କାନାଡାରୁ ଛାତ୍ରୀଙ୍କୁ ଆପତ୍ତିଜନକ ମେସେଜ

0

ଝାରସୁଗୁଡା: ଦିନକୁ ଦିନ ନୂଆ ଟେକନୋଲୋଜି ଓ ବହୁ ଶସ୍ତାରେ ନେଟପ୍ୟାକ୍‍ ମିଳୁଥିବାରୁ ଯୁବ ପିଢି ସୋସିଆଲ ମିଡିଆରେ ଆବଶ୍ୟତା ଠାରୁ ଅଧିକ ସମୟ ବିତାଉଛନ୍ତି। ଏଥିରେ କେବଳ ଅପରାଧ ନୁହେଁ ଲୋକେ ଅନେକ ଠକେଇର ମଧ୍ୟ ଶିକାର ହେଉଛନ୍ତି। କେତେକ ହ୍ୟାକର ଏମିତି କିଛି ମେସେଜ ପଠାଉଛନ୍ତି ତାହା କେଉଁଠୁ ଆସିଛି ଜାଣିବା ସମ୍ଭବପର ହେଉନାହିଁ। ବେଲପାହାଡରେ ଏମିତି ଏକ ଘଟଣା ପଦାକୁ ଆସିଛି। ଜଣେ ଛାତ୍ରୀକୁ ହ୍ୱାଟସ୍‍ଆପ୍‍ରେ ଆପତ୍ତିଜନକ ମେସେଜ ପଠେଇଥିବା ଜଣା ପଡିବା ପରେ ଛାତ୍ରୀ ଜଣକ ଏନେଇ ବେଳପାହାଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏହି ଅଭିଯୋଗକୁ କେସ୍‍ ଡାଏରି କରି ହ୍ୱାଟସ୍‍ଆପ୍‍କୁ ଚିଠି ଲେଖି ଏହି ଅଶ୍ଳିଳ ମେସେଜକୁ କିଏ ଓ କେଉଁଠୁ ପଠାଇଛି ତାହା ଜଣାଇବାକୁ କହିଛି।
କିଛି ଦିନ ପୂର୍ବରୁ ଛାତ୍ରୀ ଜଣକ ମୋବାଇଲକୁ ଏକ ହ୍ୱାଟସ୍‍ଆପ୍‍ ମେସେଜ ଆସିଥିଲା। ଛାତ୍ରୀଙ୍କ ଏଡିଟ୍‍ କରାଯାଇଥିବା ଫଟୋ ସହିତ କିଛି ଆପତ୍ତିଜନକ ମେସେଜ ତାଙ୍କ ପାଖକୁ ପଠାଯାଇଥିଲା। ଛାତ୍ରୀ ଜଣକ ଏହି ମେସେଜ ପରିବାର ଲୋକଙ୍କୁ ଦେଖାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ସେହି ହ୍ୱାଟସ୍‍ଆପ ନମ୍ବର ଯାଞ୍ଚ କରିବା ପରେ ଜଣା ପଡିଥିଲା ଯେ ସେହି ହ୍ୱାଟସ୍‍ଆପ୍‍ ମେସେଜ
କାନାଡାରୁ ଆସିଛି। ତେବେ ମେସେଜଟି ଏତେ ଦୂରରୁ କିଏ କାହିଁକି ଛାତ୍ରୀ ଜଣଙ୍କୁ ପଠାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେହି ହ୍ୟାକର କୌଶଳ କରି କାନାଡା ନମ୍ବର ବ୍ୟବହାର କରି ଏହି ମେସେଜ ପଠାଇଥିବା ପୁଲିସ ସନ୍ଦେହ କରୁଛି। ହ୍ୱାଟସ୍‍ଆପ୍‍କୁ ବେଲପାହାଡ ପୁଲିସ ଲେଖିଥିବା ଚିଠିର ଉତ୍ତର ଆସିବା ପରେ ଏହାର ରହସ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

Leave A Reply