ଅଦାଲତ ପରିସରରେ ଗ୍ୟାଙ୍ଗଷ୍ଟର ସନ୍ତୋଷ ଝା’ଙ୍କୁ ଗୁଳି ମାରି ହତ୍ୟା

0

ପାଟନା : ସୀତାମଢି ଜିଲା ଦୌରାଜଜଙ୍କ ଅଦାଲତ ପରିସରରେ କୁଖ୍ୟାତ ଅପରାଧୀ ଗ୍ୟାଙ୍ଗଷ୍ଟର ସନ୍ତୋଷ ଝା’ଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ତାଙ୍କୁ ଅଦାଲତରେ ହାଜର ପାଇଁ ଅଣାଯାଇଥିଲା। ଅଦାଲତରେ ହାଜର ପରେ ସେ ଫେରୁଥିବାବେଳେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିରେ ଗ୍ୟାଙ୍କଷ୍ଟର ସନ୍ତୋଷଙ୍କ ଦେହରେ ଗୁଳି ବାଜିଥିଲା ଓ ସନ୍ତୋଷ କୁମାର ନାମକ ଜଣେ ଅଦାଲତ କର୍ମଚାରୀ ଆହତ ହୋଇଥିଲେ। ଗୁଳି ଚଳାଇବା ପରେ ଦୁଇ ଜଣ ଫେରାର ହୋଇଯାଇଥିଲେ। ମାତ୍ର ଜଣଙ୍କୁ ପୁଲିସ୍‍ କାବୁ କରିନେବାରେ ସଫଳ ହୋଇଛି। ହସ୍ପିଟାଲରେ ଡାକ୍ତର ସନ୍ତୋଷ ଝା’ଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶଯୋଗ୍ୟ ଯେ କିଛି ଦିନ ପୂର୍ବରୁ ସନ୍ତୋଷ ଝା’ ଗ୍ୟାଙ୍ଗର ଅଭିଷେକ ଝା’ଙ୍କୁ କେତେକ ଦୁର୍ବୃତ୍ତ ମୋତିହାରୀ ଅନୁମଣ୍ଡଳ କୋର୍ଟ ପରିସରରେ ଗୁଳି ମାରି ହତ୍ୟା କରିଥିଲେ। ଦରଭଙ୍ଗାରେ ଦୁଇ ଇଂଜିନୟରଙ୍କ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟର ସନ୍ତୋଷ ଝା’ଙ୍କ ନାମରେ ମାମଲା ଚାଲୁଥିଲା। ଗତ ବର୍ଷ ତାଙ୍କୁ ପୁଲିସ୍‍ କଲକାତାରୁ ଗିରଫ କରିଥିଲା। ବିହାରରେ ବିଭିନ୍ନ ପୁଲିସ୍‍ ଷ୍ଟେସନରେ ସନ୍ତୋଷ ଝା’ଙ୍କ ନାମରେ ୩୬ରୁ ଊର୍ଦ୍ଧ୍ବ ମାମଲା ରହିଛି।

Leave A Reply