ତ୍ରିରଙ୍ଗାର ସେବକ

0

ସ୍ୱାଧୀନ ଦେଶର ନାଗରିକ ଭାବେ ସମସ୍ତେ ସମ୍ବିଧାନରେ ପ୍ରଦତ୍ତ ଅଧିକାର ଦାବି କରିଥାନ୍ତି। ହେଲେ, ଆନ୍ତରିକ ଭାବେ ଦେଶ ପ୍ରତି ସମର୍ପଣର ଭାବନା ଖୁବ୍‍ କମ୍‍ ହୃଦୟରେ ରହିଥାଏ। ଏମାନଙ୍କ ମଧ୍ୟରୁ ଦୁଇଜଣ ହେଲେ ରାଜେନ୍ଦ୍ର ଏବଂ ଜିତେନ୍ଦ୍ର ବର୍ମା। ପେସାରେ ରଜକ, ଆର୍ଥିକ ସ୍ଥିତି ସେପରି ସ୍ୱଚ୍ଛଳ ନୁହେଁ, କିନ୍ତୁ ଦେଶଭକ୍ତିର ଭାବନା ଯେପରି ଶରୀରର ପ୍ରତ୍ୟେକ ଲୋମକୂପରେ ଭରି ରହିଛି। ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ସେମାନଙ୍କ ପାଇଁ ପାର୍ବଣର ଅନୁଭବ ଆଣିଦିଏ।
ମଧ୍ୟପ୍ରଦେଶର ଶାଜାପୁର ଅନ୍ତର୍ଗତ ନୂଆ ସଡକ କଡରେ ରାଜେନ୍ଦ୍ର କୁମାର ବର୍ମାଙ୍କ ଲଣ୍ଡ୍ରି ଦୋକାନ ରହିଛି। ସେଠାରେ ଲୋକମାନଙ୍କର ପୋଷାକ ଧୋଇବା, ଡ୍ରାଏକ୍ଲିନ୍‍ ଏବଂ ଇସ୍ତ୍ରୀ ଆଦି କରାଯାଏ। ତେବେ ସ୍ୱାଧୀନତା ଦିବସ ଆସିଲେ ତାଙ୍କର କାମ ବଢିଯାଏ। ସହରସାରା ବିଭିନ୍ନ ସରକାରୀ ଅନୁଷ୍ଠାନ ସହିତ ବିଭିନ୍ନ ବ୍ୟକ୍ତିଙ୍କ ଘର, ଶୋଭାଯାତ୍ରାରେ ଉତ୍ତୋଳନ କରାଯିବାକୁ ଥିବା ଛୋଟ-ବଡ ତ୍ରିରଙ୍ଗା ପତାକାସବୁ ସଫା ହୋଇ ଇସ୍ତ୍ରୀ ଦିଆଯିବା ଲାଗି ରାଜେନ୍ଦ୍ରଙ୍କ ଲଣ୍ଡ୍ରିକୁ ଆସିଥାନ୍ତି। ରାଜେନ୍ଦ୍ର ସେବାସର୍ବସ୍ୱ ମନୋଭାବ ନେଇ ଜାତୀୟ ପତାକାଗୁଡିକୁ ସଫା ଏବଂ ଇସ୍ତ୍ରୀ କରି ଏକ୍‍ଦମ ନୂଆ ରୂପ ଦେଇଥାନ୍ତି। ଏଥିପାଇଁ ସେ ଟଙ୍କାଟିଏ ମଧ୍ୟ ପାରିଶ୍ରମିକ ନିଅନ୍ତି ନାହିଁ। ଓଲଟା କହନ୍ତି- ମୋ ଦେଶ ପାଇଁ ମୁଁ କ’ଣ ଏତିକି ବି କରିପାରିବିନି! ଦେଶପ୍ରେମର ଏପରି ଭାବନା ତାଙ୍କୁ ସହରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ୧୯୯୧ ମସିହାରେ ପ୍ରଥମ ଥର ତ୍ରିରଙ୍ଗା ପତାକା ଡ୍ରାଏକ୍ଲିନ୍‍ ହେବା ଲାଗି ତାଙ୍କ ଦୋକାନକୁ ଆସିଥିଲା। ଏହା ବଦଳରେ ତାଙ୍କୁ ଯେତେବେଳେ ଟଙ୍କା ଦିଆଗଲା, ନେବାଲାଗି ତାଙ୍କ ବିବେକ ଚାହିଁଲା ନାହିଁ। ବିନା ମୂଲ୍ୟରେ ଏହି କାମ କରିଥିବାରୁ ସେ ଯେପରି ଖୁସି ଅନୁଭବ କରିଥିଲେ ତାହା ଅବର୍ଣ୍ଣନୀୟ ବୋଲି ରାଜେନ୍ଦ୍ର କହନ୍ତି। ଏହା ପରଠାରୁ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ରେ ସହରସାରା ଉତ୍ତୋଳନ କରାଯାଉଥିବା ପତାକାକୁ ସଫା ଓ ଇସ୍ତ୍ରୀ କରିବା କାମ ତାଙ୍କୁ ମିଳିଥାଏ। ତ୍ରିରଙ୍ଗା ପ୍ରତି ନିଃସ୍ୱାର୍ଥ ସେବା ମନୋଭାବ ଯୋଗୁ ୨୦୧୬ ସ୍ୱାଧୀନତା ଦିବସରେ ପ୍ରଶାସନ ରାଜେନ୍ଦ୍ରଙ୍କୁ ସମ୍ମାନିତ କରିଥିଲା।
ସେହିପରି ମଧ୍ୟପ୍ରଦେଶର ଖରଗୋନ୍‍ସ୍ଥିତ ଜବାହର ମାର୍ଗ କଡରେ ଥିବା ଜିତେନ୍ଦ୍ର ବର୍ମାଙ୍କ ଛୋଟ ଲଣ୍ଡ୍ରି ଦୋକାନଟି ମଧ୍ୟ ଦେଶର ଦୁଇ ମହାପର୍ବରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥାଏ। ଏକ ଖାଲି ଜାଗାରେ ଛୋଟ କେବିନ୍‍ରେ ଇସ୍ତ୍ରୀ କରି ପରିବାର ପୋଷୁଥିବା ଜିତେନ୍ଦ୍ରଙ୍କ ଦେଶପ୍ରେମ ଅତୁଳନୀୟ।
ସେ ବି ତ୍ରିରଙ୍ଗାକୁ ସଜାଇବା ଲାଗି କୌଣସି ଅର୍ଥ ଗ୍ରହଣ କରିନଥାନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡିକରୁ ସଫା ଓ ଇସ୍ତ୍ରୀ କରାଯିବା ପାଇଁ ଆସୁଥିବା ତ୍ରିରଙ୍ଗାକୁ ଯତ୍ନସହକାରେ ସେବା ଦେଇଥାନ୍ତି ଜିତେନ୍ଦ୍ର। କହନ୍ତି, ଏହା କୌଣସି ସାଧାରଣ ପତାକା ନୁହେଁ, ଅଗଣିତ ଦେଶଭକ୍ତଙ୍କ ତ୍ୟାଗ ଏବଂ ବଳିଦାନର ପ୍ରତୀକ। ଏହାର ସେବା କରିବା ମୋ ପାଇଁ ସୌଭାଗ୍ୟ। ତ୍ରିରଙ୍ଗା ସେବାର ଏହି କାର୍ଯ୍ୟ ଜିତେନ୍ଦ୍ରଙ୍କ ପିତା ଗ୍ୟାରସିଲାଲ ବର୍ମା ୧୯୬୦ ମସିହାରୁ ଆରମ୍ଭ କରିଥିଲେ। ଏବେ ପୁଅ ଓ ନାତି ଏହି କାର୍ଯ୍ୟ ଜାରି ରଖିଥିବାରୁ ଜିତେନ୍ଦ୍ରଙ୍କ ମା’ ଖୁବ୍‍ ଖୁସି।

Comments
Loading...