ନବନିର୍ମାଣ କୃଷକ ସଂଗଠନ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନା ମଧ୍ୟାହ୍ନ ଯାଏ ମହଲତ

0

ଭୁବନେଶ୍ୱର: ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ପ୍ରଦାନ ସହ ଭତ୍ତା (ପେନ୍‌ସନ୍‌) ଓ ସମ୍ମାନ ଦେବା ଦାବିରେ ରାଜ୍ୟ ସରକାରଙ୍କୁ ଘେରିବା ଲାଗି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଚାଷୀମାନଙ୍କ ପଦଯାତ୍ରା ଆସନ୍ତାକାଲି ଭୁବନେଶ୍ବରରେ ଏକାଠି ହେଉଛି। ହଜାର ହଜାର ଚାଷୀଙ୍କ ଏହି ବିଶାଳ ସମାବେଶକୁ ଦେଖି ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ସମସ୍ୟା ଆଳରେ ପୁଲିସ ପ୍ରଶାସନ ରାଜଧାନୀର ଦୁଇ ପ୍ରମୁଖ ପ୍ରବେଶସ୍ଥଳ ତମାଣ୍ଡୋ ଓ ହଂସପାଳ ରାଜପଥରେ ୧୪୪ ଧାରା ଜାରି କରିଛି। ଏପରିକି ପଦଯାତ୍ରାରେ ଆସୁଥିବା ହଜାର ହଜାର ଚାଷୀଙ୍କୁ ପୁଲିସ ଦୁଇଟି ସ୍ଥାନରେ ଅଟକାଇଛି। ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ତେବେ ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ସରକାର ଚାଷୀ ସଂଗଠନ ସହ ଶେଷ ମୂହୂର୍ତ୍ତରେ ଆଲୋଚନା କରିଛନ୍ତି। ନବନିମାଣ କୃଷକ ସଂଗଠନର ନେତୃତ୍ବ ନେଉଥିବା ଚାଷୀ ନେତା ଅକ୍ଷୟ କୁମାରଙ୍କୁ ଭେଟି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ସଂଗଠନକୁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ କୁମାର ସରକାରଙ୍କୁ ମଧ୍ୟାହ୍ନ ପର୍ୟ୍ୟନ୍ତ ମହଲତ ଦେଇଛନ୍ତି। ଯଦି ରାଜ୍ୟ ସରକାର ୧୨ଟା ସୁଦ୍ଧା ଚାଷୀଙ୍କ ଦାବି ପୂରଣ ଦିଗରେ ଠୋସ୍‍ ପଦକ୍ଷେପ ଗ୍ରହଣ ନ କରନ୍ତି ତଥା ଏନେଇ ଘୋଷଣା ନ କରନ୍ତି ତେବେ ସଙ୍ଗଠନ ପକ୍ଷରୁ ପରବର୍ତ୍ତୀ କାର୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସରକାର ସର୍ବଦା ଚାଷୀମାନଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛନ୍ତି। ଭିତ୍ତିଭୂମିର ବିକାଶ, ଧାନର ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‍, ବଜେଟ, କୃଷିଋଣ କିମ୍ବା ବୀମା କ୍ଷେତ୍ରରେ ସମସ୍ତ ଦାବି ପୂରଣ ଦିଗରେ ପଦକ୍ଷେପ ନେଇଛନ୍ତି। ଏବେ ଚାଷୀଙ୍କ ଉତ୍ପାଦିତ ଫସଲର ଉଚିତ୍‍ ମୂଲ୍ୟ, ସମ୍ମାନ ଓ ଭତ୍ତା ଦାବିକୁ ମଧ୍ୟ ବିଚାର କରାଯାଉଛି। ଉକ୍ତ ଦାବି ପୂରଣ କରିବାରେ ସରକାରଙ୍କୁ କେତେ ବୋଝ ପଡିବ ସେ ସବୁ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇ ଆଲୋଚନା ମାଧ୍ୟମରେ ସମ୍ଭବ ହୋଇପାରିବ। ଏଥିରେ ଚାଷୀ ସଂଗଠନ ସରକାରଙ୍କୁ ସହଯୋଗ କରିବା ଆବଶ୍ୟକ। ଆନ୍ଦୋଳନକୁ ପ୍ରତ୍ୟାହର କରି ଆଲୋଚନା ପାଇଁ ଆଗେଇ ଆସିଲେ ସରକାର ନିଶ୍ଚିତ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ବେହେରା କହିଥିଲେ। ଅନ୍ୟପକ୍ଷରେ ଚାଷୀ ନେତା ଶ୍ରୀ କୁମାର ଯେ ପର୍ୟ୍ୟନ୍ତ ସରକାର ଚାଷୀଙ୍କ ଦାବି ପୂରଣ ଦିଗରେ ଠୋସ୍‍ ପଦକ୍ଷେପ ଗ୍ରହଣ କରି ନାହାନ୍ତି ସେପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।
ତେବେ ନବନିର୍ମାଣ ସଙ୍ଗଠନ ଦ୍ବାରା ଚାଲିଥିବା କୃଷକ ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିବା ସହ ଏନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସଙ୍ଗଠନର ଆବାହକ ଶ୍ରୀ କୁମାର ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନ ଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ବେ କାର୍ୟ୍ୟକାରୀ କରାଯାଉନାହିଁ। ଚାଷୀମାନେ ସେମାନଙ୍କ ହକ୍‍ ହାସଲ କରିବାପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଚାଷୀମାନେ କିଭଳି ତାଙ୍କ ନ୍ୟାଯ୍ୟ ହକ୍‍ ପାଇବେ ସେଥିପାଇଁ ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି ବୋଲି ସେ କହିଚନ୍ତି।
ଅନ୍ୟପକ୍ଷରେ ଚାଷୀମାନଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରି ରବିବାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଚାଷୀଙ୍କ ପଦଯାତ୍ରାରେ ସାମିଲ ହୋଇଥିବାବେଳେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ସଂପାଦକ ଦିଲୀପ ମଲ୍ଲିକ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସମୀର ପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଏବଂ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ସାମିଲ ହୋଇଛନ୍ତି। ଚାଷୀମାନଙ୍କ ସମସ୍ୟା ନେଇ ବିଜେପି ପକ୍ଷରୁ ଶ୍ରୀ ମହାନ୍ତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଶ୍ରୀ ମାଝୀ ଓ ଶ୍ରୀ ପଣ୍ଡା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ ସାଙ୍ଗକୁ ଅବହେଳା ପାଇଁ ଚାଷୀଙ୍କୁ ତାଙ୍କ ନ୍ୟାଯ୍ୟ ହକ୍‍ ମିଳିପାରୁ ନାହିଁ ବୋଲି କହିଛନ୍ତି।
ସଙ୍ଗଠନର ଆହ୍ୱାନକ୍ରମେ ଅକ୍ଟୋବର ୨୯ରୁ ଯାଜପୁର, ବାଲୁଗାଁ, ଗଞ୍ଜାମ ଓ ଖୋର୍ଦ୍ଧା ପ୍ରଭୃତି ଅଞ୍ଚଳରୁ ହଜାର ହଜାର ଚାଷୀ ଆଜି ରାଜଧାନୀ ଉପକଣ୍ଠରେ ମେଳି ହୋଇଛନ୍ତି। ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ଜାତୀୟ ରାଜପଥରେ ଯାତାୟାତରେ କାଳେ ବାଧା ଉପୁଜିବ ଓ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହେବ ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୁଲିସ ପକ୍ଷରୁ ତମାଣ୍ଡୋ ଓ ହଂସପାଳଠାରେ ଚାଷୀ ପଦଯାତ୍ରାକୁ ବନ୍ଦ କରାଯାଇଛି।
ଚାଷୀମାନଙ୍କ ଏହି ପଦଯାତ୍ରାରେ ସଙ୍ଗଠନର ସଂଯୋଜକ ନିମାଇଁ ରାୟ, ଶେଷଦେବ ନନ୍ଦ ପ୍ରମୁଖ ସାମିଲ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ କୁମାର ସାହୁ, ମଞ୍ଚେଶ୍ୱର, ବାଲିଅନ୍ତା, ପାହାଳ, ଖୋର୍ଦ୍ଧା ଜଟଣୀ, ତମାଣ୍ଡୋ, ଖଣ୍ଡଗିରି ଥାନା ଅଧିକାରୀମାନେ ସାମିଲ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୨୫ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Leave A Reply