ଗାନ୍ଧି ଜୟନ୍ତୀରୁ ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

0

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ଓଡ଼ିଶାର ଗରିବ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବେ। ଓଡ଼ିଶାର ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଆଜି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇ ଆସିଛନ୍ତି। ୨୦୦୮ରେ ରାଜ୍ୟର ଟିକସଦାତାଙ୍କ ଅର୍ଥରୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର କେଜି ପିଛା ୨ ଟଙ୍କାରେ ଚାଉଳ ଯୋଗାଇବା ଆରମ୍ଭ କରିଥିଲେ। ୨୦୧୩ରୁ ସେମାନଙ୍କୁ କେଜି ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ଏଭଳି ଉଦ୍ୟମ ସେତେବେଳେ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଥିଲା।
କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନେ ଜାଣନ୍ତି କେନ୍ଦ୍ର ସରକାର ନୂଆ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ ୨୦୧୧ ଜନସଂଖ୍ୟା ଆଧାରରେ କେନ୍ଦ୍ର ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଏକାଧିକ ଥର ଚିଠି ଲେଖି ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେଉନାହାନ୍ତି।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବାସୀଙ୍କ ଅର୍ଥରେ ରାଜ୍ୟର ଗରିବ ଲୋକଙ୍କ ପାଇଁ ଅକ୍ଟୋବର ୨ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ୨୦୧୪ରେ ଏଥିପାଇଁ ବିଜେଡି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି। ବିଜେଡି ସରକାର ସବୁବେଳେ ଲୋକକଲ୍ୟାଣ ଓ କାମରେ ବିଶ୍ୱାସ ରଖେ। ଏହା ପୁଣି ଥରେ ପ୍ରମାଣିତ ହେବାକୁ ଯାଉଛି। ପ୍ରତିଶ୍ରୁତି ପୂରଣ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଯୋଜନାର ସଫଳତା ପାଇଁ ରାଜ୍ୟବାସୀଙ୍କ ଆଶୀର୍ବାଦ, ସମର୍ଥନ ଓ ସହଯୋଗ କାମନା କରିଛନ୍ତି।

Leave A Reply