ଫେସ୍‌ବୁକ୍‌ ତଥ୍ୟ ଚୋରି ଦ୍ୱାରା ୫.୬ ଲକ୍ଷ ଭାରତୀୟ ପ୍ରଭାବିତ

0

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ରୁ ତଥ୍ୟ ଚୋରି ଘଟଣାକୁ ନେଇ ବିଶ୍ୱବ୍ୟାପୀ ଏହାର ବ୍ୟବହାରକାରୀ ବା ୟୁଜର୍‌ମାନେ ସଂଶୟ ମଧ୍ୟରେ ରହିଥିବା ବେଳେ କମ୍ପାନୀ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇଛି। ଏଭଳି ତଥ୍ୟ ଚୋରି ଦ୍ୱାରା ୫.୬ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ପ୍ରଭାବିତ ହୋଇଛନ୍ତି ବୋଲି ଫେସ୍‌ବୁକ୍‌ ପକ୍ଷରୁ କୁହାଯାଇଛି। ବିଶ୍ୱର ମୋଟ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରଭାବିତ ଭାରତୀୟ ୟୁଜର୍‌ଙ୍କ ସଂଖ୍ୟା ମାତ୍ର ୦.୬% ବୋଲି ଫେସ୍‌ବୁକ୍‌ ସଫେଇ ଦେବାକୁ ଉଦ୍ୟମ କରିଛିି। ‘କେମ୍ବ୍ରିଜ୍‌ ଆନାଲିଟିକା’କୁ ବେଆଇନ ଭାବେ ବିଶ୍ୱର ୮୭ ଲକ୍ଷ ୟୁଜର୍‌ଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରାଯାଇଥାଇପାରେ ବୋଲି ପୂର୍ବରୁ କମ୍ପାନୀ ଆଶଙ୍କା ବ୍ୟକ୍ତ କରିଥିଲା।
ତଥ୍ୟ ଚୋରି ଘଟଣା ପଦାକୁ ଆସିବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ (ଆଇଟି) ମନ୍ତ୍ରଣାଳୟ ପକ୍ଷରୁ ଫେସ୍‌ବୁକ୍‌କୁ ଲକ ନୋଟିସ୍‌ ଜାରି କରାଯାଇଥିଲା। ଭାରତୀୟ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ‘କେମ୍ବ୍ରିଜ୍‌ ଆନାଲିଟିକା’କୁ ଦିଆଯାଇଛି କି ନାହିଁ ସେ ବିଷୟରେ ଏପ୍ରିଲ ୭ ସୁଦ୍ଧା ସୂଚନା ଦେବା ନିମନ୍ତେ କେନ୍ଦ୍ର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଫେସ୍‌ବୁକ୍‌କୁ ସମୟସୀମା ଦିଆଯାଇଥିଲା। ଏହାର ଉତ୍ତରରେ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତର ୩୩୫ ଜଣ ୟୁଜର୍‌ ପ୍ରଥମେ ‘ଦିସ୍‌ ଇଜ୍‌ ୟୋର୍‌ ଡିଜିଟାଲ୍‌ ଲାଇଫ୍‌’ ଶୀର୍ଷକ ଏକ ପ୍ରଶ୍ନୋତ୍ତର ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ। ଏହା ମାଧ୍ୟମରେ ସମ୍ପୃକ୍ତ ୟୁଜର୍‌ଙ୍କ ତଥ୍ୟ ବ୍ରିଟିଶ ରାଜନୈତିକ କନ୍‌ସଲଟାନ୍ସି ‘କେମ୍ବ୍ରିଜ୍‌ ଆନାଲିଟିକା’କୁ ବେଆଇନ ଭାବେ ତଥ୍ୟ ଲିକ୍‌ ହୋଇଥିଲା। ଏହାଦ୍ୱାରା ଉକ୍ତ ୩୩୫ ୟୁଜର୍‌ଙ୍କ ସମେତ ଏମାନଙ୍କ ବନ୍ଧୁ ତାଲିକାରେ ଥିବା ୫,୬୨,୧୨୦ ଜଣ ଅତିରିକ୍ତ ୟୁଜର୍‌ ପ୍ରଭାବିତ ହୋଇଛନ୍ତି। ତଥ୍ୟ ସୁରକ୍ଷା ଦୃଷ୍ଟିରୁ ନିଜ ନିଜ ‘ବ୍ୟକ୍ତିଗତ ସେଟିଂସ’ରେ ପରିବର୍ତ୍ତନ କରିବା ଲାଗି ପ୍ରଭାବିତ ଭାରତୀୟ ୟୁଜର୍‌ଙ୍କ ନିକଟକୁ ସୋମବାର ଠାରୁ ନୋଟିସ ପଠାଯାଉଥିବା ଫେସ୍‌ବୁକ୍‌ ଦର୍ଶାଇଛି।
ବ୍ରିଟିଶ୍‌ କନ୍‌ସଲଟାନ୍ସି ଭାରତର ବିଭିନ୍ନ ରାଜନୈତିକ ଦଳକୁ ପ୍ରଚାର ନିମନ୍ତେ ଜାତି ସମ୍ବନ୍ଧୀୟ ସମୀକ୍ଷାମୂଳକ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା। ଏହି କନ୍‌ସଲଟାନ୍ସିର ମୂଳ କମ୍ପାନୀ ‘ଷ୍‌ଟ୍ରାଟେଜିକ୍‌ କମ୍ୟୁନିକେଶନ୍‌ ଲିମିଟେଡ୍‌ (ଏସ୍‌ସିଏଲ୍‌)’ ୨୦୦୩ରୁ ୨୦୧୨ ମଧ୍ୟରେ ଭାରତର ୬ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ପାଇଁ ରାଜନୈତିକ ପରିବେଶ ଏବଂ ପରିସ୍ଥିତି ସମ୍ବନ୍ଧରେ ଅନୁଧ୍ୟାନ କରିଥିଲା ଏବଂ ବିଜେପି, କଂଗ୍ରେସ ଓ ଜେଡି(ୟୁ) ‘କେମ୍ବ୍ରିଜ୍‌ ଆନାଲିଟିକା’ର ଗ୍ରାହକ ଥିଲେ ବୋଲି ମଧ୍ୟ ଅଭିଯୋଗ ଉଠିଥିଲା। ଏଭଳି ତଥ୍ୟ ଚୋରି ପାଇଁ ଫେସ୍‌ବୁକ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗତ ମାସରେ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡ଼ା ଚେତାବନୀ ଦେଇଥିଲେ। ଏଥିସହ ଫେସ୍‌ବୁକର ସିଇଓ ମାର୍କ ଜୁକରବର୍ଗଙ୍କୁ ସମନ ଜାରି କରାଯାଇଥିଲା। ଏହି ମାମଲାରେ ଜୁକରବର୍ଗଙ୍କୁ ଆସନ୍ତା ସପ୍ତାହରେ ଆମେରିକା କଂଗ୍ରେସ ନିକଟରେ ହାଜର ହେବାକୁ ପଡିବ। ଏହା ପୂର୍ବରୁ ସେ ଅନୁତାପ କରିଛନ୍ତି। ତୃତୀୟ ପାର୍ଟିକୁ ତଥ୍ୟ ପ୍ରଦାନ କରିବା କମ୍ପାନୀର ବହୁତ ଭୁଲ୍‌ ଥିଲା ବୋଲି ସେ କହିଛନ୍ତି।

Leave A Reply