ସାମ୍ବାଦିକଙ୍କ ଉପରେ ବର୍ଷିଲେ ହରିୟାଣା ମୁଖ୍ୟମନ୍ତ୍ରୀ

0

ଚଣ୍ଡୀଗଡ଼ : ମୁଖ୍ୟମନ୍ତ୍ରୀ ୱିଣ୍ଡୋକୁ ଆସୁଥିବା ବିଭିନ୍ନ ଅଭିଯୋଗର ନିରାକରଣ ସମ୍ବନ୍ଧୀୟ ପ୍ରଶ୍ନ ପଚାରିବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‍ ଖଟ୍ଟାର ଶନିବାର ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ବେଳେ ଜଣେ ସାମ୍ବାଦିକଙ୍କ ଉପରେ କ୍ରୋଧିତ ହୋଇପଡିଛନ୍ତି। ଏପରିକି ଶିଷ୍ଟତାର ସହ ପ୍ରଶ୍ନ ପଚାରିବା ଲାଗି ସେ ସମ୍ପୃକ୍ତ ସାମ୍ବାଦିକଙ୍କୁ ତାଗିଦ କରିଛନ୍ତି। ସିର୍‍ସାଠାରେ ୮୫ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଯାଉଥିବା ଏକ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ପରେ ମୁଖ୍ୟମନ୍ତ୍ରୀ ଖଟ୍ଟାର ଗଣମାଧ୍ୟମ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ମୁଖ୍ୟମନ୍ତ୍ରୀ ୱିଣ୍ଡୋକୁ ଆସୁଥିବା ଅଭିଯୋଗ ସମ୍ବନ୍ଧରେ ବାରମ୍ବାର ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ଖଟ୍ଟାର କହିଥିଲେ, ପୂର୍ବତନ ସରକାରଙ୍କ ତ୍ରୁଟି ଯୋଗୁ ଏଭଳି ଅଭିଯୋଗ ଆସୁଛି; କିନ୍ତୁ ଅଧିକାଂଶ ଅଭିଯୋଗ ଉପରେ ଅଧିକାରୀମାନେ ନିଜେ ନିଜେ ତଦନ୍ତ କରି ରିପୋର୍ଟ ପ୍ରଦାନ କରୁଥିବା ସାମ୍ବାଦିକ ଜଣକ କହିଥିଲେ। ଏଭଳି କିଛି ଘଟୁ ନାହିଁ ବୋଲି ଖଟ୍ଟାର ଦୃଢୋକ୍ତି ବାଢିଥିଲେ। ଏହି ସମୟରେ ସାମ୍ବାଦିକ ଜଣକ ତାଙ୍କ କଥା ଉପରେ କଥା କହିବାରୁ ସେ କ୍ରୋଧିତ ହୋଇପଡିଥିଲେ। ପ୍ରଥମେ ତାଙ୍କ ଉତ୍ତର ଶୁଣିବାକୁ ତାଗିଦ କରି ସାମ୍ବାଦିକଙ୍କୁ ସେ କହିଥିଲେ, ଆପଣ କିଏ? ଗଣମାଧ୍ୟମ ଏଭଳି ପ୍ରଶ୍ନ କରେ ନାହିଁ। ପ୍ରଥମେ ଗଣମାଧ୍ୟମର ଶିଷ୍ଟାଚାର ଶିକ୍ଷାକର। ମୁଖ୍ୟମନ୍ତ୍ରୀ ୱିଣ୍ଡୋରେ ଅବହେଳା କାରଣରୁ ଦୁଇ ଜଣ ଅଧିକାରୀଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଥିବା ଖଟ୍ଟାର ପ୍ରକାଶ କରିଥିଲେ। ଏହାପରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଖଟ୍ଟାର ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ। ସାମ୍ବାଦିକଙ୍କ ଉପରେ ସେ ଏଭଳି ବର୍ଷିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Leave A Reply