ମହାମେଣ୍ଟ ଗଠନ ସଫଳ ନ ହେଲେ ଏନଡିଏ ଜିତିବ ୩୦୦ ଆସନ : ସି’ ଭୋଟର ସର୍ଭେ

0

ନୂଆଦିଲ୍ଲୀ : କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଙ୍କ ମହାମେଣ୍ଟ ଗଠନ ହେଲେ ୨୦୧୯ ଲୋକସଭା ଆସନ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ଆସନ ସଂଖ୍ୟା କମିଯିବ। ମହାମେଣ୍ଟ ଗଠନ ସଫଳ ନ ହେଲେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ୩୦୦ରୁ ଅଧିକ ଆସନ ଜିତିବ। ଏହା ହେଉଛି ଏବିପି ନ୍ୟୁଜ୍‍ ଏବଂ ସି’ ଭୋଟର ପକ୍ଷରୁ ହୋଇଥିବା ‘ଦେଶ କା ମୁଡ଼’ ନାମକ ଏକ ଜନମତ ସର୍ଭେର ରିପୋର୍ଟ।
ବର୍ଷ ୨୦୧୮ ଶେଷ ପାହଚରେ ପଦାର୍ପଣ କରିଥିବା ବେଳେ ଦେଶରେ ନିର୍ବାଚନୀ ଋତୁ ଆସି କବାଟ ଠକ୍‍ ଠକ୍‍ କରୁଛି। ଏଭଳି ସମୟରେ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଦେଶ ବ୍ୟାପୀ ଏକ ନିର୍ବାଚନୀ ପରିବେଶ ସୃଷ୍ଟି ହୋଇଛି। ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ନିଜ ଗାଦି ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବାବେଳେ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଶାସକକୁ ଗାଦିଚ୍ୟୁତ କରିବା ପାଇଁ ଲାଗି ପଡ଼ିଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ମାସ ବାକି ରହିଛି। ତେଣୁ କେଉଁ ଦଳ କେତେକ ଆସନ ଜିତିବ ସେ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏଭଳି ରାଜନୈତିକ ପରିବେଶରେ ଏବିପି ନ୍ୟୁଜ୍‍ ଏବଂ ସି’ ଭୋଟର ପକ୍ଷରୁ ମିଳିତ ଭାବେ ‘ଦେଶ କା ମୁଡ଼’ ନାମକ ଏକ ଜନମତ ସର୍ଭେ କରାଯାଇଛି। ଏହି ସର୍ଭେ ରିପୋର୍ଟରେ ମହାମେଣ୍ଟ ଗଠନ ସଫଲ ନ ହେଲେ ମୋଦୀ ପୁଣି ଥରେ ସରକାର ଗଠନ କରିବେ ବୋଲି ପୂର୍ବାନୁମାନ କରାଯାଇଛି।
ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ କଂଗ୍ରେସ, ସମାଜବାଦୀ ପାର୍ଟି, ଓ ବହୁଜନ ସମାଜବାଦୀ ପାର୍ଟି ମଧ୍ୟରେ ମହାମେଣ୍ଟ ଗଠନ ହେଲେ ବିଜେପି ଆସନ ସଂଖ୍ୟା କମି ୩୧ରେ ସୀମିତ ହୋଇଯିବ। ମୋଟ ୮୦ ଲୋକସଭା ଆସନରୁ ମହାମେଣ୍ଟ ୪୪ ଆସନ ଓ ୟୁପିଏ ୫ ଆସନରେ ବିଜୟୀ ହେବେ। ଉତ୍ତରପ୍ରଦେଶରେ ମହାମେଣ୍ଟ ଗଠନ ସଫଳ ନହେଲେ ଏନ୍‍ଡିଏ-୭୦, ୟୁପିଏ-୨, ଏସ୍‍ପି-୪ ଏବଂ ବିଏସ୍‍ପି ମାତ୍ର ୪ଟି ଆସନରେ ବିଜୟୀ ହେବେ।
ସେହିପରି ବିହାରରେ ନୀତୀଶଙ୍କ ଯୋଗଦାନ ଏନ୍‍ଡିଏ (ବିଜେପି, ଜେଡିୟୁ, ଆରଏଲଏସ୍‍ପି, ଆରଏଲଡ଼ି) ପାଇଁ ସକରାତ୍ମକ ପ୍ରଭାବ ପକାଇବ। ଏଠାରେ ଏନ୍‍ଡିଏ ମୋଟ ୪୦ ଲୋକସଭା ଆସନରୁ ୩୪ ଆସନରେ ବିଜୟୀ ହେବ ଓ ୟୁପିଏ (କଂଗ୍ରେସ, ଆରଜେଡି ଓ ଅନ୍ୟ ଦଳ) ମାତ୍ର ୬ଟି ଆସନରେ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି।
ମହାରାଷ୍ଟ୍ରରେ ଶିବସେନା ଏନ୍‍ଡିଏ ସହ ମିଶି ନିର୍ବାଚନ ଲଢିଲେ ମୋଟ ୪୮ ଲୋକସଭା ଆସନରୁ ଏନ୍‍ଡିଏ ୨୮ ଆସନରେ ବିଜୟୀ ହେବ ଓ ୟୁପିଏ (ଏନ୍‍ସିପି ଏବଂ କଂଗ୍ରେସ) ୨୦ ଆସନରେ ଜିତିବେ ବୋଲି କୁହାଯାଇଛି। ସମସ୍ତେ ଅଲଗା ଅଲଗା ହୋଇ ନିର୍ବାଚନ ଲଢିଲେ ବିଜେପି ୨୩ଟି ଆସନରେ, ଶିବସେନା ୪, କଂଗ୍ରେସ ୧୪ ଏବଂ ଏନ୍‍ସିପି ୬ ଟି ଆସନରେ ଜିତିବାର ସମ୍ଭାବନା ରହିଛି।
ମଧ୍ୟପ୍ରଦେଶରେ ମାଟ ୨୯ ଲୋକସଭା ଆସନରୁ ବିଜେପି ୨୨ ଏବଂ କଂଗ୍ରେସ ୭, ରାଜସ୍ଥାନରେ ମୋଟ ୨୫ ଲୋକସଭା ଆସନରୁ ବିଜେପି ୧୭ ଏବଂ କଂଗ୍ରେସ ୮ଟି ଆସନରେ ବିଜୟୀ ହେବେ ବୋଲି ଆକଳନ କରାଯାଇଛି। ପଶ୍ଚିମବଙ୍ଗରେ ମୋଟ ୪୨ ଲୋକସଭା ଆସନରୁ ତୃଣମୂଳ କଂଗ୍ରେସ ୩୨, ବିଜେପି ୯ ଏବଂ କଂଗ୍ରେସ ୧ଟି ଆସନରେ ଜିତିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗରେ ବାମଦଳ ଧୂଳିସାତ ହୋଇଯିବ ବୋଲି ଏଥିରୁ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଓଡ଼ିଶା ଲୋକସଭା ନିର୍ବାଚନରେ ବିଜେପି ଆସନ ସଂଖ୍ୟା ବଢିବ ଓ ଏହା ସଂଖ୍ୟାଗରିଷ୍ଠ ହେବ ବୋଲି ଆକନଳ କରାଯାଇଛି। ଓଡ଼ିଶାରେ ମୋଟ ୨୧ ଲୋକସଭା ଆସନରୁ ବିଜେପି ୧୨, କଂଗ୍ରେସ ୩ ଏବଂ ବିଜେଡି ୬ଟି ଆସନରେ ଜିତିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।
ଦକ୍ଷିଣ ଭାରତର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ କର୍ଣ୍ଣାଟକ ଲୋକସଭା ନିର୍ବାଚନରେ ୧୨୯ ଆସନରୁ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏକୁ ୨୦, କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ ୩୪ ଏବଂ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ୭୫ଟି ଆସନ ମିଳିିବ ବୋଲି ପୂର୍ବାନୁମାନ କରାଯାଇଛି।
ଲୋକସଭା ନିର୍ବାଚନରେ ଏନ୍‍ଡିଏକୁ ୩୮%, ୟୁପିଏକୁ ୨୬% ଏବଂ ଅନ୍ୟ ଦଳଗୁଡ଼ିକୁ ୩୬% ଭୋଟ ମିଳିବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ୫୪୩ ଲୋକସଭା ଆସନରୁ ଏନ୍‍ଡିଏ ପାଖରେ ୩୦୦, ୟୁପିଏ ପାଖରେ ୧୧୬ ଏବଂ ଅନ୍ୟ ଦଳଗୁଡ଼ିକ ପାଖରେ ୧୨୭ ଆସନ ରହିଛି।
ମହାମେଣ୍ଟ ଗଠନ ହେଲେ ଏନ୍‍ଡିଏ ଆସନ ସଂଖ୍ୟା ୨୬୧କୁ ଖସିଆସିବ, ୟୁପିଏ ୧୧୯ ଏବଂ ଅନ୍ୟ ଦଳଗୁଡ଼ିକ ୧୬୩ ଆସନରେ ବିଜୟୀ ହେବେ ବୋଲି ସର୍ଭେ ରିପୋର୍ଟର ଦର୍ଶାଯାଇଛି। ମହାମେଣ୍ଟ ଗଠନ ସଫଳ ନହେଲେ ଏନ୍‍ଡିଏ ୩୦୦ରୁ ଅଧିକ ଆସନ ଜିତିବାର ସମ୍ଭାବନା ଥିବା ଉଲ୍ଲେଖ କରାଯାଇଛି।
ପ୍ରକାଶଯୋଗ୍ୟ ଯେ ସରକାର ଗଠନ ପାଇଁ ୨୭୨ଟି ଆସନ ଆବଶ୍ୟକ।

Leave A Reply