ସୋମବାର ଶପଥ ନେବେ ଦୁଇ ବିଚାରପତି

0

କଟକ : ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓ ଡକ୍ଟର ଅକ୍ଷୟ କୁମାର ମିଶ୍ର ସୋମବାର ଶପଥ ଗ୍ରହଣ କରିବେ। ସକାଳ ୧୯ଟା ୧୫ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଆସନ୍ତାକାଲି ଅପରାହ୍ଣରେ ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯିବ। ୨୦୧୪ ସେପ୍ଟେମ୍ବର ୨୬ରେ ଜଷ୍ଟିସ ପ୍ରସାଦ ଝାଡଖଣ୍ଡ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟାରମ୍ଭ କରିଥିଲେ। ଏହାପରେ ଓଡ଼ିଶା ହାଇକୋର୍ଟକୁ ବଦଳି ହେବା ପରେ ୨୦୧୫ ମାର୍ଚ୍ଚ ୧୨ରେ ଜଷ୍ଟିସ ପ୍ରସାଦ ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ ଥିଲେ। ୨୦୧୬ ଜୁଲାଇ ୧୫ରେ ଜଷ୍ଟିସ ପ୍ରସାଦ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ମଦନ ବି ଲୋକୁର, ବିଚାରପତି କୁରିଆନ ଯୋଶେଫ, ବିଚାରପତି ଏ କେ ସିକ୍ରି ଓ ବିଚାରପତି ଏସ ଏ ବୋଦେଙ୍କୁ ନେଇ ଗଠିତ କଲେଜିୟମ ଓଡିଶା ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ବମ୍ବେ ହାଇକୋର୍ଟ ଏବଂ ବିଚାରପତି ସୁଜିତ ନାରାୟଣ ପ୍ରସାଦଙ୍କୁ ଝାଡଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରିଥିବା ବେଳେ ବିଚାରପତି ଶତ୍ରୁଘ୍ନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ଫେରାଇ ଆଣିବା ପାଇଁ ସୁପାରିସ କରିଥିଲେ।
ସୂଚନାଯୋଗ୍ୟ, ଜଷ୍ଟିସ ପୂଜାହାରୀ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି। ୨୦୧୩ ନଭେମ୍ବର ମାସ ୨୯ରୁ ୨୦୧୭, ନଭେମ୍ବର ମାସ ୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବାବେଳେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା। ୧୯୬୦, ସେପ୍ଟେମ୍ବର ମାସ ୨୪ତାରିଖରେ ସୋନପୁର ଜିଲା ସୁବଳୟା ଗ୍ରାମରେ ଜନ୍ମିତ ଶ୍ରୀ ପୂଜାହାରୀ ୧୯୭୮ରେ ହାଇସ୍କୁଲ ପାଠ୍ୟକ୍ରମ ଶେଷ କରି ବଲାଙ୍ଗୀର ଜିଲା ରାଜେନ୍ଦ୍ର କଲେଜରୁ ୧୯୮୩ ମସିହାରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ।
୧୯୮୬ ମସିହାରେ ସମ୍ବଲପୁର ଜିଲା ଲାଲ ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ଏଏଲବି ପାଠ୍ୟକ୍ରମ ଶେଷ କରିଥିଲେ। ଏହାପରେ ଓକିଲାତି କରିବା ପାଇଁ ୧୯୮୭ ମସିହା ମେ ମାସ ୧୭ରେ ଓଡ଼ିଶା ବାର କାଉନସିଲରେ ନିଜ ନାମକୁ ତାଲିକାଭୁକ୍ତ କରିଥିଲେ। ପରିବର୍ତ୍ତୀ ସମୟରେ ଓଡ଼ିଶା ସୁପରିୟର ଜୁଡିସିଆଲ ସର୍ଭିସ(ସିନିୟନ ବ୍ରାଞ୍ଚ) ପରୀକ୍ଷାରେ ହାଇକୋର୍ଟ ପକ୍ଷରୁ ମନୋନୀତ ହେବା ପରେ ସେ ୨୦୦୩ ଫେବୃୟାରୀ ମାସ ୩ତାରିଖରେ ବ୍ରହ୍ମପୁରରେ ଦ୍ୱିତୀୟ ଅତିରିକ୍ତ ଜିଲା ଦୌରା ଜଜ ଭାବେ ଯୋଗଦେଇଥିଲେ। ଏହାପରେ ଜୟପୁର, ବ୍ରହ୍ମପୁର, ପୁରୀ, କଟକରେ ଜିଲା ଦୌରାଜଜ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ସେଲ୍ସ ଟ୍ୟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ସେ କାର୍ଯ୍ୟ କରିଥିବାବେଳେ ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ଓଡ଼ିଶା ସରକାରଙ୍କ ଆଇନ ବିଭାଗରେ ସେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ପରେ ୨୦୧୩, ନଭେମ୍ବର ମାସ ୨୯ତାରିଖରେ ଓଡ଼ିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ।

ସେହିପରି ବରିଷ୍ଠ ଆଇନ ବିଶାରଦ ତଥା ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ କୁମାର ମିଶ୍ର ଶନିବାର ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହୋଇଥିଲେ । ଗତ ଅକ୍ଟୋବର ୩୧ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଡକ୍ଟର ମିଶ୍ରଙ୍କ ନିଯୁକ୍ତି ଉପରେ ମୋହର ମାରିଥିଲେ । ଡକ୍ଟର ମିଶ୍ର ୧୯୫୮ ମସିହା ନଭେମ୍ବର ୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାପୁର ବ୍ଳକ୍ ଗଉଡ ସାହିରେ ଜନ୍ମ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନ ସ୍ନାତକୋତ୍ତରେ ଡିଗ୍ରି ହାସଲ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲଏମ୍ ଡିଗ୍ରି ହାସଲ କରିବା ପରେ ଡକ୍ଟର ମିଶ୍ର ଆଇନ ପାଠ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ ।

Leave A Reply