରି ଲାଗିବା, ରକ୍ତ ବାନ୍ତି, କଳା ଝାଡା, ରକ୍ତହୀନତା, ଖାଦ୍ୟ ଗିଳିବାରେ କଷ୍ଟ।
କାରଣ: ୬୦ରୁ ୭୦% ପାକସ୍ଥଳୀ କର୍କଟ କ୍ଷେତ୍ରରେ ହେଲିକୋବ୍ୟାକ୍ଟର୍‌ ପାଇଲୋରି ଜୀବାଣୁ ସଂକ୍ରମଣ ହିଁ ମୁଖ୍ୟ କାରଣ ହୋଇଥାଏ। ଏହା ବ୍ୟତୀତ ଅତ୍ୟଧିକ ଲୁଣଯୁକ୍ତ ଖାଦ୍ୟ, ଧୂଆଁଯୁକ୍ତ ବା ପୋଡା ଖାଦ୍ୟ, ଅଧିକ ଦିନ ଧରି ସଂରକ୍ଷିତ ହୋଇ ରହିଥିବା ତଥା ଅତ୍ୟଧିକ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା, ଧୂମପାନ, ମଦପାନ, ମେଦବହୁଳତା, ଆନୁବଂଶିକ କାରଣ, ଗ୍ୟାଷ୍ଟ୍ରିକ୍‌ ରୋଗ ଚିକିତ୍ସାରେ ଅବହେଳା, ପୂର୍ବରୁ ପାକସ୍ଥଳୀ ସମ୍ବନ୍ଧୀୟ କିଛି ଶଲ୍ୟ ଉପଚାର (ପାର୍ସିଆଲ୍‌ ଗ୍ୟାଷ୍ଟ୍ରୋକ୍ଟୋମୀ) ହୋଇଥିଲେ- ପାକସ୍ଥଳୀ କର୍କଟ ଆକ୍ରାନ୍ତ କରିବାର ଆଶଙ୍କା ଅଛି।
ରୋଗ ନିରୂପଣ: ଏଣ୍ଡୋସ୍କୋପି ମାଧ୍ୟମରେ ଏହା ଅତି ସହଜରେ ନିରୂପିତ ହୁଏ। ଏଥିରେ ପାକସ୍ଥଳୀରୁ କିଛି ଟିସ୍ୟୁ ବାୟୋପ୍‌ସି ପାଇଁ ପଠାଯାଏ। ସିଟି ସ୍କାନ୍‌ ଏବଂ PET Scan ଦ୍ୱାରା ରୋଗ କେତେ ଦୂର ବ୍ୟାପିଛି ତାହା ଜଣାପଡେ।
ନିରାକରଣ ଓ ଚିକିତ୍ସା: ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଥିଲେ ତୁରନ୍ତ ଅଭିଜ୍ଞ ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜିଷ୍ଟ୍‌ଙ୍କ ପରାମର୍ଶ ନିଅନ୍ତୁ। ଧୂମପାନ ଓ ମଦପାନରୁ ଦୂରେଇ ରହିବା ସହ ସନ୍ତୁଳିତ ଆହାର ସେବନ ଏବଂ ପ୍ରତ୍ୟହ କିଛିକିଛି ବ୍ୟାୟାମ କରନ୍ତୁ। ପରିବାରରେ କେହି ପାକସ୍ଥଳୀ କର୍କଟରେ ଆକ୍ରାନ୍ତ ଥିଲେ, ସମସ୍ତ ସଦସ୍ୟ ନିଜର ପରୀକ୍ଷା (ସ୍କ୍ରିନିଂ) କରାଇନେବା ଉଚିତ। ପ୍ରାରମ୍ଭିକ ଅବସ୍ଥାରେ ୯୦% ରୋଗୀଙ୍କଠାରେ ଶଲ୍ୟ ଉପଚାର ଏକମାତ୍ର ବିକଳ୍ପ। ଏଥିରେ କେମୋଥେରାପି ଦ୍ୱାରା ଟ୍ୟୁମର ଆକାର ହ୍ରାସ ପାଏ ତଥା ଏହାକୁ ରୋଗୀର ଆୟୁ ବୃଦ୍ଧି ପାଇଁ ପାଲିଆଟିଭ୍‌ କେୟାର୍‌ ଭାବେ ବ୍ୟବହାର କରାଯାଏ। କେମୋଥେରାପି ଓ ଶଲ୍ୟ ଉପଚାରର ସହାୟକ ଚିକିତ୍ସା ବିଧି ଭାବେ ରେଡିଏସନ୍‌ ଥେରାପି ଉପଯୋଗ ହୋଇଥାଏ।

Comments
Loading...