ଚାଷୀ ପାଇଁ ଯୋଜନା

0

ଅମ୍ବିକା ପ୍ରସାଦ କାନୁନ୍‌ଗୋ

ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନାରେ ଚାଷର ଉନ୍ନତି, ଚାଷୀ ପରିବାରର ସମୃଦ୍ଧି ସହିତ ସେମାନଙ୍କ ପିଲାମାନଙ୍କର ଉଚ୍ଚଶିକ୍ଷା କ୍ଷେତ୍ରରେ ଯେଉଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି, ସେହିଭଳି ସୁବିଧା ଅନ୍ୟ କୌଣସି କୃଷି ଯୋଜନାରେ ନାହିଁ। ଏହି ଯୋଜନାକୁ ବିରୋଧୀ ଦଳଗୁଡିକ ରାଜନୈତିକ ଦୃଷ୍ଟିକୋଣରୁ ସମାଲୋଚନା କରୁଥିଲେ ମଧ୍ୟ ରାଜ୍ୟରେ ଏହାର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଉଛି।
୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୩୨.୮୦ ଲକ୍ଷ ଚାଷୀ ଏବଂ ୨୪.୨୦ ଲକ୍ଷ କୃଷି ଶ୍ରମିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୨ ପ୍ରତିଶତ, ଅର୍ଥାତ ୩୦.୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି । ସେମାନେ ମୁଖ୍ୟତଃ କୃଷିକୁ ଜୀବିକା କରି କାଳାତିପାତ କରିଥାଆନ୍ତି। ସ୍ବାଧୀନତା ପରଠାରୁ ସେମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ କୌଣସି ସରକାର ସେଥିପ୍ରତି ଯେପରି ଧ୍ୟାନ ଦେବା କଥା ତାହା କରିନାହାନ୍ତି।
କେତେକ ରାଜ୍ୟ ସରକାର ଓ ବିଭିନ୍ନ ସମୟରେ ଆସିଥିବା କେନ୍ଦ୍ର ସରକାର କୃଷିର ବିକାଶ ପାଇଁ ଯେଉଁ କେତେକ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସାମଗ୍ରିକଭାବେ କୃଷି ଓ କୃଷକର ବିକାଶ କ୍ଷେତ୍ରରେ ସଫଳ ହୋଇ ପାରିନାହିଁ।
ତେଲଙ୍ଗାନାର ‘ରୟତୁ ବନ୍ଧୁ’ ଯୋଜନା: ତେଲଙ୍ଗାନା ରାଜ୍ୟରେ କୃଷି ଉତ୍ପାଦନରେ ସ୍ଥାଣୁତା ଆସିବା, ଉତ୍ପାଦନ ହାର ହ୍ରାସ ପାଇବାରୁ କୃଷିର ବିକାଶ ପାଇଁ “ରୟତୁ ବନ୍ଧୁ” ନାମକ ଏକ ଯୋଜନା ୪ ଏପ୍ରିଲ ୨୦୧୮ରେ ସେଠାକାର ସରକାର ପ୍ରଚଳନ କରିଛନ୍ତି। ଏହି ଯୋଜନାରେ କୃଷି ପାଇଁ ମାଗଣା ବିଦ୍ୟୁତ ଶକ୍ତି ଯୋଗାଣର ବ୍ୟବସ୍ଥା ରହିଥିବା ବେଳେ ଛୋଟଛୋଟ ଜଳାଶୟଗୁଡିକର ପୁନରୁଦ୍ଧାର, କୃଷିର ଯାନ୍ତ୍ରିକୀକରଣ ଓ କୃଷି ଉତ୍ପାଦନକୁ ସଂରକ୍ଷିତ କରି ରଖିବା ପାଇଁ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା ସୃଷ୍ଟି ଦିଗରେ ଯୋଜନା କରିଛନ୍ତି। “ରୟତୁ ବନ୍ଧୁ” ଯୋଜନାରେ ଗ୍ରାମସଭାର ସୁପାରିସ କ୍ରମେ ଖରିଫ ଚାଷ ଋତୁରେ ଏକର ପ୍ରତି ୪୦୦୦ ଟଙ୍କା ଏବଂ ରବି ଋତୁରେ ଆଉ ୪୦୦୦ଟଙ୍କାର ସହାୟତା ସରକାର ଚେକ୍‌ ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ ପାଇଁ ବ୍ୟବସ୍ଥା ରଖାଯାଇଛି। ଏହି ସହାୟତା ପାଇଁ ୨୦୧୮-୧୯ ବର୍ଷ ପାଇଁ ୧୨୦୦୦ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଛି; ମାତ୍ର ଏହି ଯୋଜନାରେ ଭୂମିହୀନ, ଭାଗ ଚାଷୀ, କୃଷି ଶ୍ରମିକ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା କୃଷି ପରିବାର ଓ ସେମାନଙ୍କ ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ।
“ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି” ଯୋଜନା: ଦେଶରେ ଚାଷୀ ଆନ୍ଦୋଳନ କ୍ରମେ ବ୍ୟାପକ ହେଉଥିବା ଏବଂ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଚାଷୀ ଅସନ୍ତୋଷ ଯୋଗୁ ସେହିସବୁ ରାଜ୍ୟରେ ବିଜେପିକୁ ପରାଜୟର ସମ୍ମୁଖୀନ ଦେବାକୁ ପଡିଥିଲା। ଓଡ଼ିଶା ସରକାରଙ୍କ କାଳିଆ ଯୋଜନାର ଲୋକପ୍ରିୟତା ଦେଖି ଏବଂ ଜାନୁଆରୀ ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବା ପଞ୍ଚଦଶ ଅର୍ଥକମିସନର ଅଧ୍ୟକ୍ଷ ଏନ କେ ସିଂହଙ୍କଠାରୁ କାଳିଆ ଯୋଜନାର ପ୍ରଶଂସା ଶୁଣିବାପରେ ସେହିଭଳି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସ୍ଥିର କଲେ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପ୍ରସ୍ତୁତ କରାଗଲା। ଦେଶରେ ୧ ଡିସେମ୍ବର ୨୦୧୮ରୁ ଏହି ଯୋଜନା ପ୍ରଚଳନ କରାଗଲା। ତେ​‌ବେ ‘କାଳିଆ’ ଭଳି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ସଫଳତା ନେଇ କୃଷି ବିଶାରଦମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ଏହି ଯୋଜନାରେ ମନୋନୀତ ନାମମାତ୍ର ଓ ଛୋଟ ଚାଷୀଙ୍କୁ ୨୦୦୦ ଟଙ୍କା କରି ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଭାଗଚାଷୀ, ଭୂମିହୀନ କୃଷକ, କୃଷି ଶ୍ରମିକ ସମେତ ଜୀବନସାରା ଖରା, ବର୍ଷା, ଶୀତ କାକରରେ ଖଟିଖଟି ବୟସର ଅପରାହ୍ଣରେ ପହଞ୍ଚିଥିବା କୃଷି ଶ୍ରମିକ ପରିବାରର ବିକାଶ ପାଇଁ ଯୋଜନାରେ କୌଣସି ବ୍ୟବସ୍ଥା ନାହିଁ। ଚାଷୀର ପିଲାଙ୍କ ଉଚ୍ଚଶିକ୍ଷା ବୃତ୍ତି କଥା ଏହି ଯୋଜନାରେ ଚିନ୍ତା କରାଯାଇ ନାହିଁ।
ଓଡିଶା ସରକାରଙ୍କ ‘କାଳିଆ’ ଯୋଜନା: କାଳିଆ ଯୋଜନା ପ୍ରସ୍ତୁତ କରିବା ବେଳେ କୃଷିର ଉନ୍ନତି, କୃଷି ପରିବାରର ସମୃଦ୍ଧି ଓ ସେମାନଙ୍କ ସନ୍ତାନସନ୍ତତି ଅଭାବଅନଟନ ଯୋଗୁ ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି। କୃଷି ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହେବ, କୃଷକର ଅର୍ଥନୈତିକ ବିକାଶ ହେବ, ଚାଷୀର ଆୟ ଦ୍ବିଗୁଣିତ ହେବ, ଚାଷୀର ପିଲା ଉଚ୍ଚଶିକ୍ଷା ଲାଭ କରି ସମାଜର ବିକାଶରେ ସାମିଲ ​‌େ​‌ହବା ଲକ୍ଷ୍ୟ ନେଇ କାଳିଆ ଯୋଜନା ପ୍ରସ୍ତୁତ କରାଯାଇଛି। ୧୮-୫୦ ବର୍ଷର ଚାଷୀଙ୍କ ପାଇଁ ୨ଲକ୍ଷ ଟଙ୍କାର ବୀମା ସୁବିଧା ରହିଛି। ଚାଷୀଙ୍କ ବାର୍ଷିକ ବୀମା ପ୍ରିମିୟମ ବାବଦକୁ ଅର୍ଥ ସରକାର ପଇଠ କରିବେ। ଏହି ବ୍ୟବସ୍ଥାରେ ରାଜ୍ୟର ୫୭ ଲକ୍ଷ ପରିବାର ଉପକୃତ ହେବେ।
କାଳିଆ (ଜୀବନ ଜୀବିକା ପାଇଁ କୃଷକ ସହାୟତା ଆୟ ବୃଦ୍ଧି) ଯୋଜନାରେ ରାଜ୍ୟସରକାର ୧୦ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବିହନ, ସାର, କୀଟନାଶକ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୫ ହଜାର ଟଙ୍କା କରି ୫ଟି କୃଷି ଋତୁରେ କୃଷି ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନା ୨୦୧୮-୧୯ ରୁ ୨୦୨୦-୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିବ। କୃଷି କାର୍ଯ୍ୟ ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ କରାଯିବ। ଚାଷୀର ଋଣ ଉପରେ ସୁଧ ରାଜ୍ୟ ସରକାର ବହନ କରିବେ। ଏହି ବ୍ୟବସ୍ଥା ୩ ବର୍ଷ ପାଇଁ କାର୍ଯ୍ୟ କରିବ। ଏଥିପାଇଁ ୧୦୧୮୦ କୋଟି ଟଙ୍କା ଅର୍ଥ ବରାଦ କରାଯାଇଛି। ସେହିପରି ରାଜ୍ୟର ୧୦ଲକ୍ଷ ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ଆର୍ଥିକ ବିକାଶ ପାଇଁ ଛେଳି, ମେଣ୍ଡା, କୁକୁଡା, ଗୋପାଳନ, ମାଛ ଚାଷ, ଛତୁ ଚାଷ ଆଦି କାର୍ଯ୍ୟ ପାଇଁ ୧୨,୫୦୦ ଟଙ୍କା କରି ପ୍ରତି ପରିବାରକୁ ୩ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ୨୦୧୯-୨୦ ବର୍ଷର ଲେଖାନୁଦାନ ବିଧାନସଭାରେ ଆଗତ ବେଳେ ରାଜ୍ୟ ସରକାର କାଳିଆ ଯୋଜନାର ୪ ମାସ ପାଇଁ ୪୪୬୧ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।
କୃଷି ଶ୍ରମିକ ଭାବେ କାର୍ଯ୍ୟ କରି ବାର୍ଦ୍ଧକ୍ୟ କିମ୍ବା ଅକର୍ମଣ୍ୟ ହୋଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ରାଜ୍ୟର ୧୦ଲକ୍ଷ ପରିବାରଙ୍କ କଥା ସରକାର ଭୁଲି ନାହାନ୍ତି। ଏହି ଶ୍ରେଣୀର ପ୍ରତ୍ୟେକ ପରିବାରକୁ ୧୦ ହଜାର ଟଙ୍କା କରି ସହାୟତା ଦୁଇ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବାର ବ୍ୟବସ୍ଥା କାଳିଆ ଯୋଜନାରେ ରହିଛି।

Leave A Reply